ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରାକରେ ଖସି ପଡ଼ିଲେ ବ୍ୟକ୍ତି

ମୃତ୍ୟୁର ଅତି ନିକଟରେ ଥାଇ ମଧ୍ୟ ଜଣେ ବ୍ୟକ୍ତି ବର୍ତ୍ତି ଯାଇଛନ୍ତି। ସତେ ଯେମିତି ତାଙ୍କୁ ମିଳିଛି ନୂଆ ଜୀବନ। ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନ ମଧ୍ୟ ତାଙ୍କ ଉପରେ ଅତିକ୍ରମ କରି ଯାଇଥିଲା। ହେଲେ ସୌଭାଗ୍ୟବଶତଃ ବ୍ୟକ୍ତି ଜଣଙ୍କ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଟ୍ରାକ ନିକଟରୁ ଉଦ୍ଧାର ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିହାରର ସମସ୍ତିପୁର ସ୍ଥିତ ଗୋଟିଏ ରେଳବାଇ ଷ୍ଟ୍ରେସରେ ପୂରା ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କ ଗୋଟିଏ ବ୍ୟାଗ ଧରି ବିହାର ସମ୍ପର୍କ କ୍ରାନ୍ତୀ ଏକ୍ସପ୍ରେସରେ ଚଢ଼ୁଥିଲେ। ଟ୍ରେନଟି ପ୍ଲାଟଫର୍ମ ଛାଡ଼ୁଥିବା ବେଳେ ସେ ଚଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ରେଳ ଟ୍ରାକରେ ଖସି ପଡ଼ିଥିଲେ। ଏଥିଯୋଗୁ ବ୍ୟକ୍ତି ଜଣଙ୍କ ଟ୍ରେନ ଓ ପ୍ଲାଟଫର୍ମ କାନ୍ଥ ମଧ୍ୟରେ ଫସି ରହି ବାହାରକୁ ବାହାରି ପାରି ନଥିଲେ।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଟ୍ରେନଟି ପ୍ଲାଟଫର୍ମରୁ ଛାଡ଼ୁଛି। ଏତିକି ବେଳେ ଟ୍ରାକରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଲୋକମାନେ ଚେଷ୍ଟା କରୁଛନ୍ତି। କିନ୍ତୁ ଆଉ ଜଣେ ବ୍ୟକ୍ତି ସମସ୍ତଙ୍କୁ ଟ୍ରେନ ଠାରୁ ଦୂରେଇ ରହିବାକୁ କହୁଛନ୍ତି। ଟ୍ରେନଟି ଷ୍ଟେସନରୁ ଚାଲି ଯିବା ପରେ ଜଣେ ବ୍ୟକ୍ତି ପ୍ଲାଟଫର୍ମ କାନ୍ଥକୁ ଲାଗି ରହି ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା।