ବାଲେଶ୍ୱରକୁ ମହାନଗର ନିଗମରେ ପରିଣତ ପାଇଁ ଦାବି
ବାଲେଶ୍ୱର: ରାଜ୍ୟର ସର୍ବପୁରାତନ ପୌରପାଳିକା ହେଉଛି ବାଲେଶ୍ୱର । ଜନସଂଖ୍ୟା ୨ଲକ୍ଷକୁ ଟପିଲାଣି । ପୌରାପାଳିକାର ସୀମା ୩୧ଟି ୱାର୍ଡ ମଧ୍ୟରେ ସୀମିତ ଥିଲେ ବି ସହରାଞ୍ଚଳର ଦ୍ରୁତ ଅଭିବୃଦ୍ଧି ଘଟିଛି । ପୌରାଞ୍ଚଳ ସଂଲଗ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକେ ନାମକୁ ମାତ୍ର ପଞ୍ଚାୟତରେ ରହୁଥିଲେ ବି ସହରର ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି । ମାତ୍ର ପୌରାଞ୍ଚଳର କ୍ଷେତ୍ରଫଳ ବଢୁନଥିବାରୁ ସଂଖ୍ୟାଧିକ ସରକାରୀ ଯୋଜନା କାର୍ଯ୍ୟକାରୀ ହେବାରେ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ନୂତନ ଭାବେ ପୌରାଞ୍ଚଳର ସୀମା ନିର୍ଦ୍ଧାରଣ ସହ ବାଲେଶ୍ୱରକୁ ମହାନଗର ନିଗମରେ ରୁପାନ୍ତରିତ ପାଇଁ ସାଧାରଣରେ ବାରମ୍ବାର ଦାବି ହୋଇ ଆସିଛି । ଏହି ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହିତ ତ୍ୱରିତ ପଦକ୍ଷେପ ପାଇଁ ସଦର ବିଧାୟକ ମାନସ କୁମାର ଦତ୍ତ ବିଧାନସଭାର ଶୂନ୍ୟକାଳରେ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଅନେକ ଥର ଏ ନେଇ ପ୍ରତିଶ୍ରୁତି ମିଳିଥିଲେ ବି ତାହା ବାସ୍ତବ ରୂପ ନେବାରେ ବିଫଳ ହୋଇଛି । ପୂର୍ବରୁ ରାଜ୍ୟ ସରକାର ଏକାଧିକ ସହରକୁ ମହାନଗର ନିଗମ ଭାବେ ମାନ୍ୟତା ଦେଇଥିବାବେଳେ ମାନଦଣ୍ଡ ପୂରଣ ହେଉନଥିବା କାରଣରୁ ବାଲେଶ୍ୱର ପୌରାପାଳିକା ଏଥିରୁ ବଞ୍ଚôତ ରହିଯାଇଥିଲା । ସମ୍ପ୍ରତି ମହାନଗର ନିଗମ ମାନ୍ୟତା ପାଇବାକୁ ଆବଶ୍ୟକୀୟ ସମସ୍ତ ମାନଦଣ୍ଡକୁ ବାଲେଶ୍ୱର ପୌରପାଳିକା ପୂରଣ କରୁଛି । ଏ ଦିଗରେ ପ୍ରାଥମିକ ବିବରଣୀ ସରକାରଙ୍କୁ ପ୍ରଦାନ କରାଯାଇଛି । ସାମ୍ପ୍ରତିକ ସମୟର ଆବଶ୍ୟକତା, ଲୋକଙ୍କ ଦାବି ସହିତ ନିୟମ ଭିତ୍ତିରେ ବାଲେଶ୍ୱର ପୌରପାଳିକାକୁ ମହାନଗର ନିଗମରେ ପରିଣତ ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ଦତ୍ତ ଦାବି ଜଣାଇଛନ୍ତି ।