ଶ୍ରୀହୀନ ହୋଇପଡ଼ୁଛି ବୀର ମାଟି ବରୀ 

ବରୀ: ବୀର ମାଟି ବରୀ । ମାଟିକୁ ଚିପୁଡ଼ିଲେ ରକ୍ତ ବାହାରିବ । ବରୀର ସାହିତ୍ୟ, ସଂସ୍କୃତି, କୃଷି, ଭୌଗୋଳିକ ସ୍ଥିତି ଓ ସ୍ୱାଧୀନତା ସଂଗ୍ରାମରେ ଅବଦାନ ସମୂହକୁ ବିଚାର କଲେ, ଏହା ଯେ ଏକ ସମୃଦ୍ଧ ଓ ପରିଚୟ ଯୁକ୍ତ ଏହାକୁ ଅନସୀକାର୍ଯ୍ୟ । ଅଧୁନା ବରୀ କହିଲେ ବରୀ ବ୍ଲକ ବା ବରୀ ତହସିଲ ୧୦୫ ଗୋଟି ଗାଁକୁ ନେଇ ୨୯ଟି ପଞ୍ଚାୟତ ବା ଆଉଟିକେ ବ୍ୟାପକ ଅର୍ଥରେ ବରୀ ନିର୍ବାଚନମଣ୍ଡଳୀର ୪୭ ଗ୍ରାମ ପଞ୍ଚାୟତକୁ ବରୀ ବୋଲି କହିପାରିବା । ଏହା ମଧ୍ୟଦେଇ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ, ଏହାର ଶାଖାନଦୀ ଗଭୀର ଜଳ ଆଚ୍ଛାଦିତ ଖରସ୍ରୋତା ଓ ସେଥିରୁ ବାହାରିଥିବା ପ୍ରଖର ସ୍ରୋତଧାରୀ ତନ୍ତୀଘାଇରୁ ଖଣ୍ଡ ବିଖଣ୍ଡିତ ଛୋଟ ଛୋଟ ନାଳମାନ ଓ ପୂର୍ବ-ଉତର କୋଣର କାଣୀ ନଦୀ ଓ ଦକ୍ଷିଣ-ପୂର୍ବ ସୀମାରେ ପ୍ରବାହିତ ବିରୂପାନଦୀମାନ ସମଗ୍ର ବରୀ ଅଂଚଳକୁ ଖଣ୍ଡଖଣ୍ଡ କରି ରଖିଛି । ବହୁ ପୁରାତନ କାଳରୁ ରନôଗିରିରେ ବୌଦ୍ଧସ୍ତୁପ, ନାଳନ୍ଦା ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ପୁଷ୍ପଗିରି ବୌଦ୍ଧବିହାର, ଚୀନ୍ ପରିବ୍ରାଜକ ହୁଏନ୍ ସାଂଙ୍କ ଆଗମନ ଏହାର ସ୍ମୃତିକୁ ଉଜ୍ଜୀବିତ କରେ । ତଥ୍ୟରୁ ଜଣାପଡେ ÿଯେ, ମଧ୍ୟଯୁଗରେ ଏହି ପୁଷ୍ପଗିରି ବୈଦ୍ଧବିହାର ଭାରତବର୍ଷର ଏକ ଅନନ୍ୟ ବିଶ୍ୱବିଦ୍ୟାଳୟ ରୂପେ ପରିଗଣିତ ହେଉଥିଲା । ସୁଦୂର ତିଦ୍ଧତ, ନେପାଳ ସମେତ ଭାରତର ବିଭିନ୍ନ ଅଂଚଳରୁ ଶିକ୍ଷାର୍ଥୀମାନେ ଯୋଗ ଓ ଦର୍ଶନ ଶିକ୍ଷାଲାଭ କରିବାକୁ ଏଠାକୁ ଆସୁଥିଲେ । ବହୁ ପ୍ରତିଭାବାନ୍ ଆଚାର୍ଯ୍ୟମାନଙ୍କ ମଧ୍ୟରୁ ଆଚାର୍ଯ୍ୟ ପିଟୋ, ଯେ କି ଶୂନ୍ୟବାଦର ସିଦ୍ଧିଲାଭ କରି ଖୁବ୍ ଜନାଦୃତ ଥିଲେ । ୧୯୫୮ମସିହା ଫେବୃୟାରୀ ୧୫ ତାରିଖରେ ଭାରତ ସରକାଙ୍କ ତରଫରୁ ଶ୍ରୀମତୀ ଦେବଳାମିତ୍ର ଓ ତାଙ୍କ ଦଳ ରନôଗିରିରେ ପହଁଚି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେପରେ ୧୯୫୯ ମସିହା ଜାନୁୟାରୀ ୨୫ ତାରିଖରେ କେନ୍ଦ୍ର ବିଜ୍ଞାନ ଓ ସାଂସ୍କୃତିକ ମନ୍ତ୍ରୀ ଡକ୍ଟର ହୂମାୟୁନ୍ କବୀର ପରିଦର୍ଶନରେ ଆସି ଏହାର ବିକାଶ ପାଇଁ ପଦକ୍ଷେପ ନେଇଥିଲେ । ବର୍ତମାନ ସେଠାରେ ମିଉଜିୟମ, ଗେଷ୍ଟ ହାଉସ୍ ନିର୍ମାଣ ହୋଇଥିଲେ ବି ଆହୁରି ବହୁ କାମ ହେବାର ଆବଶ୍ୟକତା ଅଛି । ଓଡ଼ିଶା ମଧ୍ୟ ଯୁଗୀୟ ରୀତି ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମସ୍ଥାନ ବରୀର ବାଲିଆ ଗ୍ରାମରେ । ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଗୁରୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ଠୁ ଗୌଡ଼ୀୟ ଧର୍ମ ଗ୍ରହଣ କରି ରାଧାକୃଷ୍ଣ ଲୀଳାର ଗଣେ ଗ୍ରାହକ ସାଜି ନିଜକୁ ରାଧାକୃଷ୍ଣ ପ୍ରେମରେ ହଜାଇ ଦେଇଥିଲେ । ତାଙ୍କ ସ୍ମୃତିରେ ଜନ୍ମମାଟିରେ କଲେଜ୍, ହାଇସ୍କୁଲ ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନ ଗଢ଼ାଯାଇଛି । କର୍ପୁର ଉଡ଼ିଯାଇଛି ସତ, ମାତ୍ର କନା ପଡ଼ିଛି । ସେଇଠି ରାଧାମୋହନ ମନ୍ଦିର, ୮୪ ଏକର ପରିମିତ ବାଲିଆ ବୃନ୍ଦାବନ, ଅଭିମନ୍ୟୁଙ୍କ ସମାଧିସ୍ଥଳ, କରମଙ୍ଗା ଗଛ ସବୁ ରହିଛି । ମାତ୍ର ଏହାର ବିକାଶ ହୋଇପାରୁନି । ସରକାର କେବଳ ନାଁକୁ ମାତ୍ର ପର୍ଯ୍ୟଟନସ୍ଥଳୀର ଦୁଇଟି ବୋର୍ଡ଼ ଲଗାଇ ଦେଇ ନିଜର ଦାୟିତ୍ୱ ସାରିଦେଇଛନ୍ତି । ଲୋକଙ୍କ ମନରେ ପ୍ରଶ୍ନ କେବେ ଏହାର ବିକାଶ ହେବ? ବରୀର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ, ସ୍ୱାଧୀନତା ସଂଗ୍ରାମରେ ବିଶେଷ ଅବସାନ । ୧୮୫୭ର ସୀପାହୀ ବିଦ୍ରୋହ ସମୟରେ ସାରା ଦେଶରେ ବ୍ରିଟିଶ ବିରୁଦ୍ଧରେ ଯେଉଁ ଆକ୍ରୋଶ ପ୍ରକାଶ ପାଇଥିଲା, ସେଥିରେ ବି ବରୀ ବାଦ୍ ଯାଇନାହିଁ । ଅବିଭକ୍ତ କଟକ ଜିଲାର ପ୍ରଥମ ବ୍ରିଟିଶ୍ ବିରୋଧୀ ସଂଗ୍ରାମର ପୁରୋଧା ସାଜିଥିଲେ ବାଲିଆର ଜମିଦାର ରାମକୃଷ୍ଣ ସାମନ୍ତ ସିଂହାର । ନିଜ ପରିବାର ଓ ଅନୁଗତ ଖଣ୍ଡାୟତମାନଙ୍କ ମେଳି କରି ସେ ବ୍ରିଟିଶ ଶାସନ ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ । କଟକ କମିଶନରଙ୍କ ନିଦେ୍ର୍ଦଶକ୍ରମେ ପୁଲିସ୍ ବାଲିଆ ଉଆସ ଖାନ୍ ତଲାସ୍ କରି ଖଣ୍ଡା, ବନ୍ଧୁକ, ଗୋଳାବାରୁଦ ଜବତ କରି ରାମକୃଷ୍ଣଙ୍କ ଜମିଦାରୀ ବ୍ୟାଜ୍ୟାପ୍ତି କରି ୬ବର୍ଷ ସଶ୍ରମ କାରାଦଣ୍ଡରେ ପାଟନା ଜେଲ୍କୁ ପଠାଇଥିଲେ । ଦୁଇବର୍ଷ ପରେ ରାଣୀ ଭିକ୍ଟୋରିଆଙ୍କ ରାଜକ୍ଷମା ଘୋଷଣାରେ ସେ ମୁକ୍ତ ହୋଇ ଜମିଦାରୀ ଫେରିପାଇଥିଲେ । ଏହାଥିଲା ଓଡ଼ିଶାର ସମଗ୍ର ମୁକ୍ତି ସଂଗ୍ରାମର ଏକ ଅଂଶବିଶେଷ । ଆଜିବି ଏଭଳି ଏକ ମହାନ କାର୍ଯ୍ୟର ପ୍ରସାର ପାଇଁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ବରୀର ଶହୀଦ୍ପୀଠ କଥା କିଏ ବା ନଜାଣେ । ପ୍ରତିବର୍ଷ ଗହ୍ମାପୂର୍ଣ୍ଣିମା ଓ ଅଗଷ୍ଟ ୨୬ରେ ସ୍ମୃତି ମନେ ପକାଯାଏ । ସେହି ରକ୍ତରଂଜିତ ମାଟି ଆଜି ସାରା ଦେଶ ପାଇଁ ନମସ୍ୟ । ଏହି ପୀଠର ମାନ୍ୟତା ଜାତୀୟସ୍ତରରେ ପାଇବାର ଆବଶ୍ୟକତା ଅଛି । ଗୋପବନ୍ଧୁ ଓ ମା’ ରମାଦେବୀ ସେବାଘରକୁ କେନ୍ଦ୍ରକରି ଯେଉଁ କାର୍ଯ୍ୟ କରୁଥିଲେ, ତାକୁ ଟିକେ ବ୍ୟାପକ କରିବାକୁ ଓ ବିଶେଷ କରି କୃଷିର ପ୍ରୟୋଗଶଳା ନିମିତ ସେବାଘର ଠାରୁ ୩୦୦ମିଟର ଦୂର କନ୍ତକାର ଜଳାଶୟ ନିକଟରେ ପାଞ୍ଚ ଏକର ଜାଗା ପୁତ୍ର ମନମୋହନ ଚୌଧୁରୀଙ୍କ ନାମରେ କିଣିଥିଲେ । ସେଠାରେ ଶରୀର ଶ୍ରମ ଆଧାରରେ ଉନ୍ନତମାନର କୃଷି ସହ ଆମ୍ବ, ପଣସ, ପିଜୁଳି, ବରକୋଳି, ଜାମୁରୋଳ ପ୍ରଭୃତି ଗଛମାନ ଲଗାଇ ଏହାର ଶୋଭାବର୍ଜନ କରିଥିଲେ । ୧୯୫୬ ମସିହାରେ ଆଚାର୍ଯ୍ୟ ବିନୋବା ଭାବେ ଓ ୧୯୫୭ ମସିହାରେ ବିଶିଷ୍ଟ କ୍ରାନ୍ତିକାରୀ ଲୋକନାୟକ ଜୟପ୍ରକାଶ ନାରାୟଣ ମଧ୍ୟ ସେଠାକୁ ଆସିଛନ୍ତି । ୧୯୫୮ ଅପ୍ରେଲ ୨୯ତାରିଖରେ ଗୋପବନ୍ଧୁଙ୍କ ଆକସ୍ମିକ ମୃତ୍ୟୁପରେ ତାଙ୍କ ପରିକଳ୍ପିତ କାମ ଯଥା: ଗ୍ରାମ ସ୍ୱରାଜ, କୁଟୀରଶିଳ୍ପ, ନିଶାନିବାରଣ ପ୍ରଭୃତି ଅଧାରୁ ରହିଗଲା । ପରବର୍ତୀ ସମୟରେ ୧୯୯୮ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶଙ୍କ ଜନ୍ମ ତିଥିରେ ଶ୍ରୀ ମନମୋହନ ଚୌଧୁରୀ ଓ ପତ୍ନୀ ସୁମିତ୍ରା ଦେବୀ ଆଶ୍ରମର ପୁନଃଗଠନ ପାଇଁ ଅଂଟା ଭିଡ଼ିଲେ । ତଦନୁଯାୟୀ କର୍ମୀମାନେ ନିୟମିତ ରହି କାର୍ଯ୍ୟ ଆରମ୍ଭ କଲେ ଓ ୨୦୦୯ ମସିହାରେ “ଗୋପବନ୍ଧୁ-ରମାଦେବୀ ଆଶ୍ରମ ଟ୍ରଷ୍ଟ” ଗଠନ କରାଯାଇ ଏକ ପାଂଚଜଣିଆ ବୋର୍ଡ଼ ଦ୍ୱାରା ଏହା ପରିଚାଳିତ ହୋଇଚାଲିଛି । ଚଳିତବର୍ଷ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ମଧ୍ୟ ବ୍ୟାପକଭାବେ ପାଳନ କରାଯାଉଛି । ବହୁ କିମ୍ବଦନ୍ତୀ ଓ ଘଟଣାବଳୀର ସ୍ୱାକ୍ଷର ବହନ କରୁଥିବା ସେବାଘର, ବର୍ତମାନର ଗୋପବନ୍ଧ-ରମାଦେବୀ ଆଶ୍ରମ, ରାମଚନ୍ଦ୍ରପୁରର ମୌଳିକ ଶିକ୍ଷା କେନ୍ଦ୍ର, କଳାମାଟିଆର ଶହୀଦ୍ ପୀଠ, ବିଦଗ୍ଧ କବି ଅଭିମନ୍ୟୁଙ୍କ ବାଲିଆରେ ଜନ୍ମ ଓ ସାଧନା ପୀଠ, ବିପ୍ଳବୀ ରାମକୃଷ୍ଣ ସାମନ୍ତ ସିଂହାରଙ୍କ ସ୍ମୃତିପୀଠ, ରନôଗିରିର ବୌଦ୍ଧ ବିହାର ସମେତ ବରୀ ଅଂଚଳର ଅନ୍ୟାନ୍ୟ ସ୍ମରଣୀୟ କ୍ଷେତ୍ରକୁ ସ୍ୱତନ୍ତ୍ର ପରିଚୟ ଦେଇ ଏକ ବହୁତ୍ ପର୍ଯ୍ୟଟନ ଓ ସ୍ମାରକୀସ୍ଥଳୀର ମାନ୍ୟତା ଦିଆଗଲେ ବରୀର ପୂର୍ବଗୌରବ ଫେରିଆସନ୍ତ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।