ଶ୍ରୀକ୍ଷେତ୍ରର ବିମଳା ପୀଠ
Shreekhetra
ଓଡ଼ିଶାର ବଡ଼ଠାକୁର ତଥା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପୀଠରେ ମହାମୟୀ ବିମଳାଙ୍କ ପୀଠ ଅବସ୍ଥିତ । ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରରେ ମା’ ବିମଳାଙ୍କ ଷୋହଳ ଦିନ ପୂଜା ସମଗ୍ର ଭାରତବର୍ଷରେ ବିରଳ । ଏକାଧାରରେ ଏହି ପୀଠକୁ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର କେନ୍ଦ୍ର ପୀଠସ୍ଥଳୀ ବୋଲି କୁହାଯାଇଥାଏ । ଶାରଦୀୟ ଷୋହଳ ଦିବସୀୟ ପୂଜାରେ ମା’ ବିମଳା ମହାପ୍ରଭୁ ପରଂବ୍ରହ୍ମ ପରମେଶ୍ୱର ଶ୍ରୀଜଗନ୍ନାଥଙ୍କ ସହିତ ଦୁର୍ଗା ମାଧବ ନାମରେ ପୂଜା ପାଆନ୍ତି । ଏଠାରେ ରାଧାରାଣୀ ଦୁର୍ଗା (ବିମଳା ବା ସୁଭଦ୍ରା)ଙ୍କ ସହ କୃଷ୍ଣରୂପୀ (ମାଧବ ବା ଶ୍ରୀଜଗନ୍ନାଥଙ୍କୁ) ପରିକଳ୍ପନା କରାଯାଇ ପୂଜା କରାଯାଉଅଛି । ଆଉ ମଧ୍ୟ କାଳିକା ପୁରାଣରେ ଉଡ୍ଡୀୟାନ ପୀଠର ଭୈରବୀ ବିମଳା ଓ ଭୈରବ ନୀଳାଚଳ ଶ୍ରୀଜଗନ୍ନାଥଙ୍କୁ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମା’ ବିମଳାଙ୍କ ପାଖକୁ ଅଣାଯାଇ ପୁନର୍ବାର ମା’ଙ୍କ ପାଖରେ ସମର୍ପିତ ହେଲେ, ତାହା ମହାପ୍ରସାଦ ହୋଇଥାଏ । ବିମଳାଙ୍କ ନିକଟରେ ଷୋହଳ ଦିନ ପୂଜାରେ କୋଠଭୋଗ, ପିଠା, ଖେଚେଡି ଇତ୍ୟାଦି ଷୋଡଶ ଉପଚାରରେ ପବିତ୍ର ପରମ୍ପରା ସହିତ ପୂଜା କରାଯାଇଥାଏ । ମା’ଙ୍କ ନିକଟରେ କୌଣସି ମାନସିକ ବଳି ପଡେ଼ ନାହିଁ । ବଳି ସବୁ କାକୁଡ଼ି ଖାଇ ଠାକୁରାଣୀଙ୍କ ପାଖରେ ପଡ଼ିଥାଏ । ଯେହେତୁ ମା’ ବିମଳାଙ୍କ ପୀଠ ବିଶ୍ୱର ଏକ ଆଧ୍ୟାତ୍ମିକ ଧାମ ତଥା ପବିତ୍ର ଧର୍ମ ପୀଠ ନାମରେ ସୁବିଦିତ, ତେଣୁ ଏହାର ଦୈନନ୍ଦିନ ପୂଜା ପଦ୍ଧତି ଓ ଶାରଦୀୟ ପୂଜାର ରୀତିନୀତି, ମେଳା, ମହୋତ୍ସବ, ପରମ୍ପରା ଓ ସଂସ୍କୃତିର ଐତିହ୍ୟ ଅତି ମହାନ୍ ଓ ପବିତ୍ର ଅଟେ ।