ମୃଦୁପାନୀୟ କେତେ ନିରାପଦ?
ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ଛୋଟ, ବଡ଼ ବଜାର ସବୁରେ ବର୍ତ୍ତମାନ ପ୍ଲାଷ୍ଟିକ୍ ବୋତଲରେ ପ୍ୟାକିଂ ହୋଇ ବିକ୍ରି ହେଉଥିବା ପାଣି ପାଉଚ୍ ମିଳୁଛି । ତା' ସହିତ ବିଭିନ୍ନ ନାମୀଦାମୀ କମ୍ପାନୀର ଲେବୁଲ୍ ଥାଇ କାର୍ବୋନେଟେଡ୍ ୱାଟର୍ ବା ସଫ୍ଟ ଡି୍ରଙ୍କ୍ ବିକ୍ରି ହେଉଛି । ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ସଫ୍ଟ ଡି୍ରଙ୍କ୍ ପିଇବା ଛାଡ଼ି ଦେଲେଣି । କାରଣ ସଫ୍ଟ ଡି୍ରଙ୍କ୍ ନାମରେ ବର୍ତ୍ତମାନ ବଜାରରେ ଯାହା ମିଳୁଛି, ସେ ଗୁଡ଼ିକ ବିଷ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହା କେବଳ ଆମ ଦେଶର ସମସ୍ୟା ନୁହେଁ, ବିଶ୍ୱବ୍ୟାପୀ ଏହି ସମସ୍ୟା ଲାଗି ରହିଛି । ସଫ୍ଟ ଡି୍ରଙ୍କ୍ ପ୍ରସ୍ତୁତ କ୍ଷେତ୍ରରେ ସ୍ୱାଦ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଭବ । ପାଟି ସୁଆଦିଆ ନହେଲେ କେହି କେବେ ଏ ପ୍ରକାରର ପାନୀୟକୁ କିଣିବେ ନାହିଁ । ତେଣୁ ଏହି ପାନୀୟ ଗୁଡ଼ିକୁ ପାଟି ସୁଆଦିଆ କରିବା ପାଇଁ ଏବଂ ବାସ୍ନାଯୁକ୍ତ କରିବା ପାଇଁ ସେଥିରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମିଶାଯାଉଛି । ୧୯୯୦ ଦଶକରେ ବ୍ରୋମିନେଟେଡ୍ ଭେଜିଟେବୁଲ୍ ଅଏଲ୍ ବା ବିଭିଓ ନାମକ ଏକ ରାସାୟନିକ ପଦାର୍ଥ ଏହି ସଫ୍ଟ ଡି୍ରଙ୍କ୍ ଗୁଡ଼ିକରେ ମିଶାଯାଉଥିଲା । ଏହି ରାସାୟନିକ ପଦାର୍ଥଟି ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ଜଣାପଡ଼ିବା ପରେ ଲୋକମାନେ ମୃଦୁପାନୀୟ ପିଇବା ଛାଡ଼ି ଦେଇଥିଲେ । ମୃଦୁପାନୀୟ ପ୍ରସ୍ତୁତକର୍ତ୍ତା କମ୍ପାନୀମାନେ ଏଥିରେ ଘୋର କ୍ଷତିର ସମ୍ମୁଖୀନ ହୋଇଥିଲେ । ପରେ ମୃଦୁପାନୀୟ ବୋତଲରେ ବିଭିଓ ମିଶାଯାଉନାହିଁ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରି ବଜାରକୁ ଛଡ଼ାଗଲା । ଆମ ଦେଶରେ ଲୋକମାନେ କୌଣସି ପୁରୁଣା କଥାକୁ ମନେ ରଖନ୍ତି ନାହିଁ କି ମନେ ପକାନ୍ତି ନାହିଁ । ସେଥିପାଇଁ ଖାଦ୍ୟ ଓ ପାନୀୟରେ ଯେତେ ଅପମିଶ୍ରଣ ହେଲେ ବି ପରବର୍ତ୍ତୀ ସମୟରେ ବା କିଛି ବର୍ଷ ପରେ ପୁଣିଥରେ ସେସବୁ ବିକ୍ରି ହୁଏ ।
ନିକଟରେ ଅଷ୍ଟ୍ରେଲିଆରେ ଫାଣ୍ଟା, କୋକ୍, ସ୍ପ୍ରାଇଟ୍ ଏବଂ ମେଜୋମିକ୍ସ ନାମରେ ବିକ୍ରି ହେଉଥିବା ମୃଦୁପାନୀୟରେ ପ୍ରାଣଘାତୀ ଏକ ପ୍ରକାରର ଧାତବ ପଦାର୍ଥ ମିଶିଥିବା ଜଣାପଡ଼ିଛି । ଏହା ଫଳରେ ଏହି କମ୍ପାନୀମାନେ ନିର୍ଦ୍ଦିଷ୍ଟ ଗୋଟିଏ ବ୍ୟାଚ୍ର ୨୮ ନିୟୁତ ବୋତଲ ମୃଦୁପାନୀୟ ବଜାରରୁ ପ୍ରତ୍ୟାହାର କରି ନେଲେ । ଏଭଳି ଏକ ଘଟଣା ଭାରତୀୟ ବଜାରରେ ଖାଉଟିମାନଙ୍କ ପାଇଁ ଏକ ଅଣଦେଖା ଖବର ବୋଲି କହିଲେ ଭୁଲ୍ ହେବ ନାହିଁ । ଆମ ଦେଶର ଖାଉଟିମାନେ କୌଣସି ଏକ ଦ୍ରବ୍ୟର ଗ୍ରାହକ ଭାବରେ ବଜାରକୁ ଗଲେ ଗୁଣବତ୍ତା ଅପେକ୍ଷା ମୂଲ୍ୟ ଉପରେ ଗୁରୁତ୍ୱ ଦିଅନ୍ତି । ଗୁଣବତ୍ତା ଭଲ କି ଖରାପ, ତାହା ପରୀକ୍ଷା କରାଯିବା ପୂର୍ବରୁ ପ୍ରଥମେ ବିଚାରକୁ ଆସେ ଯେ କିଏ ଶସ୍ତାରେ ଦେଇପାରିବ । ବିଭିନ୍ନ ଖାଦ୍ୟ ପଦାର୍ଥ ବିଭିନ୍ନ ଅନୁଷ୍ଠାନକୁ ଯୋଗାଣ କ୍ଷେତ୍ରରେ ଏହି ମାନଦଣ୍ଡ ହିଁ ଭାରତରେ ପ୍ରାଥମିକତା ଲାଭ କରିଆସିଛି । ଏହି କାରଣରୁ ଅଳ୍ପ ଦିନ ତଳେ କେତୋଟି ଅନୁଷ୍ଠାନରେ ୩୦୦ରୁ ୩୫୦ ଟଙ୍କା ଭିତରେ ଗୁଆଘିଅ ଯୋଗାଇବା ପାଇଁ ଟେଣ୍ଡର୍ ଆହ୍ୱାନ କରାଯାଇଥିଲା ଏବଂ ଟେଣ୍ଡର ଯୋଗାଣକାରୀ ସବୁତକ ନକଲି ଘିଅ ଦେଇଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହେଲା । ବର୍ତ୍ତମାନ ମୃଦୁପାନୀୟ କ୍ଷେତ୍ରରେ ତାହା ହିଁ ହୋଇଛି । ବଜାରରେ ପଇଡର ଦାମ୍ ୫୦ ଟଙ୍କା ହୋଇଯିବା ପରେ ୨୦-୨୫ ଟଙ୍କାରେ ମିଳୁଥିବା ମୃଦୁପାନୀୟ ବିକ୍ରି ବଢ଼ିଯାଇଛି । ତେବେ ସେସବୁ ମୃଦୁପାନୀୟ ଭିତରୁ ଅଧିକାଂଶ ପଛଦ୍ୱାରର ପ୍ରସ୍ତୁତକର୍ତ୍ତା କମ୍ପାନୀ । ଅର୍ଥାତ୍ ସେହି କମ୍ପାନୀ ଗୁଡ଼ିକ ବ୍ୟବସାୟ ସମ୍ପର୍କିତ ଆଇନ୍ର ପରିସର ବାହାରେ ରହିଛନ୍ତି । କିନ୍ତୁ ଆମ ଉପଭୋକ୍ତାମାନେ ଶସ୍ତା ପଛରେ ଧାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି । ଗ୍ରାହକଙ୍କୁ ଯେତେ ସଚେତନ କଲେ ମଧ୍ୟ ଶସ୍ତା ଏବଂ ଗୋଟିଏ ସହିତ ଆଉ ଗୋଟିଏ ଫ୍ରିର ମୋହରେ ପଡ଼ିଥିବା ଖାଉଟିଙ୍କ ଭାଗ୍ୟ କଳନାର ବାହାରେ ।