ବଲାଙ୍ଗୀରର ଦ୍ୱାରସେନୀ ପୀଠରେ ଦୁର୍ଗାପୂଜା
Dwarseni Pitha DurgaPuja
ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲାରେ ଦେବୀ ଦ୍ୱାରସେନୀଙ୍କ ପୀଠ ଅବସ୍ଥିତ ବଲାଙ୍ଗୀର ଜିଳ୍ଲା ଶାକ୍ତ ପରମ୍ପରାର ଅନ୍ୟ ଏକ ମହନୀୟ ନିଦର୍ଶନ । ଏଠାରେ ଦ୍ୱାରସେନୀ ଦେବୀଙ୍କୁ ମହାଦୁର୍ଗା, ତାଙ୍କ ସ୍ୱାମୀ ବୁଢ଼ା ରାଜାଙ୍କୁ ଭୈରବ ଏବଂ ଛତର ବାଇତିଙ୍କୁ ମହାକାଳୀ ରୂପେ ଆରାଧନା କରାଯାଏ ।
ଦ୍ୱାରସେନୀ ଦେବୀଙ୍କ ଆବିର୍ଭାବ ସମ୍ପର୍କରେ ଏକ ଲୋକପ୍ରିୟ କିମ୍ବଦନ୍ତୀ ଅଛି । ତ୍ରେତୟା ଯୁଗରେ ଲଙ୍କା ଦେବୀ ହନୁମାନ ଦ୍ୱାରା ଅପମାନିତ ହୋଇ ସିନ୍ଧେକେଲା ରାଜ୍ୟରେ ଆସି ଅବସ୍ଥାନ କଲେ । ସିନ୍ଧେକେଲା ରାଜ୍ୟର ଜଣେ ଶବର ଶିକାର ଖୋଜୁଥିବା ସମୟରେ ଜଣେ ବୃଦ୍ଧାଙ୍କ ସହିତ ସାକ୍ଷାତ ହେଲା । ସେହି ବୃଦ୍ଧା ଥିଲେ ଦ୍ୱାରସେନୀ ଦେବୀ । ବୃଦ୍ଧାଙ୍କ ଅନୁରୋଧରେ ଶବର ସେଠାରେ ଦେବୀଙ୍କ ପାଇଁ ଗୋଟିଏ କୁଟୀର ନିର୍ମାଣ କଲେ । ସିନ୍ଧେକେଲାର ଧର୍ମପରାୟଣ, ନୀତିନିଷ୍ଟ, ତଥା ପ୍ରଜାନୁରଞ୍ଜନ ରାଜା ବେଣୁଙ୍କୁ ଦେବୀ ଦ୍ୱାରସେନୀ ସ୍ୱପ୍ନରେ ଦୃଶ୍ୟ ହେଲେ । ରାଜା ବେଣୁ ତା’ପରଦିନ ଦେବୀଙ୍କର ଦର୍ଶନ ଲାଭ କଲେ । ଦେବୀ ଲଙ୍କାର ଦକ୍ଷିଣ ଦ୍ୱାରରେ ଅବସ୍ଥାନ କରୁଥିବାରୁ ରାଜା ବେଣୁ ତାଙ୍କୁ ଦ୍ୱାରସେନୀ ନାମରେ ଅଭିହିତ କଲେ । ଦେବୀ କନ୍ଧ ରାଜାଙ୍କ ପୂଜା ଆରାଧନାରେ ସନ୍ତୁଷ୍ଟ ନହେବାରୁ ସ୍ୱପ୍ନାଦେଶ ଅନୁଯାୟୀ ପାଟଣାର ଚୌହାନ ଗଡ଼ତିୟା ବିଶ୍ୱନାଥ ସିଂହ ଦେଓ ଦେବୀଙ୍କର ସେବା କାର୍ଯ୍ୟରେ ନିଯୁକ୍ତି ପାଇଲେ । ଦେବୀଙ୍କୁ ଉଭୟ ସାତ୍ତ୍ୱିକ ଓ ତାନ୍ତ୍ରିକ ରୀତିରେ ପୂଜା କରାଯାଏ । ଦ୍ୱାରସେନୀ ଦେବୀଙ୍କର ମୁଖ୍ୟ ପର୍ବ ଦଶହରାରେ ପାଳନ କରାଯାଏ । ଦ୍ୱାରସେନୀ ଦେବୀଙ୍କର ମୁଖ୍ୟ ଯାତ୍ରା ଦ୍ୱାରସେନୀ ଓ ବୁଢ଼ା ରାଜାଙ୍କ ମଧ୍ୟରେ ବିବାହ ପର୍ବ । ଦ୍ୱାରସେନୀ ଦେବୀଙ୍କୁ ବିବାହ ପରେ ସେହି ବରୁଆ ଶରୀରରେ ଦ୍ୱାରସେନୀ ଆବିର୍ଭାବ ହୋଇ ବୋହୂ ଭାବରେ ସିନ୍ଧେକେଲା ଆସନ୍ତି । ଦ୍ୱାରସେନୀ ଦେବୀଙ୍କର ପ୍ରତୀକ ଭାବରେ ଯୋନି ବା ବଦନର ପୂଜା ଏ ପୀଠର ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା । ଦଶହରା ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏଠାରେ କୌଣସି ବଳି ଦିଆଯାଏ ନାହିଁ ।