ବିଜେଡ଼ିର ମଙ୍ଗ ଧରିବେ କି ବିଜୁ ପରିବାର?
ElectionResult Biju Janata Dal
ଭୁବନେଶ୍ୱର : ପରିବାର ଭିତରେ ଯେତେ ମନ ଫଟାଫଟି ଥିଲେବି ଦୁଃସ୍ଥିତି ସମୟରେ ସମସ୍ତେ ଏକାଠି ହୋଇଥା’ନ୍ତି । ଏବେ ବିଜୁ ଜନତା ଦଳର ଦୁଃସ୍ଥିତି ସମୟରେ ବିଜୁ ପରିବାର ଏକାଠି ହେବେକି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ନେତାଙ୍କୁ କୋଣଠେସା କରି ବିଜେଡ଼ି ଆଗକୁ ମାଡ଼ି ଚାଲିଥିଲା । କିନ୍ତୁ ବିଜେଡ଼ି ବିଜୟ ରଥରେ ବିଜେପି ବ୍ରେକ କଷିବା ପରେ ଦଳର ଚେତା ପଶିଥିବା କୁହାଯାଉଛି ।
ବିଜେଡ଼ି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜୟ ମହାପାତ୍ର ଓ ଦିଲୀପ ରାୟ । ପ୍ରଥମେ ବିଜୟଙ୍କ ପିଠିରେ ଛୁରା ମରାଯାଇଥିବାବେଳେ ପରେ ଦିଲୀପଙ୍କୁ ବି ଦଳ ତଡ଼ି ଦେଇଥିଲା । ସମ୍ପ୍ରତି ରାଜ୍ୟ ରାଜନୀତିରେ ଏହି ଦୁଇ ନେତା ସକ୍ରିୟ ଅଛନ୍ତି । ବିଜୟ ବାରବାର ହାରିବା ପରେ ଏଥର ନିଜ ପୁଅଙ୍କ ପାଇଁ ବିଜେଡ଼ି ଟିକେଟ ଆଣିବାରେ ସଫଳ ହୋଇଥିଲେ । ସେ ବିଜେଡ଼ିରେ ମିଶିନଥିଲେବି ନବୀନ ପଟ୍ଟନାୟକ ତାଙ୍କ ପୁଅଙ୍କୁ କୋଳେଇ ନେଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ବିଜୟ ପୁଅଙ୍କୁ ଜିତାଇବାକୁ ଖୁବ୍ ଦମ ଲଗାଇଥିଲେ । ସେପଟେ ଦିଲୀପ ରାୟ ମଧ୍ୟ ବିଜେଡ଼ିକୁ ଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଭିକେ ପାଣ୍ଡିଆନଙ୍କ ପାଇଁ ସେ ବିଜେଡ଼ିକୁ ନଯାଇ ପୁଣିଥରେ ବିଜେପିରୁ ହିଁ ଭାଗ୍ୟ ପରଖିଥିଲେ । ଏମିତିକି ପ୍ରଣବ ପ୍ରକାଶ ଦାସ ତାଙ୍କୁ ବିଜେଡ଼ିକୁ ଆସିବା ପାଇଁ ଅନୁରୋଧ କରିଥିଲେବି ପାଣ୍ଡିଆନଙ୍କ କଥା ଉଲ୍ଳେଖ କରି ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଏଥର ସେ ନିର୍ବାଚନରେ ହାରି ଯାଇଛନ୍ତି । ସେହିପରି ମେ’ ୨୯ ଷଡ଼ଯନ୍ତ୍ର ପରେପରେ ପ୍ରଫୁଲ୍ଲ ଘଡେ଼ଇଙ୍କ ଚେର କାଟି ଦେଇଥିଲା ବିଜେଡ଼ି । ସେବେଠାରୁ ସେ ନୀରବରେ ବସି ରହିଛନ୍ତି । ତାଙ୍କ ପୁଅ ରାଜନୀତିରେ ସକ୍ରିୟ ଥିଲେବି ପ୍ରଫୁଲ୍ଲ କିନ୍ତୁ ବିଜେଡ଼ି ରାଜନୀତିର ଧାର ଧରୁନାହାନ୍ତି ।
ବରିଷ୍ଠ ନେତାଙ୍କୁ ଅଣଦେଖା କରି ଅନେକ କନିଷ୍ଠ ବିଜେଡ଼ି ନେତା ଆଗକୁ ମାଡ଼ି ଚାଲିଥିଲେ । ବରିଷ୍ଠଙ୍କୁ ଅପାଂକ୍ତେୟ କରି ରଖାଯାଇଥିଲା । ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥି, ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ରଙ୍କ ଭଳି ଅନେକ ହେଭିୱେଟ ନେତାଙ୍କୁ ବଡ଼ ପଦପଦବୀ ଧରା ଯାଇଥିଲେ ବି ତାଙ୍କ ହାତରେ କିଛି କ୍ଷମତା ହିଁ ନଥିଲା । ଖାଲି ପଦ ବଡ଼ ଥିଲା, କିନ୍ତୁ କ୍ଷମତା ଟିକେ ବି ନଥିଲା । ଟିକେଟ ଆବଣ୍ଟନ ହେଉକି ସଂଗଠନ, ଅବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡ଼ାଯାଉନଥିଲା । ନବୀନ ନିବାସରୁ ଯାହା ଲେଖା ହୋଇ ଆସୁଥିଲା ତାହାକୁ ହିଁ ବେଦର ଗାର ବୋଲି ସେମାନେ ମନେ କରିନେଇଥିଲେ । କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ହାତରେ କ୍ଷମତା ଥିବାବେଳେ ଏହି ନେତାମାନେ ଅସନ୍ତୋଷ ସତ୍ତେ୍ୱ ନୀରବ ରହିବାକୁ ବାଧ୍ୟ ହୋଇଥିଲେ । ଏବେ କିନ୍ତୁ ଧିରେଧିରେ ସମସ୍ତେ ପାଟି ଖୋଲିବା ଆରମ୍ଭ କରିବେ । ଏଭଳି ସ୍ଥିତିରେ ବିଜୁ ପରିବାରକୁ ଏକାଠି କରି ପୁଣି ବିଜେଡ଼ିକୁ ମଜବୁତ କରିବା ପାଇଁ ଗୋଟିଏ ଗୋଷ୍ଠୀ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ବିଜୟ, ଦିଲୀପ, ପ୍ରଫୁଲ୍ଲ, ପ୍ରସନ୍ନଙ୍କ ଭଳି ଅନେକ ନେତାଙ୍କୁ ଦଳ ଏବେ ଡାକି ପରବର୍ତ୍ତୀ ରଣନୀତି କରିବାକୁ ଯୋଜନା କରିଛି ।