ସନ୍ଦୀପ ଘୋଷଙ୍କୁ ହୋଇପାରେ ଫାଶୀ ଦଣ୍ଡାଦେଶ
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଓ ପୂର୍ବତନ ଓଆଇସି ଅଭିଜିତ ମଣ୍ଡଳଙ୍କୁ ହୋଇପାରେ ଫାଶୀ ଦଣ୍ଡାଦେଶ । ସେମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଯଦି ପ୍ରାମଣିତ ହୁଏ, ତାଙ୍କୁ ମୃତୁ୍ୟଦଣ୍ଡ ମଳିପାରେ । ଆରଜି କର ମେଡିକାଲ କଲେଜରେ ଘଟିଥିବା କୁକର୍ମ ଓ ହତ୍ୟା ଘଟଣାର ଶୁଣାଣି କରିବା ସମୟରେ ଏପରି କହିଛି ସିବିଆଇ କୋର୍ଟ । ଏହି ମାମଲାରେ ମାଜିଷ୍ଟ୍ରେଟ ଶିବାଷିସ ଦେ’ ଲେଖିଥିବା ନିଦେ୍ର୍ଦଶର କପି ଏବେ ସାମ୍ନାକୁ ଆସିଛି । ସେ କହିଛନ୍ତି, ସିବିଆଇର ତଦନ୍ତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସନ୍ତା ସୋମବାର ଯାଏ ଘୋଷ ଓ ମଣ୍ଡଳ ସିବିଆଇ ହେପାଜତରେ ରହିବେ । ଅଭିଯୋଗ ଗୁଡିକର ପ୍ରକୃତି ଓ ଗଭୀରତା ଅତ୍ୟନ୍ତ ସାଂଘାତିକ । ଯଦି ସବୁ ଅଭିଯୋଗ ପ୍ରମାଣିତ ହୋଇଯାଏ, ତା’ହେଲେ ସେମାନଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇ ପାରେ ବୋଲି ଶ୍ରୀ ଦେ କହିଛନ୍ତି ।
ଅନ୍ୟପଟେ ଘୋଷଙ୍କ ଓକିଲ ଜୋହୈବ ରୌଫ ଦାବି କରିଛନ୍ତି ଯେ, ତାଙ୍କ କ୍ଲାଇଣ୍ଟଙ୍କୁ ମହିଳା ଡାକ୍ତରଙ୍କ କୁକର୍ମ ଓ ହତ୍ୟା ଘଟଣାରେ ଫସାଇ ଦିଆଯାଇଛି । ସେହିପରି ମଣ୍ଡଳଙ୍କ ଓକିଲ ଆର୍ଯ୍ୟନ ଭଟ୍ଟାଚାର୍ଯ୍ୟୟ କହିଛନ୍ତି ଯେ ସିବିଆଇ ଏକାଧିକ ପ୍ରଚଳିତ ଆଇନର ଉଲ୍ଲଙ୍ଘନ କରି ତାଙ୍କ କ୍ଲାଇଣ୍ଟଙ୍କୁ ଗିରଫ କରିଛି । ମଣ୍ଡଳଙ୍କ ବିରୋଧରେ ଥିବା ଅଭିଯୋଗ ଗୁଡିକରେ ଜାମିନ ମିଳିପାରିବ । ସାରା ଦେଶକୁ ଦୋହଲାଇ ଦେଇଥିବେ ଆରଜି କର କାଣ୍ଡ ଘଟଣାରେ ପ୍ରମାଣ ନଷ୍ଟ କରିବା ଓ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସିବିଆଇ ଘୋଷ ଓ ମଣ୍ଡଳଙ୍କୁ ଗିରଫ କରିଛି । ମଣ୍ଡଳ ଥାନା ଅଧିକାରୀ ଭାବେ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ । ସେହିପରି ଘୋଷ ନିଜ କର୍ତ୍ତବ୍ୟ ଠିକ ଭାବେ ସମ୍ପାଦନ ନ କରି କୁକର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ସିବିଆଇ କହିଛି । ସେହିପରି ଶବ ବ୍ୟବଚ୍ଛେଦରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି ।