ଋଚିକାବାସିନୀ ମା’ଚର୍ଚ୍ଚିକା, ଭୁବନ ବନ୍ଦିତ ଶକ୍ତିପୀଠ
ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଚର୍ଚ୍ଚିକା । ଏହା ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ମଧ୍ୟ ପରିଗଣିତ । ବାଙ୍କୀ ସହର ମଧ୍ୟସ୍ଥ ଋଚିକ ପାହାଡ଼ ଉପରେ ମା’ଙ୍କ ବିଜେସ୍ଥଳୀ । ମନ୍ଦିରକୁ ଯିବା ପାଇଁ ରହିଛି ତିନିଟି ଦ୍ୱାର ୩୨ଟି ପାହାଚ ବିଶିଷ୍ଟ ଉତ୍ତର ଦ୍ୱାର ଶ୍ରଦ୍ଧାଳୁମାନଙ୍କ ପାଇଁ ଉଦ୍ଦିଷ୍ଟ । ସେହିପରି ୫୧ ପାହାଚ ବିଶିଷ୍ଟ ପଶ୍ଚିମ ଦ୍ୱାର ମୁନିଋଷିମାନଙ୍କ ପାଇଁ ଏବଂ ଦକ୍ଷିଣରେ ଅବସ୍ଥିତ ୮୧ ପାହାଚ ବିଶିଷ୍ଟ ଦ୍ୱାର କେବଳ ରାଜାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜଣାଯାଏ । ମନ୍ଦିରରେ ପୌରାଣିକ ଗାଥାକୁ ନେଇ ଖୋଦିତ ଦୁଇଟି ସୁଦୃଶ୍ୟ କାଷ୍ଠ ମଣ୍ଡପ ବିରଳ । ମା’ଙ୍କ ସମ୍ମୁଖରେ ଥିବା ୧୬ଟି ସ୍ତମ୍ଭ ବିଶିଷ୍ଟ ମୁଖ୍ୟମଣ୍ଡପ ବିଭିନ୍ନ ନୀତିକାନ୍ତି ଓ ଯଜ୍ଞକର୍ମ ପାଇଁ ଉଦ୍ଦିଷ୍ଟ । ତଳଭାଗରେ ୨୦ଟି ପ୍ରସ୍ତର ସ୍ତମ୍ଭବିଶିଷ୍ଟ ଶୂନ୍ୟମଣ୍ଡପ ବିଦ୍ୟମାନ । ୫୨୮ ଖଣ୍ଡ କାଷ୍ଠରେ ନିର୍ମିତ ଶୂନ୍ୟମଣ୍ଡପର ଉପରିଭାଗରେ ଭଗବତ୍ ଗୀତାର ସମସ୍ତ ଅଧ୍ୟାୟକୁ ସୂକ୍ଷ୍ମ କାରୁକାର୍ଯ୍ୟ ଦ୍ୱାରା ଖୋଦେଇ କରାଯାଇଛି । ଏହା ଉତ୍କଳୀୟ କାରିଗରୀ କୌଶଳର ଉତ୍କୃଷ୍ଟ ନିଦର୍ଶନ ଓ ମା’ଙ୍କ ଦର୍ଶନ ପରେ ଏହି ଶୂନ୍ୟମଣ୍ଡପରେ କିଛି ସମୟ ବିଶ୍ରାମ ନେଲେ ଶ୍ରଦ୍ଧାଳୁଙ୍କର ସମସ୍ତ ଦୁଃଖଭାଜନ ହୋଇଯାଏ ବୋଲି ଜନଶ୍ରୁତି ରହିଛି ।
ମା’ ଚର୍ଚ୍ଚିକାଙ୍କ ସ୍ଥାପନା ଏବଂ ନାମକରଣ ସମ୍ପର୍କରେ ବହୁ ଜନଶ୍ରୁତି ଓ ପୌରାଣିକ ତଥ୍ୟ ରହିଛି । ମା’ ଦେବୀ ଦୁର୍ଗାଙ୍କର ମାନସକନ୍ୟା ବୋଲି ଦେବୀ ପୁରାଣରେ ବର୍ଣ୍ଣିତ ହୋଇଛି ଓ ଦେବୀ ପୁରାଣ ଅନୁସାରେ ମହିଷାସୁର ସହ ଦେବୀ ଦୁର୍ଗାଙ୍କ ଯୁଦ୍ଧ ସମୟରେ ମହିଷାସୁର ପ୍ରେରିତ ରକ୍ତବୀର୍ଯ୍ୟକୁ ଲେ ଦେବୀ ନିଧନ କରିଥିଲେ । ଏତିକିବେଳେ ତା’ର ପ୍ରତିଟି ରକ୍ତବିନ୍ଦୁ ଭୂମିସ୍ପର୍ଶ କରି ନ ପୁନଶ୍ଚ ରକ୍ତବୀର୍ଯ୍ୟରେ ପରିଣତ ହେଉଥିଲା । ସେଥିପାଇଁ ଦେବୀଦୁର୍ଗା ନିଜର ବନ୍ଦନ ଚର୍ଚ୍ଚିତ କପାଳରୁ ଚାମୁଣ୍ଡା ସୃଷ୍ଟି କରି ରକ୍ତରୁ ଯାତ ରକ୍ତବୀର୍ଯ୍ୟମାନଙ୍କୁ ନିପାତ କରିଥିଲେ । ସେହି ଚନ୍ଦନଚର୍ଚ୍ଚିତ କପାଳରୁ ଜାତ ହୋଇଥିବାରୁ ମା’ଙ୍କ ନାମକରଣ ଚର୍ଚ୍ଚିକା ହୋଇଥିବା ଜଣାଯାଏ । ଅନ୍ୟଏକ ଜନଶ୍ରୁତି ଅନୁସାରେ ଏହିଠାରେ ଏକପଦରେ ଛିଡ଼ାହୋଇ ତପସ୍ୟାପୂର୍ବକ ମା’ଙ୍କୁ ସନ୍ତୁଷ୍ଟ କରି ପର୍ଶୁରାମ ୨୧ଥର ହିଛି ପୃଥିବୀକୁ ନିକ୍ଷେତ୍ରୀୟ କରି ଫେରିବା ପରେ ପିତୃସତ୍ୟ ପାଳନ କରି ନିଜ ମାତା ରେଣୁକାଙ୍କୁ ବଧ କରିଥିଲେ । ଏହାପରେ ମା’ ଚର୍ଚ୍ଚିକାଙ୍କ ଆଶିଷରୁ ରେଣୁକା ପୁନଶ୍ଚ ଜୀବନ୍ୟାସ ପାଇଥିଲେ । ପୀଠ ପାଦଦେଶରେ ଏବେ ମଧ୍ୟ ରେଣୁକା ନଦୀ ବିଦ୍ୟମାନ ।
ମା’ ଅଷ୍ଟଭୁଜା, ଶବାରୂଢ଼ା ଏବଂ ଛିନ୍ନମସ୍ତକ ମାଳା ପରିହିତା । ହସ୍ତରେ ଖଡ୍ଗ, ସର୍ପ, ତ୍ରିଶୂଳ, ଅଙ୍କୁଶ, ଖର୍ପର, ଡମ୍ବରୁ, ଛିନ୍ନ ମସ୍ତକ ଧାରଣ କରିଥିଲା ବେଳେ ବାମ ହସ୍ତର ନିଷ୍ଠ ଅଙ୍ଗୁଳି ଦନ୍ତଶକ୍ତା । ଦେବୀଙ୍କ ପୀଠରେ ବାର ମାସରେ ତେର ପର୍ବ ଲାଗିରହିଥାଏ । ଶାରଦୀୟ ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା ଅବସରରେ ମହାଷ୍ଟମୀ ଓ ଦଶହରା, କୁମାର ପୂର୍ଣ୍ଣମୀରେ କୁମାରୀ ବେଶ ଏବଂ ଚୈତ୍ର ମାସରେ ଝାମୁ ପର୍ବର ସ୍ୱତନ୍ତ୍ରତା ରହିଛି । ଷୋଡ଼ପୂଜା ଅବସରରେ ଭୋର ସାଢେ଼ ୪ଟାରେ ମାଙ୍କର ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି, ପଞ୍ଚ ଅବକାଶ ନୀତି ଅନୁଷ୍ଠିତ ହୁଏ । ପରେ ପ୍ରତ୍ୟହ ସେବାସୀମାନଙ୍କ ଦ୍ୱାରା ମହାନଦୀର ରେଣୁକା ଘାଟରୁ ଅଣାଯାଇଥିବା ପବିତ୍ର ଜଳରେ ମା’ଙ୍କର ଭୃଙ୍ଗାରୀ ସ୍ନାନ ଅନୁଷ୍ଠିତ ହୋଇଥାଏ । ମା’ଙ୍କ ମୁଖ୍ୟ ମଣ୍ଡପ ସମ୍ମୁଖରେ ନବଶକ୍ତି କଳସ ସ୍ଥାପନା କରାଯିବା ଏହି ପୂଜାର ଏକ ସ୍ୱତନ୍ତ୍ର ବିଧି ଏହାସହ ମା’ଙ୍କର ଅନ୍ୟ ନୀତି ମଧ୍ୟରେ ମାଜଣା, ବହୁବ ପୂଜା, ସୂର୍ଯ୍ୟପୂଜା, ନେତବନ୍ଧା, ଛାମୁଚଣ୍ଡୀ ପୂଜା, ମାଣ୍ଡୁଅ ଧୂପ ଆଦି ନୀତିକାନ୍ତି ସହ ପ୍ରତ୍ୟହ ତିନିଗୋଟି ନୀତି ଅନୁଷ୍ଠିତ ହୋଇଥାଏ । ମା’ଙ୍କ ନିକଟରେ ଆମିଷ ଲାଗି ହେଉଥିଲେ ମଧ୍ୟ ବୈଶାଖ, କାର୍ତ୍ତିକ ଓ ମାଘ ମାସରେ ଏହା ଲାଗି ହୋଇ ନଥାଏ । ମାତ୍ର ଦଶହରା ଅବସରରେ ପ୍ରତ୍ୟହ ମଧ୍ୟାହ୍ନ ଧୂପରେ ଆମିଷ ଭୋଗ ଲାଗି ହୋଇଥାଏ । ଷୋଡ଼ପୂଜା ଅବସରରେ ପ୍ରତ୍ୟହ ମା’ଙ୍କ ନିକଟରେ ରାମାୟଣ ଓ ଚଣ୍ଡୀପାଠ କରାଯାଏ ।