ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଅଡୁଆରେ କଂଗ୍ରେସ ଏମପି ପ୍ରିୟଙ୍କା ଭଦ୍ରା । ନବ ନିର୍ବାଚିତା ପ୍ରିୟଙ୍କାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭାରତୀୟ ଜନତା ପାର୍ଟି ନେତା ନବ୍ୟା ହରିଦାସ ପ୍ରିୟଙ୍କାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ଶୁକ୍ରବାର କେରଳ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ହରିଦାସ ଦାବି କରିଛନ୍ତି ଯେ ନାମାଙ୍କନ ପତ୍ରରେ ପ୍ରିୟଙ୍କା ତାଙ୍କର ଏବଂ ତାଙ୍କ ପରିବାରର ସମ୍ପତ୍ତିକୁ ସଠିକ ଭାବେ ପ୍ରକାଶ କରିନାହାଁନ୍ତି ଏବଂ ଭୁଲ ତଥ୍ୟ ଦେଇଛନ୍ତି। ଭାଜପା ନେତା ଆହୁରି କହିଛନ୍ତି ଯେ, ଏହା ଆଦର୍ଶ ଆଚରଣ ବିଧି ବିରୁଦ୍ଧ ଏବଂ ଦୁର୍ନୀତିଗ୍ରସ୍ତ ଆଚରଣ ସହ ସମାନ । ଏବେ ପ୍ରଶ୍ନ ହେଉଛି ଭାଜପା ନେତାଙ୍କ ଏହି ପଦକ୍ଷେପ ପରେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଏମପି ପଦ ହରାଇବେ କି?କେରଳର ୱାୟନାଡ ଲୋକ ସଭା ଆସନରେ ଅନୁଷ୍ଠିତ ଉପ-ର୍ନିବାଚନରେ ହରିଦାସଙ୍କୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଞ୍ଚ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । 

ନବ୍ୟାଙ୍କ ଆବେଦନକୁ କୋର୍ଟ ନିଶ୍ଚିତ କରିଥିବାବେଳେ ଡିସେମ୍ବର ୨୦ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ଥିବାରୁ ୨୦୨୫ ଜାନୁଆରୀ ରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି । ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ତାଙ୍କର ୪.୨୪ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ଏବଂ ୧୩.୮୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେ ୧୫ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଛନ୍ତି । ସେହିପରି ପ୍ରିୟଙ୍କାଙ୍କ ପାଖରେ ୫୯.୮୩ କିଲୋଗ୍ରାମ ମୂଲ୍ୟର ରୂପା ରହିଛି। ଯାହାର ମୋଟ ମୂଲ୍ୟ ୨୯.୫୫ଲକ୍ଷ ଟଙ୍କା । ତାଙ୍କ ପାଖରେ ୪.୪୧ କିଲୋଗ୍ରାମ ମୂଲ୍ୟର ଅଳଙ୍କାର ଅଛି, ସେଥିମଧ୍ୟରୁ ୨.୫ କିଲୋଗ୍ରାମ ସୁନା ଅଟେ । ଯାହାର ମୂଲ୍ୟ ହେଉଛି ୧କୋଟି ୧୫ଲକ୍ଷ ୭୯ହଜାର ଟଙ୍କା । ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ଏକ ହୋଣ୍ଡା CRV କାର ମଧ୍ୟ ଅଛି । ଏଥିସହ ତାଙ୍କ ପାଖରେ ୨ କୋଟି ୧୦ ଲକ୍ଷରୁ ଅଧିକ ମୂଲ୍ୟର ଚାଷ ଜମି ରହିଛି ଏବଂ ତାଙ୍କ ଘର ଶିମଲାରେ ଅବସ୍ଥିତ ୪୮,୯୯୭ ବର୍ଗଫୁଟ ଅଞ୍ଚଳରେ ର୍ନିମିତ ହୋଇଛି ।