ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଆବାସ ସର୍ଭେ

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଆବାସ ସର୍ଭେ

ଭୁବନେଶ୍ୱର : ଆବାସ ସର୍ଭେକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆବାସ ସର୍ଭେ ହେବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବର୍ତ୍ତମାନ ଏହି ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଥିବା ବେଳେ ପଞ୍ଜୀକରଣକୁ ଆହୁରି ୧୭/୧୮ ଦିନ ବାକି ଥିବାରୁ ଏଥିରେ ଅଧିକ ହିତାଧିକାରୀ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

ଆସନ୍ତା ୩୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିବେ। ତେବେ ଏହି କାର୍ଯ୍ୟକ୍ରମ ପ୍ରଥମେ କଳାହାଣ୍ଡି ଜିଲାରୁ ଆରମ୍ଭ ହେବ। ଏଥିରେ ୫୦ ହଜାର ଲୋକଙ୍କୁ ସରକାର ଯୋଡ଼ିବେ। ଏଥିରେ ଭିନ୍ନକ୍ଷମ, ବିଧବା, ରୋଗରେ ପୀଡ଼ିତ ଯୋଜନାରେ ସାମିଲ ହେବେ। ଶହୀଦ ପରିବାର, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାମିଲ ହୋଇପାରିବେ ବୋଲି ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍‌‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଚିହ୍ନଟ କରାଯିବ। ଏହି ହିତାଧିକାରୀମାନଙ୍କୁ ଆୱାସ ପ୍ଲସ୍‌‌ ମୋବାଇଲ ଆପ୍‌‌ ମାଧ୍ୟମରେ ଚିହ୍ନଟ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ ଓ ଜିଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଜାରି ହୋଇଥିବା ଚିଠିରେ ଦର୍ଶାଯାଇଛି ଯେ ମୋବାଇଲ୍‌‌ ଆପ୍ଲିକେସନ୍‌ ‘ଆୱାସ୍‌‌ ପ୍ଲସ୍‌‌’ ମାଧ୍ୟମରେ ସାନି ସର୍ଭେ କରି ବାଦ୍‌‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସଂଶୋଧିତ ସର୍ତ୍ତାବଳୀ ଆଧାରରେ ସାନି ସର୍ଭେରେ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌‌ ନପଡ଼ିବେ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।