ଚିଲିକାରେ ଡଲଫିନ ଗଣନା ଆରମ୍ଭ
ଚିଲିକା: : ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍ଫିନ୍ ଗଣନା ଆରମ୍ଭ ହୋଇଛି । ଚିଲିକାରେ ଦେଖା ଯାଉଥିବା ଇରାୱାଡି ଡଲ୍ଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍ର ଗଣନା କରାଯାଉଛି । ଏଥିପାଇଁ ସାତପଡ଼ା ରେଞ୍ଜରେ ୮ ଟି ଟିମ୍ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ୧୦ଟି ଟିମ୍ ମୋଟ୍ ୧୮ଟି ଟିମ୍ ଗଠନ ହୋଇଛି । ଗଣନା ପାଇଁ ପ୍ରତି ଟିମ୍ରେ ୫ରୁ ୬ ଜଣ ଗଣନାକାରୀଙ୍କ ସହିତ ଗବେଷକ ଓ ରସର୍ଚ୍ଚ ପର୍ସନ ଅଛନ୍ତି । ଏଥିରେ ୧୮ଟି ଡଙ୍ଗା ନିୟୋଜିତ ହୋଇଛି । ଏହି ଗଣନା ପାଇଁ ଶହେରୁ ଊଦ୍ଧ୍ୱର୍ ଗଣନାକାରୀ ନିୟୋଜିତ ହୋଇଛନ୍ତି । ଏହି ଗଣନା କାର୍ଯ୍ୟରେ ସିଡିଏର ରିସର୍ଚ୍ଚ ପର୍ସନ ଏବଂ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କ ସହିତ ବିଭିନ୍ନ ବନ୍ୟପ୍ରାଣୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା, ପରିବେଶବିତ୍ ଓ ଗବେଷକ ସାମିଲ ହୋଇଛନ୍ତି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି । ୩ ଦିନ ଧରି ଏହି ଗଣନା କାର୍ଯ୍ୟ କରାଯିବ । ଅର୍ଥାତ ୨୦, ୨୧ , ୨୨ ତାରିଖ ପର୍ଯ୍ୟନ୍ତ ଏହି ଡଲ୍ଫିନ୍ ଗଣନା କାର୍ଯ୍ୟ କରାଯିବ । ସକାଳ ୬ଟା ଦିବା ୧୨ଟା ପର୍ଯ୍ୟନ୍ତ ଏହି ଡଲ୍ଫିନ୍ ଗଣନା କରାଯିବ । ଗଣନା ସମୟରେ ଏପରିକି ଡଲ୍ଫିନ୍ ଚଳପ୍ରଚଳ କରୁଥିବା ସ୍ଥାନରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇବା ସହିତ ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ଡଲ୍ଫିନ୍ ଗଣନା କରୁଛି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ । ଜିପିଆର୍ ଟ୍ରାକ୍ରେ ବାଇନକୁଲାର୍ ଦ୍ୱାରା ଏହି ଗଣନା କରାଯାଉଛି । ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସିଡିଏର ସହଯୋଗରେ ଏହି ଇରାୱାଡି ଓ ବଟଲ ନୋଜ ପ୍ରଜାତିର ଡଲ୍ଫିନ୍ ଗଣନା କରାଯାଉଛି ବୋଲି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ)ର ଡିଏଫ୍ଓ ଅମ୍ଲାନ କୁମାର ନାୟକ କହିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୨୧ରେ ଚିଲିକାରେ ୧୬୨ଟି ଇରାୱାଡି ଡଲ୍ଫିନ୍ ଏବଂ ୨୬ଟି ବଟଲ-ନୋଜ ଡଲ୍ଫିନ ଥିବା ଚିହ୍ନଟ ହୋଇଥିଲା । ସେହିପରି ୨୦୨୨ରେ ଚିଲିକାରେ ୧୫୧ଟି ଇରାୱାଡି ଡଲ୍ଫିନ୍ ଏବଂ ୧୬ଟି ବଟଲ-ନୋଜ ଡଲ୍ଫିନ୍ ଥିବା ଚିହ୍ନଟ ହୋଇଥିଲା । ୨୦୨୩ରେ ଚିଲିକାରେ ୧୫୪ଟି ଇରାୱାଡି ଡଲ୍ଫିନ୍ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍ଫିନ୍ ଥିବା ଚିହ୍ନଟ ହୋଇଥିଲା । ଏବଂ ୨୦୨୪ରେ ଚିଲିକାରେ ୧୫୫ଟି ଇରାୱାଡି ଡଲ୍ଫିନ୍ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍ଫିନ୍ ଥିବା ଚିହ୍ନଟ ହୋଇଥିଲା ।