ବାବୁଙ୍କ କ୍ୱାର୍ଟର ଲୋଭ : ଅବସର ପରେ ବି ମାଡ଼ି ବସିଛନ୍ତି

OFFICER

ବାବୁଙ୍କ କ୍ୱାର୍ଟର ଲୋଭ : ଅବସର ପରେ ବି ମାଡ଼ି ବସିଛନ୍ତି

କେବେ ବିଦା କରିବେ ନୂଆ ସରକାର ?
କନକ ଓ ସୁରେଶଙ୍କ ଡରରେ ଛାନିଆ

ଭୁବନେଶ୍ୱର : ମୋଟା ଅଙ୍କର ଦରମା ପାଉଥିଲେ  । ଭୁବନେଶ୍ୱର ଛାତି ଉପରେ ବଡ଼ ବଡ଼  ମହଲ ବି କରିଛନ୍ତି  । ତଥାପିବି କ୍ୱାର୍ଟର ଲୋଭ ଛାଡୁନାହିଁ  । ଅବସରର ଅନେକ ବର୍ଷ ପରେବି କ୍ୱାର୍ଟର ମାଡ଼ି ବସିଛନ୍ତି  । ମାଗଣା ବିଜୁଳି, ମାଗଣା ପାଣିର ମୋହ ଏବେବି ଯାଇନାହିଁ  । ସରକାରୀ ବିଧି ବିଧାନକୁ ଚୁଲିରେ ପୋଡ଼ି ଦେଇଛନ୍ତି  । ଏଥିପାଇଁ ସରକାରଙ୍କୁ ଯେତିକି ପ୍ରାପ୍ୟ ଦେବା କଥା ତାହା ବି ଦେଉନାହାନ୍ତି  । ଧଳାହାତୀଙ୍କ ଏଇ କ୍ୱାର୍ଟର ଲୋଭକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଜୋରଧରିଛି  । ତେବେ ନୂଆ ସରକାର ସେମାନଙ୍କୁ କ୍ୱାର୍ଟରରୁ ବିଦା କରିବେ ନା ନିଜ ମାନ ମହତ ରଖିବାକୁ ବାବୁମାନେ କ୍ୱାର୍ଟର ଛାଡ଼ିବେ ସେନେଇ ରୋଚକ ଆଲୋଚନା ଚାଲିଛି  ।

ବିଜେଡ଼ି ସରକାର ଥିଲା ବାବୁମାନଙ୍କ ଅମରାବତୀ  । ଚାକିରୀ ସରିବା ପରେ ବି ବାବୁମାନେ ପୂର୍ବଭଳି ପତିଆରା ଜାରି ରଖୁଥିଲେ  । ସତେଯେମିତି ବାବୁମାନଙ୍କୁ ମିଳିଥିଲା ଇଚ୍ଛାମୃତ୍ୟୁ  । ସେମାନେ ନଚାହିଁଲେ ପତିଆରା କମୁନଥିଲା  । ପ୍ରଭାବ ବିସ୍ତାର କରି ରାଜଧାନୀର ଛାତି ଉପରେ ଥିବା ବଡ଼ ବଡ଼ କ୍ୱାର୍ଟରଗୁଡ଼ିକୁ ଅକ୍ତିଆରରେ ରଖିଥିଲେ  । ପେନସନ ସହ ଦରମା ବି ପାଉଥିଲେ  । ପ୍ରଦୀପ ମହାପାତ୍ର ହୁଅନ୍ତୁ କି ଗୋପବନ୍ଧୁ ଦାଶ, ତାଙ୍କ ଭଳି ଅନେକ ଅଫିସର ଅବସର ପରେବି ସରକାର ଓ ପ୍ରଶାସନରେ ନିଜର ଦବଦବା ଜାହିର କରି ଆସୁଥିଲେ  । କିଛି ଅଫିସର ନୂଆ ସରକାର ଆସିବା ପରେପରେ ଡରରେ ଚାକିରୀ ଛାଡ଼ି ସାରିଲେଣି  । ଆଉ କିଛି ଅଧିକାରୀଙ୍କୁ ନୂଆ ସରକାର ବଦଳି ବି କରିଦେଲେଣି  । ଏସବୁ ଭିତରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଧମକ କେତେକ ଖାଉଆ ଅଫିସରଙ୍କ ମନରେ ଛନକା ପୂରେଇ ଦେଇଛି  । ପୁରୁଣା ସରକାରଙ୍କ ଅମଳରେ ଯେମିତି କାମ କରୁଥିଲ, ଏବେ ସେମିତି ନକରିବାକୁ କନକ ଚେତାବନୀ ଦେଇଥିବାବେଳେ ସୁରେଶ ମୋଦିଙ୍କ ଷ୍ଟାଇଲରେ ନା ଖାଉଗାଁ, ନା ଖାନେ ଦୁଗାଁ ଡାଇଲଗ ମାରିଛନ୍ତି  । ଫଳରେ ବିଜେଡ଼ି ସରକାର ଅମଳରେ ଗମ୍ଭୀରାରେ ପଶି ଫଳପୁଷ୍ପ ଖାଉଥିବା ଅଫିସରମାନେ ଏବେ ପ୍ରମାଦ ଗଣିବା ଆରମ୍ଭ କଲେଣି  ।