ସମସ୍ୟା ବଳୟରେ ସହିଦଙ୍କ ସ୍ୱପ୍ନର ଭାରତ
ଦେଶରୁ ବିଦେଶୀ ଶାସନ ହଟିଲା ପରେ ଆମେ ଭାରତରେ ଏକ ନୂଆ ସମ୍ବିଧାନ ପ୍ରସ୍ତୁତ କରି ସାର୍ବଭୌମତ୍ୱ, ଧର୍ମ ନିରପେକ୍ଷତା, ସମାଜବାଦୀ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଇଛୁ । ଦୀର୍ଘ ପଥ ଅତିକ୍ରମ କରି ଏକ ରାଷ୍ଟ୍ର ଭାବେ ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି । ସବୁଜ ବିପ୍ଲବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଶ୍ୱେତ ବିପ୍ଲବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସଂସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା, ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୪୪ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି ।
ଏସବୁ ସଫଳତା ସତ୍ତ୍ୱେ ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ପ୍ରାୟ ୩୫କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ । ଏହାର ମୂଳ କାରଣ ହେଉଛି ଦୁର୍ନୀତି । ବିଡମ୍ବନା ହେଲାଯେ ଏହି ଦୁର୍ନୀତିର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଖାଲିସେତିକି ନୁହେଁ, ସବୁଠାରୁ ବଡ ସମସ୍ୟା ହେଉଛି ଆମ ସଂସଦୀୟ ବ୍ୟବସ୍ଥା ଭିତରକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୁମି ଥିବା ଲୋକମାନେ । ଦେଶର ସଂସଦ ଓ ବିଧାନ ସଭା ଦେଶବାସୀଙ୍କ ପାଇଁ ମନ୍ଦିର ସଦୃଶ । ଏଠାରେ ଆଇନ ତିଆରି ହୁଏ ଦେଶ ଓ ରାଜ୍ୟ ପାଇଁ ତିଆରି ହୁଏ ଶାସନ ଖସଡା । ଶସ୍ତା ରାଜନୀତି ଦେଶ ପାଇଁ କାଳ । ଜର୍ଜ ବର୍ଣ୍ଣାଡସଙ୍କ ମତରେ ବୁଦ୍ଧିଜୀବୀମାନେ ରାଜନୀତିକୁ “ସଇତାନର ଆଶ୍ରୟ ସ୍ଥଳୀ” ବୋଲି ଭାବୁଛନ୍ତି । ତେଣୁ ସମାନେ ନିର୍ବାଚନ ପ୍ରକ୍ରିୟାରୁ ନିରାପଦ ଦୂରତାରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ଅପରାଧ ପୃଷ୍ଠଭୁମି ଥିବା ବ୍ୟକ୍ତି ସାଂସଦ ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ବିଗତ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନଙ୍କ ମଧ୍ୟରୁ ୩୫ପ୍ରତିଶତ ଜଣଙ୍କ ନାମରେ ଅପରାଧ ମାମଲା ଥିବାବେଳେ ସେଥି ମଧ୍ୟରୁ ୭୬ ଜଣ କୋଟିପତି ତାଲିକାରେ ଅଛନ୍ତି । ସେହିପରି ୩୪ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧ ମାମଲା ଥିବା ବେଳେ ୮୨ ପ୍ରତିଶତ ସାଂସଦ କୋଟିପତି ତାଲିକାରେ ଅଛନ୍ତି ।
ସ୍ୱାଧୀନତାର ଅର୍ଥ କେବଳ ଏକଛତ୍ରବାଦ ଶାସକ ବା ବିଦେଶୀଙ୍କ କବଳରୁ ମୁକ୍ତି ନୁହେଁ ବରଂ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୪ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ଦିନକୁ ଦିନ ଆମ ମା-ଭଉଣୀ ମାନେ ଅସୁରକ୍ଷିତ ଅବସ୍ଥା ଭିତରକୁ ଠେଲି ହୋଇଯାଉଛନ୍ତି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଷ୍କର୍ମର ଏକ ଲମ୍ବା ତାଲିକା । ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ଦୁର୍ନୀତି କଥା ନ କହିବା ଭଲ । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଜାତି ଧର୍ମନାମରେ ସାଂପ୍ରଦାୟିକ ଦଙ୍ଗା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି । ସ୍ୱାଧୀନତାର ସାତ ଦଶନ୍ଧି ପରେ ସବୁଲୋକଙ୍କୁ ଦୁଇ ଓଳି ପେଟପୁରା ଆହର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ । କିଛିଦିନ ପୂର୍ବରୁ ଦୀର୍ଘ ୭୦ ବର୍ଷ ପରେ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ସହ ଜାମ୍ମୁ କାଶ୍ମୀର ପୂନର୍ଗଠନ ହୋଇ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟ ଭାବେ ଜାମ୍ମୁ କାଶ୍ମୀର ଓ ଲାଦାଖ୍ ମାନ୍ୟତା ପାଇଛନ୍ତି । ଏହା ଆମ ପାଇଁ ଆଶ୍ୱାସନାର ବିଷୟ । ସାରା ବିଶ୍ୱ ମଧ୍ୟ କାଶ୍ମୀର ଉପତ୍ୟକାରେ ଶାନ୍ତି ଓ ପରିବର୍ତ୍ତନକୁ ଅନୁଭବ କରୁଛନ୍ତି ।
ଆଜି ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଗୋଟିଏ ପଟେ ସୁପରପାୱାର ସ୍ୱପ୍ନ ଆମେ ଦେଖୁଥିବା ବେଳେ ଅନ୍ୟପଟେ ଦୁର୍ନୀତି, ଭ୍ରଷ୍ଟାଚାର , ଦାରିଦ୍ର୍ୟ, ବେକାରୀ ଓ ନିରକ୍ଷରତା ଭଳି ସମସ୍ୟା ଆମ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି । ଏସବୁ ସମସ୍ୟାକୁ ଗମ୍ଭୀରତାର ସହ ବିଚାର କରି ସମାଧାନ କରିବାକୁ ହେବ । ଏଥିପାଇଁ ଶାସକ ଓ ପ୍ରଶାସକ ଯେତିକି ମାତ୍ରାରେ ଦାୟୀ ଲୋକଙ୍କ ନିକଟରେ ଦେଖା ଦେଇଥିବା ସଚେତନତାର ଅଭାବ ମଧ୍ୟ ସେତିକି ଦାୟୀ । ଏବେବି ସମୟ ଅଛି । ଆମେ ଆମ ମନୋଭାବରେ ପରିବର୍ତ୍ତନ କରି ଦେଶ ପାଇଁ ସମର୍ପିତ ହୋଇ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ଦେଶକୁ ପ୍ରଗତି ପଥରେ ଆଗେଇ ନେଇପାରିବା ।
ମୋ-୯୯୩୭୧୫୧୦୫୨