ବାରିପଦା: ଯମୁନା ପରେ ଏବେ ବାଘୁଣି ଜୀନତ୍ ଗଲା ଜଙ୍ଗଲ।୧୦ ଦିନ ସୋଫ୍ଟ ଏନକ୍ଲୋଜର୍ ରେ ରହିବା ପରେ ଗତକାଲି ରାତି ୯.୩୦ ରେ ତାକୁ ଏନକ୍ଲୋଜର୍ ରୁ ମୁକ୍ତ କରାଯାଇଛି। ଏବେ ସେ ଶିମିଳିପାଳ ଉତ୍ତର ଉପଖଣ୍ଡର କୋର ଅଞ୍ଚଳରେ ବୁଲାବୁଲି କରୁଛି ବାଘୁଣୀ ଜୀନତ୍। ଯମୁନା ଭଳି ଶିମିଳିପାଳ ଟାଇଗର ରିଜର୍ଭ ର ଏକ ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ଧରି ଜୀନ୍ନତ୍ ର ଗତିବିଧି ଉପରେ ନଜର ରଖିଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ରହିଛି। ଚଳିତ ମାସ ୬ ତାରିଖରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଳ୍ପର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଗତ ୧୪ ତାରିଖରେ ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଜୀନତକୁ ଆଣି ଗତ ୧୫ ତାରିଖରେ ଶିମିଳିପାଳ କୋର ଅଞ୍ଚଳରେ ହୋଇଥିବା ସୋଫ୍ଟ ଏନକ୍ଲୋଜର୍ ମଧ୍ୟରେ ଛଡ଼ାଯାଇଥିଲା। ଆଉ ଏବେ ୧୦ ଦିନ ପରେ ସୁସ୍ଥ ଓ ସକ୍ରିୟ ଅବସ୍ଥାରେ ତାକୁ ଏନକ୍ଲୋଜର୍ ମୁକ୍ତ କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଏବଂ ଏହି ୧୦ ଦିନ ମଧ୍ୟରେ ଜୀନତ୍ ୩ଟି ବାରର୍ହା ଶିକାର କରି ଖାଇଥିବା କହିଛନ୍ତି କର୍ତ୍ତୃପକ୍ଷ। ତେଣୁ ଶିମିଳିପାଳ ଅଭୟାରଣ୍ୟରେ ଏବେ ନିଜକୁ ଖାପ ଖୁଆଇ ମୁକ୍ତ ଭାବେ ବିଚରଣ କରୁଛନ୍ତି ମହାରାଷ୍ଟ୍ର ର ଦୁଇ ବାଘୁଣୀ' ଯମୁନା ଓ ଜିନତ୍। ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂଗ୍ରକ୍ଷକ ଡା. ପ୍ରକାଶଚାନ୍ଦ ଗୋଗିନେନୀ।