୮ ଦିନିଆ ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ ଓ ତିନି ସହଯୋଗୀ, ନିଲମ୍ବିତ ହେଲେ ସନ୍ଦୀପ
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଗତକାଲି ସିବିଆଇ ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଥିଲା । ଦୁର୍ନୀତି ମାମଲାରେ ସନ୍ଦୀପଙ୍କ ବ୍ୟତୀତ ଆଉ ୩ ଜଣଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ସେମାନେ ବିପ୍ଳବ ସିଙ୍ଘା, ସୁମନ ହାଜରା ଓ ଅଫସର ଅଲୀ ଖାନ । ଗିରଫ ପରେ ଆଜି ସମସ୍ତଙ୍କୁ କୋଲକାତା ସ୍ଥିତ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଏହାପରେ ସମସ୍ତଙ୍କୁ ୮ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ ପୁଣି କୋର୍ଟରେ ହାଜର କରାଯିବ ।
ଆଜି ସିବିଆଇ ସମସ୍ତଙ୍କୁ କୋର୍ଟରେ ହାଜର କରିବା ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ହେଲେ କୋର୍ଟ ୮ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଅଫସର ଅଲୀ ଖାନ ଜାମିନ ପାଇଁ ମଧ୍ୟ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ତେବେ ଅନ୍ୟ ୩ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରି ନାହାନ୍ତି । ଅଲୀ ହେଉଛନ୍ତି ସନ୍ଦୀପ ଘୋଷଙ୍କ ପୂର୍ବତନ ବଡିଗାର୍ଡ । ସେ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲୀଙ୍କୁ ଧମକ ଦେଇଥିଲେ । ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା । ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି । ଅଗଷ୍ଟ ୯ରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ଡାକ୍ତରୀ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା । ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖାଯାଇଥିଲା । ଘଟଣାର ପରେ ସନ୍ଦୀପ ଘୋଷ ଅଗଷ୍ଟ ୧୨ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ପଶ୍ଚିମବଙ୍ଗ ସରକାର ତୁରନ୍ତ କୋଲକାତା ନେସନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ । ଏହାକୁ ଡାକ୍ତର ଶିକ୍ଷାର୍ଥୀମାନେ ବିରୋଧ କରିଥିଲେ । କଲିକତା ହାଇକୋର୍ଟ ମଧ୍ୟ ଏପରି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଏଥିଯୋଗୁ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା ।
ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ତାଙ୍କୁ ଆଜି ବେଙ୍ଗଲର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଆର୍ଥିକ ହେରଫେରର ଅଭିଯୋଗ ଆସିଥିଲା । ଏହି ମାମଲାରେ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା । ତାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧଛି ।