ସର୍ବଧର୍ମ ସମନ୍ୱୟୀ ରଥଯାତ୍ରା 


ରଥଯାତ୍ରାର ଭିନ୍ନ ଭିନ୍ନ ନାମ ରହିଛି । ଏହାକୁ ଘୋଷ ଯାତ୍ରା କୁହାଯାଏ । ଘୋଷ ଯାତ୍ରା ଅର୍ଥାତ୍ ନନ୍ଦିଘୋଷରେ ବିରାଜମାନ କରି ଶ୍ରୀଜଗନ୍ନାଥ ଯାତ୍ରା କରୁଥିବାରୁ ବା ଏହି ଯାତ୍ରା ମାଧ୍ୟମରେ ବିଶ୍ୱର ମଙ୍ଗଳ ଘୋଷଣା କରାଯାଉଥିବାରୁ ଏହାକୁ ଘୋଷଯାତ୍ରା କୁହାଯାଏ । ସେହିପରି ଏହାକୁ ଆଡ଼ପ ମଣ୍ଡପ ଯାତ୍ରା ମଧ୍ୟ କୁହାଯାଏ । ଆଡ଼ପ ମଣ୍ଡପ ଯାତ୍ରା ହେଉଛି ଗୁଣ୍ଡିଚା ମନ୍ଦିରରେ ଥିବା ଆଡ଼ପ ମଣ୍ଡପରେ ତିନି ଠାକୁର ବିଜେ କରିଥାନ୍ତି । ଫଳରେ ଏହାକୁ ଆଡ଼ପ ମଣ୍ଡପ ଯାତ୍ରା କୁହାଯାଏ । ସେହିପରି ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା  ବୋଲି କୁହାଯାଏ । କାରଣ ଆଡ଼ପ ମଣ୍ଡପକୁ ପ୍ରଭୁଙ୍କ ଜନ୍ମବେଦୀ କୁହାଯାଏ । ଏଠାରେ ବିଗ୍ରହ ନିର୍ମାଣ କରାଯାଇଥିବାରୁ କିମ୍ବଦନ୍ତୀ ରହିଛି । ତେଣୁ ଏହାକୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା କୁହାଯାଏ । ଦଶାବତାର ଯାତ୍ରା ଭାବେ ଏହାକୁ ବିବେଚିତ କରାଯାଉଥିବାବେଳେ ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଏହାକୁ ଦଶାବତାର ଯାତ୍ରା କୁହାଯାଏ । ସେହିପରି ପତିତପାବନ ଯାତ୍ରା ଭାବେ ଏହାକୁ ମଧ୍ୟ କୁହାଯାଏ । ଅର୍ଥାତ୍ ପତିତମାନଙ୍କୁ ଉଦ୍ଧାର କରିବା ଲାଗି ଶ୍ରୀଜଗନ୍ନାଥ ବଡ଼ ଦେଉଳରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି । ଭକ୍ତଙ୍କ ଗହଣରେ ନିଜକୁ ସମ୍ମିଳିତ କରିଦିଅନ୍ତି । ତାଙ୍କୁ ପ୍ରତ୍ୟକ୍ଷ ଭାବେ ଦର୍ଶନ କରି ପତିତମାନେ ଉଦ୍ଧାର ପାଇଥାନ୍ତି । ତେଣୁ ଏହାକୁ ପତିତପାବନ ଯାତ୍ରା କୁହାଯାଏ । ଆହୁରି ଏହାକୁ ନବଦିନାତ୍ମକ ଯାତ୍ରା ଭାବେ କୁହାଯାଏ କାରଣ  ଗୁଣ୍ଡିଚା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ନଅ ଦିନ ଧରି ଏହା ଚାଲୁଥିବାରୁ ଏହାକୁ ନବଦିନାତ୍ମକ ଯାତ୍ରା କୁହାଯାଏ । ସେହିପରି ଗୁଣ୍ଡିଚା ଯାତ୍ରା ଭାବେ ଏହାକୁ ବିବେଚନା କରାଯାଏ କାରଣ ଗୁଣ୍ଡିଚା ଘରକୁ ତିନି ଠାକୁର ଯାତ୍ରା କରୁଥିବାରୁ ଏହାକୁ ଗୁଣ୍ଡିଚା ଯାତ୍ରା କୁହାଯାଏ । 
ଆମ ଆଦିମ ଅଧିବାସୀ ଶବର ସଂପ୍ରଦାୟଙ୍କ ଦ୍ୱାରା ପୂଜିତ ଦାରୁଦେବତା ପ୍ରଭୁ ନୀଳମାଧବ କାଳକ୍ରମେ ଜଗନ୍ନାଥ ରୂପ ବିଗ୍ରହ ଧାରଣ କରି ପୂଜିତ ହୋଇ ଚାଲିଛନ୍ତି ବୋଲି ଶ୍ରୁତି ରହିଛି । ସେ ବ୍ରହ୍ମ, ସେ ବିଷ୍ଣୁ, ସେ ହିଁ ନାରାୟଣ । "ଓଁ କ୍ଲୀଂ କୃଷ୍ଣାୟେ, ଗୋବିନ୍ଦାୟେ, ଗୋପୀକାଜନବଲ୍ଲଭେ ନମଃ'ର ମାନ୍ତ୍ରିକ ଉଚ୍ଚାରଣରେ ପୂଜିତ ହେଉଥିବା ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣଙ୍କର ପ୍ରତିରୂପ ବୋଲି ମଧ୍ୟ ବିଚାର କରାଯାଏ । ଲୋକକଥା ମଧ୍ୟ ରହିଛି ଯେ ଶ୍ରୀକୃଷ୍ଣଙ୍କର ମର୍ତ୍ତ୍ୟଲୀଳାର ପରିସମାପ୍ତି ପରେ ପରେ ସେ ପୂର୍ବ ଭାରତର ଏହି ପୁଣ୍ୟପୀଠରେ ଶ୍ରୀଜଗନ୍ନାଥ ରୂପେ  ଆବିର୍ଭୁତ ହେଲେ । ଏଣୁ ସକଳ ବୈଷ୍ଣବ ସଂପ୍ରଦାୟଙ୍କର ସେ ମଧ୍ୟ ଆରାଧ୍ୟ ଦେବତା ଯାହା ଶ୍ରେୀଚୈତନ୍ୟଙ୍କ ଦ୍ୱାରା ଅଧବକ ସଂପ୍ରସାରିତ ଓ ଗୃହୀତ ହୋଇଆସିଛି । ବୈଷ୍ଣବ ମତାନୁସାରେ ସେ ହେଉଛନ୍ତି ଶ୍ରୀକୃଷ୍ଣ, ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳରାମଙ୍କ ସହିତ ଭଉଣୀ ସୁଭଦ୍ରାଙ୍କର ସମାବେଶରେ ସେ ବିରାଜିତ । ଏହି ଯଶୋଦା କନ୍ୟା ସୁଭଦ୍ରା ଭାଇ ଦୁଇ ଜଣଙ୍କୁ ମହାପ୍ରତାପୀ କଂସଙ୍କ କବଳରୁ ବଞ୍ଚାଇଥିବାରୁ ସେ ତାଙ୍କର ଅତି ଆଦରର । ଅଦୈତବାଦାନୁସାରେ ଏହି ମହାଦେବୀ ସୁଭଦ୍ରା ଯୋଗମାୟା ଓ ଯୋଗନିଦ୍ରା ଭାବେ ମଧ୍ୟ ପରିଚିତା । ସେ ପୁଣି ଅଖଣ୍ଡ, କାଳ ବା ସମୟଚକ୍ରର ସ୍ରଷ୍ଟାଦେବୀ । ସୁଦର୍ଶନ ହେଉଛନ୍ତି ମହାଭାରତର କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ସମ୍ମିଳିତ ରୂପ ଯାହାଙ୍କୁ ନାରଦ ପ୍ରତ୍ୟକ୍ଷ କରି କଳିଯୁଗରେ ଆବିର୍ଭାବ ହେବା ପାଇଁ ପ୍ରଭୁଙ୍କୁ ବିନମ୍ର ପ୍ରାର୍ଥନା କରିଥିଲେ । ଆମ ଭାରତୀୟ ପରମ୍ପରାରେ ଭଉଣୀ ସହିତ ପ୍ରଭୁ ପୂଜିତ ହେବାର ସ୍ୱତନ୍ତ୍ରତା ରହିଛି । ଅନ୍ୟପକ୍ଷରେ ବୌଦ୍ଧ ଧର୍ମର ବୁଦ୍ଧ, ଧମ୍ମ ଓ ସଂଘର ମହତ୍ତ୍ୱ ରତ୍ନସିଂହାସନରେ ଉପବିଷ୍ଟ ଏହି ଚତୁର୍ଦ୍ଧାମୂର୍ତ୍ତିରେ ସମାବିଷ୍ଟ ବୋଲି ବୌଦ୍ଧ ଧର୍ମର ଲୋକମାନଙ୍କର ବିଶ୍ୱାସ ମଧ୍ୟ ରହିଛି । ଏହି ଧର୍ମ ସଦାବେଳେ ନାରୀର ପ୍ରତିନିଧିତ୍ୱ କରିଥାଏ ବୋଲି ତହିଁରେ କୁହାଯାଇଛି । ଆଉ ରତ୍ନବେଦୀ ଐଶ୍ୱର୍ଯ୍ୟର ଭଣ୍ଡାର ବୋଲି ବିଶ୍ୱାସ ରହିଛି । ମୋଟ ଉପରେ କୁହାଯାଇପାରେ ଯେ ପ୍ରଭୁ ପୁରୁଷୋତ୍ତମଙ୍କର ଏହି ଆସ୍ଥାନରେ ରହିଛି ବିଷ୍ଣୁ, ଶୈବ, ବୈଷ୍ଣବ ଓ ବୌଦ୍ଧ ବିଶ୍ୱାସୀଙ୍କର ପରମ ଆସ୍ଥା ଏବଂ ଅନାବିଳ ବିଶ୍ୱାସ । ଏହି ଚତୁର୍ଦ୍ଧା ମୂର୍ତ୍ତିର ପରିକଳ୍ପନା ସ୍ୱୟଂ ପ୍ରଭୁଙ୍କର ବୋଲି ଆମେ ବିଶ୍ୱାସ କରିଆସିଛୁ, କାରଣ ଏହାର ତତ୍ତ୍ୱକୁ ଯେତେ ବିଶ୍ଲେଷଣ କଲେ ମଧ୍ୟ ଏହା ଅଲୌକିକରେ ଲୌକିକ ଓ ରହସ୍ୟରେ ପରମ ଅଖଣ୍ଡ ବିଶ୍ୱାସରେ ଅଧିଷ୍ଠିତ । ଗୋଲାକାର ଦାରୁ ବିଗ୍ରହର ଅନୁପମ ରୂପ ଓ ମହିମା ଚିରକାଳ ଆମକୁ ବାନ୍ଧି ରଖିଆସିଛି ।ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଛି ଶୃଙ୍ଖଳା, ଶାନ୍ତି ଓ ସଦ୍ଭାବନା ପାଇଁ । ପ୍ରଭୁ ଆଶିଷ ଦିଅନ୍ତୁ ତାଙ୍କର ଏହି ଦିବ୍ୟ ଯାତ୍ରା ନିର୍ବିଘ୍ନରେ, ତାଙ୍କରି କରୁଣାରେ ସମାପନ ହେଉ ଜଗତବାସୀଙ୍କର ମଙ୍ଗଳ କାମନା କରି ସେହି ଜଗନ୍ନାଥଙ୍କୁ ଏଇ ବିନମ୍ର ପ୍ରାର୍ଥନା । ଆମରି ପରମ୍ପରାନୁକ୍ରମେ ଅଗଣିତ ଭକ୍ତ କବିଙ୍କ କଣ୍ଠରୁ ଝରି ଆସିଛି ପ୍ରଭୁଙ୍କ ମହିମା ବର୍ଣ୍ଣିତ କେତେ କେତେ ପ୍ରାର୍ଥନାର ସ୍ତବ, ଭଜନ ଓ କବିତା । ଆଜି ତାଙ୍କରି ଏହି ପବିତ୍ର ଉତ୍ସବରେ ତାଙ୍କରି ଶ୍ରୀରଙ୍ଗା ଚରଣ ତଳେ ଅର୍ପଣ କରୁଛୁ ଆମରି ସେହି ପ୍ରଣମ୍ୟ କବିଗଣଙ୍କର କିଛି ଗୀତ ଓ କବିତା । ଆଶା କରୁଛୁ ଆମରି ସୁଧୀ ପାଠକେ ଏହାକୁ ସାଦରେ ଗ୍ରହଣ କରିବେ ।
ଡ.ବିଜୟଲକ୍ଷ୍ମୀ ଭୂୟାଁ
ମୋ:  ୯୮୬୧୩୫୫୬୨୮