ନିଷ୍ଠାର ନିଦର୍ଶନ ତନ୍ତ୍ରପୀଠ,ମା’ସିଦ୍ଧ ଭୈରବୀ
ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧୀନ ହରଡ଼ଙ୍ଗ ମୌଜାରେ ବିରାଜିତ ମା’ ସିଦ୍ଧ ଭୈରବୀ ତନ୍ତ୍ରପୀଠ । ସୀମାନ୍ତ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ବିଭିନ୍ନ ରାଜ୍ୟରେ ଏହି ପୀଠର ଏକ ସ୍ୱତନ୍ତ୍ରତା ରହିଛି । ନୌବାଣିଜ୍ୟ ପରମ୍ପରା ଓ ଭାଗବତ ଆସ୍ଥାର ପ୍ରତୀକ ହେଉଛନ୍ତି ମା' ଭୈରବୀ । ବର୍ଷକ ୧୨ ମାସ ଏହି ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତେବେ ସମସ୍ତ ସଂକ୍ରାନ୍ତି ସମେତ ଆଶ୍ୱିନ ଓ ଚୈତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ୧୬ ନମ୍ବର ଜାତୀୟ ରାଜପଥ ବ୍ରହ୍ମପୁରରୁ ବିଶାଖାପାଟଣା ଯିବା ବେଳେ ଗୋଳନ୍ଥରା ଚାରିଛକ ବାମପଟୁ ଭୈରବୀ ପୀଠକୁ ରାସ୍ତା ସଂଯୋଗ ହୋଇଛି । ଗୋଳନ୍ଥରାଠାରୁ ମାତ୍ର ସାଢେ ୪ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ମା’ଙ୍କ ମନ୍ଦିର ପଡେ଼ ସବୁଜିମା ପରିବେଶ, ଫୁଲଗଛ ଓ ନଡ଼ିଆ ଗଛ ଗହଳ ଭିତରେ ମା’ ପୂଜା ପାଉଛନ୍ତି । କିଂବଦନ୍ତି ଅନୁଯାୟୀ ହରଡ଼ଙ୍ଗ ଗ୍ରାମର ଜି.ଗାଙ୍ଗୁଲି ରେଡ୍ଡୀ ନାମକ ଜଣେ ଚାଷୀ ନିଜ ଜମିରେ ଚାଷ କରୁଥିବା ବେଳେ ଲଙ୍ଗଳଟି ଏକ ପଥରରେ ବାଜିଥିଲା । ପଥରରୁ ରକ୍ତ ବାହାରୁଥିବା ଦେଖି ଗାଙ୍ଗୁଲି ଚକିତ ହେବା ସହ ଭୟଭୀତ ହୋଇ ସେଠାରୁ ଘରକୁ ଚାଲିଆସିଥିଲେ । ଜମିରେ ଦେବୀ ପ୍ରକଟ ହୋଇଥିବା ଓ ପଥର ବାହାର କରି ପୂଜାର୍ଚ୍ଚନା କରିବାକୁ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଗାଙ୍ଗୁଲି ଏନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଜମିକୁ ଖୋଳାଯାଇଥିଲା । ଗୋଟିଏ ଗୋଡ଼ ଓ ଚାରିଟି ହାତ ଥିବା ଦେବୀଙ୍କ ମୂର୍ତ୍ତି ବାହାରିଥିଲା । ସେହିଦିନଠୁ ମା’ ଏକପାଦ ଭୈରବୀ ନାମରେ ସେଠାରେ ପୂଜା ପାଇ ଆସୁଛନ୍ତି । ୧୯୩୭ ମସିହାରେ ଏଠାରେ ମନ୍ଦିର ନିର୍ମାଣ ହୋଇଥିବା ଶୁଣିବାକୁ ମିଳେ ।
ସେତେବେଳେ ଏକ ଚାଳଛପର ଘରେ ମା’ ପୂଜା ପାଉଥିଲେ । ଏହାସହ ଜାତୀୟ ରାଜପଥରୁ ମନ୍ଦିରକୁ ଯିବା ପାଇଁ କୌଣସି ସୁବିଧା ନଥିଲା । ଗଞ୍ଜାମ ଜିଲ୍ଲାରୁ ସାଧବମାନେ ସମୁଦ୍ରରେ ବାଣିଜ୍ୟ କାରବାର କରିବାକୁ ଯାଉଥିବା ବେଳେ ମା’ଭୈରବୀଙ୍କୁ ପୂଜା କରି ପ୍ରାକୃତିକ ଦୁର୍ବିପାକରୁ ମୁକ୍ତି ହେବା ପାଇଁ ଆଶିଷ ଭିକ୍ଷା କରୁଥିଲେ ବୋଲି କିଂବଦନ୍ତି ରହିଛି । କିନ୍ତୁ ସମୟଚକ୍ରରେ ସବୁ ବଦଳିଯାଇଛି । ପ୍ରତିଦିନ ଏହି ମନ୍ଦିରକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ମନ୍ଦିରର ଭିତ୍ତିଭୂମି ବିକାଶ ହେବା ସହ ଆଧୁନିକୀକରଣ ହୋଇଛି । ୧୦୮ ଦେବଦେବୀଙ୍କ ମନ୍ଦିର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏହି ପୀଠରେ ଦଶହରା ଓ ନବରାତ୍ରି ପାଳନର ମଧ୍ୟ ସ୍ୱତନ୍ତ୍ରତା ରହିଛି । ଆସନ୍ତା ଅକ୍ଟୋବର ୩ ତାରିଖରୁ ଏଠାରେ ନବରାତ୍ର ପୂଜା ଆରମ୍ଭ ହେବ । ଘଟସ୍ଥାପନ ଓ ଆବାହନ ସମେତ ବିଭିନ୍ନ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଆଉ ପରମ୍ପରା ଅନୁସାରେ ମା' ଭୈରବୀ ହରଡ଼ଙ୍ଗ ଗ୍ରାମ ପରିକ୍ରମା କରିଥାନ୍ତି । ସେଠାରୁ ଆସିବା ପରେ ମନ୍ଦିରର ପୂଜକ ତଥା ମାଳି ସମ୍ପ୍ରଦାୟର ଜନସାଧାରଣ ୮ ଦିନ ଧରି ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି । ୧୯୮୨ ମସିହାରୁ ଏଠାରେ ଅଖଣ୍ଡ ନାମ ସଂକୀର୍ତ୍ତନ ଚାଲିଆସିଛି ।