ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ କୋର୍ଟ ଚାଲାଣ

 ଜଟଣୀ:  ଯୁବକଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟଚାଲାଣ । ପୂର୍ବ ବିବାଦକୁ କେନ୍ଦ୍ର କରି ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଗ୍ରାମରେ ଜଣେ ଯୁବକଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୁଲିସ ଅଭିଯୋଗକାରୀ ଧ୍ରୁବଚରଣ ସିଂଙ୍କ ଅଭିଯୋଗକ୍ରମେ ଛଣଘରର ଗଣେଶ ଭଟ୍ଟ ଓରଫ ପ୍ରଭାତ (୩୦) ନାମକ ଅଭିଯୁକ୍ତକୁ ଗିରଫ କରି ୮୪/୨୫ ଆଧାରରେ କୋର୍ଟ ଚାଲାଣ କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ ଅଭିଯୋଗକାରୀଙ୍କ ପୁଅକୁ ପ୍ରଭାତ ଏବଂ ତାଙ୍କର ଜଣେ ସହଯୋଗୀ କୁସୁମାଟିସ୍ଥିତ କପାଳ ଲୋଚନ ଷ୍ଟାଚୁ୍ୟ ନିକଟରେ ପୂର୍ବ ବିବାଦକୁ କେନ୍ଦ୍ର କରି ଏକ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ ।ତାଙ୍କୁ ଚିକିତ୍ସା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲାର ତଦନ୍ତ ଚାଲିଥିବା ବେଳେ ପୁଲିସ ଅଭିଯୁକ୍ତକୁ ତାଙ୍କ ଘରୁ କାବୁ କରିବା ସହ ଘଟଣାରେ ବ୍ୟବହୃତ କଟୁରୀ ଏବଂ ଏକ ମୋଟରସାଇକେଲ ମଧ୍ୟ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ଏକ ଅପରାଧିକ ମାମଲା ରହିଥିବା ତଦନ୍ତରୁ ଜଣାପଡିଛି ।