ବର୍ଷକୁ ଥରେ ରତ୍ନସିଂହାସନ ଛୁଏଁ ମନ୍ଦାର ଫୁଲ
ଶ୍ରୀକ୍ଷେତ୍ର ସ୍ୱତନ୍ତ୍ର ଅଟେ । ଶ୍ରୀକ୍ଷେତ୍ରର କଳା ସଂସ୍କୃତି ପରମ୍ପରା ଖୁବ ନିଆରା । ପ୍ରାୟତଃ ଅଧିକାଂଶ ସ୍ଥାନରେ ରାବଣଙ୍କୁ ଭିନ୍ନଦୃଷ୍ଟିରେ ଦେଖାଯାଉଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ରାବଣଙ୍କର ସ୍ଥାନ ସ୍ୱତନ୍ତ୍ର । ସାହିଯାତରେ ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ରାବଣ । ସ୍ୱତନ୍ତ୍ର ରୀତିନୀତିରେ ରାବଣ ପୂଜା କରାଯାଏ । ରାମଲୀଳାରେ ସେତୁବନ୍ଧ ପ୍ରତିଷ୍ଠା ପାଇଁ ମହାଜ୍ଞାନୀ ବେଦଜ୍ଞ ରାବଣଙ୍କୁ ପ୍ରଭୁ ଶ୍ରୀରାମ ଅଗ୍ରାଧିକାର ଦେଇଥାନ୍ତି । ସେହିଭଳି ସାହିଯାତ ସମୟରେ ରାମଙ୍କ ସହ ଯୁଦ୍ଧରେ ଲଢ଼ିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରାବଣଙ୍କୁ ଆଜ୍ଞାମାଳ ଦେଇଥାନ୍ତି । ଶ୍ରୀମନ୍ଦିର ଗର୍ଭଗୃହକୁ ମନ୍ଦାର ଫୁଲ ପ୍ରବେଶ ନିଷେଧ । କିନ୍ତୁ ରାବଣ ପାଇଁ ମହାପ୍ରଭୁ ନିୟମ କୋହଳ କରିଦିଅନ୍ତି । ରାବଣଙ୍କୁ ଆଜ୍ଞାମାଳ ପ୍ରଦାନ କରିବାକୁ ବର୍ଷକେ ଥରେ ମନ୍ଦାର ଫୁଲ ରତ୍ନସିଂହାସନ ସ୍ପର୍ଶ କରିଥାଏ । ସାହିଯାତର ରାବଣବଧ ନୀତି ଦିବସରେ ମନ୍ଦାର ଫୁଲ ଗର୍ଭଗୃହ ମଧ୍ୟରେ ପ୍ରବେଶ କରେ । ବର୍ଷବର୍ଷ ଧରି ଶ୍ରୀମନ୍ଦିରରେ ଏହି ପରମ୍ପରା ଚାଲିଆସୁଛି ।
ନୀତି ମୁତାବକ, ବାଲିସାହି ଆଖଡ଼ା ପକ୍ଷରୁ ଭୋର ସମୟରେ ରାବଣ ବାହାରି ପ୍ରଥମେ ସାହି ପରିକ୍ରମା କରିବେ । ରାମଙ୍କୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ସାହି ବାସିନ୍ଦାଙ୍କ ସହଯୋଗ କାମନା କରି ରାବଣ ଦିନ ସମୟରେ ଏହି ପରିକ୍ରମା କରିଥାନ୍ତି । ପରିକ୍ରମା ସାରିବା ପରେ ରାବଣ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କଠାରୁ ଯୁଦ୍ଧ ପାଇଁ ଆଜ୍ଞା ଆଣିଥାନ୍ତି । ରାବଣ ଶକ୍ତି ଉପାସକ ଥିଲେ । ଶକ୍ତି ଉପାସନାରେ ମନ୍ଦାର ଫୁଲର ଭୂମିକା ମୁଖ୍ୟ । ଏଣୁ ରାବଣଙ୍କର ଆଗ୍ରହକୁ ସମ୍ମାନ ଜଣାଇ ମହାପ୍ରଭୁ ଆଜ୍ଞାମାଳ ସଦୃଶ୍ୟ ମନ୍ଦାର ଫୁଲର ମାଳ ଦେଇଥାନ୍ତି । ଏହି ଗୋଟିଏ ଦିନ ହିଁ ରତ୍ନ ସିଂହାସନ ଛୁଏଁ ମନ୍ଦାର ଫୁଲ । ଅନ୍ୟ ଦିନମାନଙ୍କରେ ମନ୍ଦାର ଫୁଲ ଶ୍ରୀବିଗ୍ରହଙ୍କ ପୂଜାରେ ବର୍ଜନୀୟ ।
ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିସାରିବା ପରେ ପ୍ରଭୁ ରାମଙ୍କୁ ପରାସ୍ତ କରିବ ବୋଲି ଖୁସି ହୋଇ ରାବଣ ନିଜ ସାହିକୁ ଫେରିଥାନ୍ତି । ସନ୍ଧ୍ୟାରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୁୂଏ । ଯୁଦ୍ଧକୁ ଯିବା ପୂର୍ବରୁ ରାବଣ ଯମ୍ବେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ଯଜ୍ଞ କରିଥାନ୍ତି । ରାମାୟଣରେ ବର୍ଣ୍ଣନା ଅନୁଯାୟୀ ରାବଣ ଯୁଦ୍ଧକୁ ଯିବା ପୂର୍ବରୁ ନିକୁମ୍ବିଲା ବଟ ତଳେ ଯଜ୍ଞ କରିଥିଲେ । ଯଜ୍ଞ ସାରିବା ପରେ ଶ୍ରୀମନ୍ଦିର ପାର୍ଶ୍ୱ ଗଡ଼ଛକ ନିକଟ ଭଗବତୀ କୋଟରେ ପଣା ଗ୍ରହଣ କରିଥାନ୍ତି । ଲୋକକଥାନୁଯାୟୀ ଏହି ପଣା ପିଇବା ପରେ ରାବଣଙ୍କର ଶକ୍ତି ହ୍ରାସ ହୁଏ । ଫଳରେ ସେ ପ୍ରଭୁ ରାମଙ୍କଠାରୁ ଯୁଦ୍ଧରେ ଆଗ୍ରହକୁ ସମ୍ମାନ ଜଣାଇ ମହାପ୍ରଭୁ ଆଜ୍ଞାମାଳ ଭଗବତୀଙ୍କୁ ଶକ୍ତି ଓ ନିଶୁଣି ଆଣିଥାନ୍ତି । ଏହି ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ରାବଣକୁ ଭଗବତୀ ମନ୍ଦିର ତରଫରୁ ନିଶୁଣି ଯୋଗାଇ ଦିଆଯାଇଥାଏ ।