ବଲାଙ୍ଗୀର ଜିଲ୍ଲାର ଶାକ୍ତ ଉପାସନା ଓ ପ୍ରାଚୀନ ଶାକ୍ତ ପୀଠ
Bolangir Durga Puja
ତନ୍ତ୍ର ଶାସ୍ତରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିପାରିଥିବାରୁ ପାଟଣା ରାଜ୍ୟ ‘କାଉଁରୀ ପାଟଣା’ ନାମରେ ପ୍ରଖ୍ୟାତ ଥିଲା । ପାଟଣା ରାଜ୍ୟର ସପ୍ତକୁମାରୀ ତନ୍ତ୍ର ବିଦ୍ୟାରେ ସିଦ୍ଧିଲାଭ କରିଥିଲେ । କାଉଁରୀ ବିଦ୍ୟାରେ ଦକ୍ଷତା ଲାଭ କରିଥିବା ସପ୍ତା ସାଧିକାମାନଙ୍କ ପାଇଁ ପାଟଣା ରାଜ୍ୟ କାଉଁରୀ ପାଟଣା ନାମରେ ସୁପରିଚିତ ଥିଲା, ଯାହାକି ଜନଶ୍ରୁତି ଶୁଣାଯାଏ । ଜ୍ଞାନ ଦେଇ ମାଲୁଣୀ, ନତାଇ ଧୋବଣୀ, ଲୁହାକୁଟୀ ଲହୁରୁଣୀ, ଶୁକୁଟି ଚୁମାରୁଣୀ ପତ୍ର ପିନ୍ଧି ସଉତୁଣୀ, ଗାଙ୍ଗୀ ଗଉଡ଼ୁଣୀ ଓ ଶୁଆ ତେଲୁଣୀ ପାଟଣା ରାଜ୍ୟରେ ନାରୀ ଶକ୍ତିର ପ୍ରାଧାନ୍ୟ ବୃଦ୍ଧି କରିପାରିଥିଳେ । ଗଜପତି କପିଳେନ୍ଦ୍ର ଦେବ ସପ୍ତ କୁମାରୀମାନଙ୍କ ମଧ୍ୟରୁ ଜଣକୁ ନିଜର ଗୁରୁ ରୂପେ ଗ୍ରହଣ କରିଥିଲେ ।
ବଲାଙ୍ଗୀର ଜିଲ୍ଲାର ଅନ୍ୟ ଏକ ପ୍ରାଚୀନ ଶାକ୍ତ ପୀଠ ରୂପେ ଧାର୍ମିକ ଇତିହାସରେ ପାଟଣାଗଡ଼ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏହି ପବିତ୍ର ପୀଠରେ ଦେବୀ ପାଟଣେଶ୍ୱରୀ ସତୃଷ୍ଣା ନୟନରେ ବିରାଜିତା । ବଲାଙ୍ଗୀର ପାଟଣା ଚୌହାନ ରାଜବଂଶର ଇଷ୍ଟଦେବୀ ପାଟଣେଶ୍ୱରୀ । ପାଟଣାଗଡ଼ ୧୮୭୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପାଟଣା ଚୌହାନ ରାଜବଂଶର ମୁଖ୍ୟ ରାଜନୈତିକ କେନ୍ଦ୍ର ରୂପେ ଖ୍ୟାତି ଅର୍ଜନ କରିଥିଲା । ସ୍ୱର୍ଣ୍ଣରେଖା ଓ ଏହାର ଉପନଦୀ ମାୟା ଦ୍ୱାରା ପାଟଣାଗଡ଼ ପରିବେଷ୍ଟିତ । ପାଟଣାଗଡ଼ ସହର ତକ୍ରାଳୀନ ସମୟରେ ରାଜନୈତିକ ଦୃଷ୍ଟିକୋଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ପାଟଣା ରାଜ୍ୟରେ ଚୌହାନ ରାଜବଂଶର ପ୍ରତିଷ୍ଠାତା ରମାଇ ଦେବ ଦେବୀ ପାଟଣେଶ୍ୱରୀଙ୍କ ନିମନ୍ତେ ପାଟଣାଗଡ଼ରେ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ କରିଥିଲେ । ପ୍ରତିବର୍ଷ ଆଶ୍ୱିନ ମାସରେ ଦେବୀଙ୍କର ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ । କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ପୂଜା ଦେବୀ ପାଟେଣେଶ୍ୱରଙ୍କ ପୀଠରେ ମହାଆଡ଼ମ୍ବର ସହକାରେ ପାଳିତ ହୁଏ । ଏହି ଷୋହଳ ପୂଜାରେ ପାଟଣାଗଡ଼ର ପ୍ରଥମ ଚୌହାନ ବଂଶୀୟ ରାଜା ରମାଇ ଦେବଙ୍କ ଖଣ୍ଡା ପୂଜା କରାଯାଏ । ଏକ ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଜା ମାଧବ ଚନ୍ଦ୍ର ଦେବ ଗଣ୍ଡା ଶିକାର ଉଦ୍ଦେଶ୍ୟରେ ‘ବୁଠିକୁ ଡେଇଁ” ଅରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ । କିନ୍ତୁ କୌଣସି ଶିକାର ନପାଇ ଏକ ଆମ୍ର ବୃକ୍ଷମୂଳରେ ରାଜା ବିଶ୍ରାମ ନେଉଥିବା ସମୟରେ ଦେବୀ ବନଦୁର୍ଗା ତାଙ୍କୁ ଶୂନ୍ୟବାଣୀ କରିଥିଲେ । ଦେବୀ ବନଦୁର୍ଗା ରାଜଧାନୀ ପତ୍ତନଗଡ଼ରେ ଇଷ୍ଟଦେବୀ ରୂପେ ପୂଜା ପାଇବା ପାଇଁ ରାଜାଙ୍କୁ ଆଦେଶ ଦେଲେ । ରାଜା ମାଧବ ଚନ୍ଦ୍ର ଦେବୀଙ୍କୁ ପତ୍ତନଗଡ଼ରେ ସ୍ଥାପନ କଲେ । କାଳକ୍ରମେ ପତ୍ତନଗଡ଼ ପାଟଣାଗଡ଼ ନାମରେ ଓ ଦେବୀ ବନଦୁର୍ଗା ପାଟଣେଶ୍ୱରୀ ନାମରେ ଖ୍ୟାତ ହେଲେ । ଆଶ୍ୱିନ ଶୁକ୍ଳପକ୍ଷ ନବମୀ ଦିନ ଦେବୀ ବରୁଆ ଶରୀରରେ ପ୍ରବେଶ କରି ନଗରୀ ପରିକ୍ରମା କରିଥାନ୍ତି ।