କର୍ମର ବିଚାର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ କର୍ମର ବିଚାରକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସଂସାରରେ ପ୍ରତି କ୍ଷଣରେ, ପ୍ରତି ମୂହୁର୍ତ୍ତରେ ଅସଂଖ୍ୟ କାର୍ଯ୍ୟ ଅହରହ ଚାଲିଛି । ଏ ସଂସାରରେ ଆମେ ରହୁଛେ ମାନେ, ଆମ ସମସ୍ତଙ୍କର କିଛି ନା କିଛି କାମ ଅଛି । ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି କାମରେ ନିୟୋଜିତ ଅଛନ୍ତି । କୋଟି କୋଟି ଲୋକ କିଏ କୋଉ ପ୍ରକାର କାମ କରି ଚାଲିଛନ୍ତି ବୋଲି ତ ସଂସାର ଚାଲିଛି ।
ସବୁ ଲୋକ ନିଜେ ଅର୍ଜିଥିବା ବୁଦ୍ଧିଶୁଦ୍ଧି ଅନୁସାରେ କାମ ସବୁ କରନ୍ତି । କର୍ମ ମାଧ୍ୟମରେ ପ୍ରତ୍ୟେକେ, ପ୍ରତ୍ୟେକଙ୍କୁ ସେବା ଯୋଗାଉଛନ୍ତି । କାମ ତ କାମ । ଏ କାମ ଛୋଟ, ସେ କାମ ବଡ-ଏକଥା କେବଳ ଆମ ଭଳି ମଣିଷ ହିଁ ସୃଷ୍ଟି କରିଛି । କାମରେ କି ଛୋଟ କି ବଡ ? ସବୁ କାମ ସମାନ । କିଏ କୋଉ କାମ କରୁଛି, ସିଏ ଭିନ୍ନେ କଥା । ହେଲେ ଦେଖାଯାଉଛି କାମକୁ ନେଇ ସମାଜରେ ବିଭେଦ ସୃଷ୍ଟି ହେଉଛି । ବେଳକୁ ବେଳ ଏ ଧାରାଟି ବଢିବାରେ ଲାଗିଛି । ଟିକିଏ ଭଲରେ ଥିବା କିମ୍ବା ବଡ କାମ କରୁଥିବା ଲୋକଟିଏ ଛୋଟ କାମକୁ ଘୃଣା କରୁଛି, ନିନ୍ଦୁଛି, ତଳ ଆଖିରେ ଦେଖୁଛି । ଅନ୍ୟଜଣେ କରୁଥିବା କର୍ମ ପ୍ରତି ତାର ମର୍ଯ୍ୟାଦା ରହୁନାହିଁ । ହୁଏତ ସେହି ଛୋଟ କାମଟି ସିଏ ନିଜେ କରିପାରିବ ନାହିଁ । ଅଥଚ ଯିଏ କରୁଛି ତାକୁ ଘୃଣା କରୁଥିବ । ଏପ୍ରକାର ମାନସିକତା ସମାଜର ପ୍ରାୟ ଲୋକଙ୍କ ପାଖରେ ଖୁନ୍ଦି ହୋଇରହିଛି । ଦେଖିବାକୁ ଗଲେ ପଚାଶେ କି ଶହେ ବର୍ଷ ତଳେ ଆମ ସମାଜର ଯେଉଁ ମାନସିକତା ଥିଲା ଆଜି ମଧ୍ୟ ସେହି ମାନସିକତା ହିଁ ରହିଛି । ପରିବର୍ତ୍ତନ ହୋଇନାହିଁ ।
ଏଇଥିରୁ ଭାବନ୍ତୁ ସେଇ ଲୋକଟି ଆମ ପାଇଁ କେତେ ବଡ । ଆମ ପ୍ରତି ସେ କେତେ ଉପକାରରେ ଆସୁଛି । ସଫା କାମଟି ଆମର କରିଦେଇଥିବା ହେତୁ ସେ ଲୋକଟି ପଇସା ତ ନେବ ନିଶ୍ଚୟ । ଏଇଠି ପଇସାର କଥା ଉଠୁନି, ହେଲେ ସେତିକି ପଇସା ଦେଲେ ସେହି କାମଟି ଆମ ପାଇଁ ଆଉ କେହି କରିଦେବେ କି ? କରିବେ ନାହିଁ । ଆମେ ବହୁ ସମୟରେ ଭାବୁ ପଇସା ଦେଲେ ଆମର ସବୁ କାମ ହୋଇଯିବ । ସେପରି ଧାରଣା ଆୌ ଠିକ୍ ନୁହଁ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।