ସଦ୍ଭାବନାର ପର୍ବ - ଇଦୁଲ୍ ଫିତର
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ସାମ୍ପ୍ରଦାୟିକ ସ୍ନେହ,ସୌହାର୍ଦ୍ୟ ଓ ସଦ୍ଭାବନା ଯୋଗୁଁ ଆମ ଦେଶ ବିଶ୍ୱରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି । ପ୍ରତ୍ୟେକ ଧର୍ମ,ସମ୍ପ୍ରଦାୟ ଏବଂ ଜାତିରେ ଭିନ୍ନ ଭିନ୍ନ ପର୍ବ ପର୍ବାଣି ପାଳିତ ହୋଇଥାଏ । ଆମେ ଭାରତ ବାସୀ ସମସ୍ତେ ଏକତ୍ର ହୋଇ ସକଳ ଧର୍ମର ପର୍ବପର୍ବାଣିକୁ ହର୍ଷ ଉଲ୍ଲାସର ସହିତ ପାଳନ କରିଥାଉ । ପ୍ରତ୍ୟେକ ପର୍ବପର୍ବାଣିରେ ସମାଜ ପାଇଁ ଏକ ଶୁଭ ବାର୍ତ୍ତା ଦିଆ ଯାଇଥାଏ । ଇଦୁଲ ଫିତର ପର୍ବ ମଧ୍ୟ ରମଜାନ ମାସର ଘୋର ତପସ୍ୟା, ତ୍ୟାଗ ଏବଂ ବ୍ରତ ପରେ ପ୍ରାପ୍ତ ହୋଇଥାଏ । ଏହା ସମାଜରେ ସ୍ନେହ,ସୌହାର୍ଦ୍ୟ ତଥା ଭାଇଚାରା ଆଣିଥାଏ । ଚତୁର୍ଦ୍ଦିଗରେ ଶୁଖ,ଶାନ୍ତି ଓ ସମନ୍ୱୟତାର ବାତାବରଣ ସୃଷ୍ଟି କରିଥାଏ । ଏ ପର୍ବ ଖାଇବାର ଏବଂ ଖୁଆଇବାର ପର୍ବ ହୋଇଥାଏ । ସେବା ଓ ସାହାଯ୍ୟର ପର୍ବ ହୋଇଥାଏ । ଗରିବର ଦୁଃଖକୁ ବୁଝିବାର ପର୍ବ ହୋଇଥାଏ । ପଡ଼ୋଶୀ ସହ ସହାନୁଭୂତି କରିବାର ପର୍ବ ହୋଇଥାଏ । ପରକୁ ନିଜର କରିନେବାର ପର୍ବ ହୋଇଥାଏ । ଶାନ୍ତିରେ ରହି ଅନ୍ୟକୁ ଶାନ୍ତିରେ ରହିବାକୁ ଦେବାର ପର୍ବ ହୋଇଥାଏ । ଅନୈତିକତା, ଅମାନୁଷିକତା, ଅସଭ୍ୟତା ତଥା କୁକର୍ମ ଉପରେ ବିଜୟୀ ହେବାର ପର୍ବ ହୋଇଥାଏ । ମାନବ ସେବା ହିଁ ମାଧବ ସେବା ବୋଲି ଜାଣିନେବାର ପର୍ବ ହୋଇଥାଏ । ପ୍ରଭୁଙ୍କ ଛାମୁରେ ନିଜକୁ ସମର୍ପଣ କରିଦେବାର ପର୍ବ ହୋଇଥାଏ । ଖାରାପ ଦେଖିବି ନାହିଁ, ଖରାପ କହିବି ନାହିଁ, ଖରାପ ଶୁଣିବି ନାହିଁ ଏବଂ ଖରାପ କାମ କରିବି ନାହିଁର ଶିକ୍ଷାକୁ ଗ୍ରହଣ କରି ନେବାର ପର୍ବ ହୋଇଥାଏ । ପରିଶେଷରେ ଭଲ ମଣିଷଟିଏ ହୋଇ ପରମାତ୍ମାଙ୍କ ଠାରୁ ପରମାନନ୍ଦ ଲାଭ କରିବାର ପର୍ବ ହୋଇଥାଏ ।
ଏହି ଇଦ ପର୍ବରେ କୁନି କୁନି ପିଲାମାନେ ରଂଗ ବେରଂଗ ପୋଷାକରେ ସାଜ ସଜା ହୋଇ ତଥା ଘରର ବୟସ୍କମାନେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ସୁଗନ୍ଧ ଓ ସୁବାସିତ ଅତର ଲଗାଇ ଅଲ୍ଲାଃଙ୍କ ମହାନତାର ଗୁଣଗାନ କରି ଇଦ ନମାଜ ପଢିବାକୁ ଯାଇଥାନ୍ତିି । ଧର୍ମଗୁରୁ ବିଷେଶ ନମାଜ ଇଦୁଲ୍ ଫିତର ପାଠ କରାଇ ଉପସ୍ଥିତ ସଭାସଜନ ମଣ୍ଡଳିଙ୍କୁ ବିଶ୍ୱଶାନ୍ତିି, ଭାଇଚାରା, ମାନବ କଲ୍ୟାଣ କାର୍ଯ୍ୟ କରିବା ତଥା ଦେଶରେ ଏକତା,ଅଖଣ୍ଡତା କାୟମ କରିବା କ୍ଷେତ୍ରରେ ଶାସକଙ୍କ ସହ ସହଯୋଗ କରିବାର ଉପଦେଶ ଦେଇଥାନ୍ତି । ପରିଶେଷରେ ସକଳ ଜଗତବାସୀଙ୍କ ମଙ୍ଗଳ କାମନା ପାଇଁ ନିରବ ପ୍ରାର୍ଥନା କରାଯାଇଥାଏ । ଘରକୁ ଫେରି ବନ୍ଧୁ ମିଳନ କରାଯାଇଥାଏ । ଜଣେ ଅନ୍ୟ ଜଣକୁ ଆନ୍ତରିକତା ସହ ସହୃଦୟରେ ଆଲିଙ୍ଗନ କରି, ଇଦ୍ ଶୁଭେଚ୍ଛା ଜଣାଇଥାନ୍ତି । ସମସ୍ତ ଭାରତୀୟଙ୍କୁ ମାନବୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ,ଏକଜୁଟ ହୋଇ ରହିବାର ସାମର୍ଥ ପ୍ରଦାନ କରନ୍ତୁ । ମନେରଖ ! ଯେଉଁ ବ୍ୟକ୍ତି ମାନବ ଜାତି ସହ ପ୍ରେମ କରେ ନାହିଁ, ସେ ସୃଷ୍ଟିକର୍ତାଙ୍କୁ ମଧ୍ୟ ପ୍ରେମ କରେ ନାହିଁ । ରମଜାନ ଆମକୁ ସ୍ନେହ,ସୌହାର୍ଦ୍ଦ,ସମ୍ମାନ,ଭ୍ରାତୃଭାବ, ତ୍ୟାଗ ଓ ମୈତ୍ରୀର ଉଚିତ୍ ଶିକ୍ଷା ଦେବାକୁ ଆସିଥାଏ ।
ମୌଲାନା ଫଜଲ ହକ ଖାନ୍
ମଙ୍ଗଳାବାଗ,କଟକ
ମୋ: ୯୬୯୨୨୨୫୦୫୭