ଆଇଟିଆଇରେ ଖାଲିପଡିଛି ପଦବୀ
ଖପୁରିଆ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଦୀର୍ଘଦିନ ଧରି ଶିକ୍ଷକ ଏବଂ ଅଣଶିକ୍ଷକ ପଦ ଖାଲିପଡ଼ିଛି । ପଦପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏହା ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଓ ତାଲିମ କାର୍ଯ୍ୟ ଉପରେ ବାଧା ସୃଷ୍ଟି କରୁଛି । ଆଇଟିଆଇରେ ଶିକ୍ଷକ ଏବଂ ଅଣଶିକ୍ଷକଙ୍କୁ ମିଶାଇ ମୋଟ ୧୫୫ଟି ମଞ୍ଜୁରୀ ପ୍ରାପ୍ତ ପଦ ରହିଛି । ସେଥିମଧ୍ୟରୁ ୫୦ ପ୍ରତିଶତ ପଦ ଖାଲି ରହିଛି । ୭୮ ଟି ପଦରେ ଏବେ ଶିକ୍ଷକ ଏବଂ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ୭୭ଟି ପଦ ଫାଙ୍କା ରହିଛି । ଏଥିରେ ବର୍ଷ ବର୍ଷ ଧରି କାହାରିକୁ ନିଯୁକ୍ତି ଦିଆଯାଉନାହିଁ । ସେହିଭଳି ଭିତ୍ତିଭୂମିିର ମଧ୍ୟ ଉନ୍ନତିକରଣ ହୋଇପାରୁନାହିଁ । ଏବେ ବି ଦ୍ୱିତୀୟ କ୍ୟାମ୍ପସ ପାଇଁ ଉପଯୁକ୍ତ ଜମି ମିଳିପାରୁନାହିଁ । ଯାହା ଫଳରେ ସୀମିତ ସ୍ଥାନ ମଧ୍ୟରେ ବିଭିନ୍ନ ପରୀକ୍ଷାଗାର ଠାରୁ ଆରମ୍ଭ କରି ଶ୍ରେଣୀଗୃହ ନିର୍ମାଣ କରାଯାଉଛି ।
୧୯୫୮-୫୯ ଶିକ୍ଷାବର୍ଷରେ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନିମନ୍ତେ ତାଲିମ ଦେବା ପାଇଁ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା । ପ୍ରଥମେ ୧୧ଟି ଟ୍ରେଡ୍ରେ ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ କରାଯାଇଥିଲା । ଏବେ ଏଥିରେ ୨୧ଟି ରୁ ଅଧିକ ଟ୍ରେଡ୍ ଖୋଲିଥିବାବେଳେ ଅଢ଼େଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ କଟକ ଆଇଟିଆଇ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଉନ୍ନତିକରଣ ବିଶେଷ ଭାବେ ହୋଇପାରିନାହିଁ । ଶିକ୍ଷକ ବା ପ୍ରଶିକ୍ଷକ ଏବଂ କର୍ମଚାରୀଙ୍କ ଅଭାବ ଶିକ୍ଷାନୁଷ୍ଠାନ ପାଇଁ ଏକ ବଡ଼ ସମସ୍ୟା ଭାବେ ଦୀର୍ଘଦିନ ରହିଆସିଛି । ମୋଟ ୧୫୫ଟି ପଦରୁ ସହକାରୀ ତାଲିମ ଅଧିକାରୀଙ୍କ କ୍ଷେତ୍ରରେ ସର୍ବାଧିକ ପଦ ଖାଲିପଡ଼ିଛି । ୮୭ଟି ପଦରୁ ୪୩ଜଣ ଥିବାବେଳେ ୪୪ ପଦରେ କାହାକୁ ନିଯୁକ୍ତି ମିଳିନଥିବା ସୂଚନା ମିଳିଛି । ସେହିଭଳି ଡେପୁଟି ତାଲିମ ଅଧିକାରୀଙ୍କ ପାଇଁ ଥିବା ୧୮ରୁ ୧୮ ପଦ ଖାଲି ପଡ଼ିଥିବା ଜଣାପଡ଼ିଛିା ଏହାଛଡ଼ା ବରିଷ୍ଠ ସହାୟକ ପଦରେ ୫ରୁ ୨ଜଣ କାମ କରୁଥିବାବେଳେ ୩ ଜଣ ନାହାନ୍ତି । ବିଭିନ୍ନ ଗାଡ଼ି ପାଇଁ ଡ୍ରାଇଭରଙ୍କର ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି । ଦୁଇଟି ମଞ୍ଜୁରୀପ୍ରାପ୍ତ ପଦରେ କେହି ନ ଥିବା ଜଣାପଡ଼ିଛି । ଗ୍ରୁପ ଡିରେ ୨୫ଟି ପଦ ରହିଥିବାବେଳେ ୨୦ଜଣ କାର୍ଯ୍ୟ କରୁଛନ୍ତି ଏବଂ ୫ପଦ ଖାଲି ପଡ଼ିଛି । ଅନ୍ୟପକ୍ଷରେ ଲାବ୍ରୋଟୋରୀ ସହାୟକ, ଗ୍ରନ୍ଥ ଗାରିକ, ଇନଷ୍ଟ୍ରକ୍ଟକର ଆବଶ୍ୟକ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦ ସୃଷ୍ଟି କରାଯାଇ ପାରିନାହିଁ । ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡୁଛି । ସଂପ୍ରତି ରାଜ୍ୟର ବିଭିନ୍ନ ସରକାରୀ ଶିଳ୍ପ ଅନୁଷ୍ଠାନ (ଆଇଟିଆଇ)ରେ କାର୍ଯ୍ୟରତ ଅତିଥି ପ୍ରଶିକ୍ଷକ ସଂଘୀୟ ପକ୍ଷରୁ ସ୍ଥାୟୀ ନିଯୁକ୍ତି ସମେତ ୮ଦଫା ଦାବି ନେଇ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଦଶାଳୟ ଡିଟିଇଟି ସମ୍ମୁଖରେ ଧାରଣା ଜାରି ରହିଛି । ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘରୋଇ ଅନୁଷ୍ଠାନକୁ ଅହେତୁକ ଅନୁକମ୍ପା ଦେଖାଇ ସରକାରୀ ଅନୁଷ୍ଠାନଗୁଡ଼ିକୁ ଅବହେଳା କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି । ସରକାର ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ନିମନ୍ତେ ବିଭିନ୍ନ ମହଲରୁ ଦାବି ହୋଇଛି ।