ସାହିତ୍ୟ ବିଶାରଦ ଡ.କୁଞ୍ଜବିହାରୀ
ଡ.କୁଞ୍ଜବିହାରୀ ତ୍ରିପାଠୀ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରବୀଣ ଅଧ୍ୟାପକ ଓ ଗବେଷକ । ତାଙ୍କ ଆନ୍ତରିକ ନିଷ୍ଠା ଓ ଉଦ୍ୟମ ବଳରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ମାନଙ୍କରେ ଓଡ଼ିଆ ବିଭାଗର ସମ୍ମାନ ରକ୍ଷା ହୋଇପାରିଥିଲା । କୁଞ୍ଜବିହାରୀଙ୍କ ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା ବାଙ୍କୀ ଅନ୍ତର୍ଗତ ବରପଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ । ତାହା ପରେ ବାଙ୍କୀ ଉଚ୍ଚ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟ । ପରେ ପାଟନା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୩୮ରେ ରେଭେନ୍ସାରେ ସଂସ୍କୃତ ବିଭାଗୀୟ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ଛଅ ଦଶନ୍ଧି ଧରି ସେ ଅଧ୍ୟାପନା ଓ ଗବେଷଣାରେ ମନୋନିବେଶ କରିଥିଲେ । ୧୯୬୮ରେ ସରକାରୀ ଚାକିରିରୁ ଅବସର ନେବା ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ । ଡ.ତ୍ରିପାଠୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଥମ ମୁଖ୍ୟ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦିର ଅଧ୍ୟୟନ ଗବେଷଣା କ୍ଷେତ୍ରରେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗିତ କରିଥିଲେ । ସେ ଥିଲେ କବିପ୍ରାଣର ମଣିଷ । ମଧ୍ୟଯୁଗୀୟ ଶୈଳୀରେ ଛନେ୍ଦାବଦ୍ଧ କବିତା ଲେଖି ଯାଇଛନ୍ତି । ମାଦଳା ପାଞ୍ଜିର ସଂପାଦନା ଦାୟିତ୍ୱ ତୁଲାଇଥିଲେ । ଓଡ଼ିଆ ଭାଷା ସାହିତ୍ୟକୁ ଡକ୍ଟର କୁଞ୍ଜବିହାରୀଙ୍କ ଅବଦାନ କାଳ କାଳକୁ ଅବିସ୍ମରଣୀୟ ହୋଇ ରହିବ । ସେ ତାଙ୍କ ରଚନାରେ ସବୁବେଳେ ଓଡ଼ିଆ ଭାଷାର ଲୁପ୍ତାଭିମୁଖୀ ଅନେକ ଶବ୍ଦର ପ୍ରୟୋଗ କରି ତାର ଗୁରୁତ୍ୱ ବଢ଼ାଇବାକୁ ସମର୍ଥ ହୋଇଥିଲେ । ପିଲାବେଳୁ ସଂଘର୍ଷମୟ ଓ ପ୍ରତିକୂଳତା ତାଙ୍କ ସାହିତ୍ୟ ସାଧନାର ବାଟ ଅବରୋଧ କରିନଥିଲା । ପରବର୍ତ୍ତୀ ସମୟରେ ସେ ଅନେକ ଭାଷା ସାହିତ୍ୟକୁ ଦୁର୍ବଳତା ରଖିଥିବା ଛାତ୍ରଛାତ୍ରୀଙ୍କୁ ସେ ଅଯାଚିତ ସାହାଯ୍ୟ କରି ସେମାନଙ୍କୁ ସମାଜରେ ପ୍ରତିଷ୍ଠା କରିବାରେ ତାଙ୍କର ଗୁରୁ ଦାୟିତ୍ୱ ଥିଲା । ସାହିତ୍ୟ ଆଲୋଚନା ଓ ଗବେଷଣାରେ ତାଙ୍କର ନିଷ୍ଠା ଦେଖି ପୁରୀର ଗଜପତି ମହାରାଜା ଶ୍ରୀ ବୀରକିଶୋର ଦେବ ତାଙ୍କୁ ସାହିତ୍ୟ ବିଶାରଦ ଉପାଧି ପ୍ରଦାନ କରିଥିଲେ । ୧୯୧୧ ସେପ୍ଟେମ୍ବର ୪ ତାରିଖ ଦିନରେ ବାଙ୍କୀ ଥାନା ଅନ୍ତର୍ଗତ ଅଧୀନସ୍ଥ ପଥୁରିପନା ଗ୍ରାମରେ ସେ ଜନ୍ମ ହୋଇଥିଲେ ।
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦