ରକ୍ଷକ ହୋଇ ଭକ୍ଷକ ସାଜିଲା କଂଗ୍ରେସ
ଭୁବନେଶ୍ୱର : କଂଗ୍ରେସ ଉପରେ ବର୍ଷିଲା ବିଜେପି । ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି । ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ‘ଧାରଣା ଦେବାର ଅଧିକାର ସମସ୍ତଙ୍କର ରହିଛି, କିନ୍ତୁ ଦେଶର ସମ୍ପତ୍ତି, ଜମି ଓ ଧନ ଲୁଟ କରିବାର ଅଧିକାର କାହାକୁ ଦିଆଯାଇନାହିଁ । ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଅତ୍ୟନ୍ତ ନିର୍ଲଜ କାମ କରୁଛି କଂଗ୍ରେସ ଦଳ ବୋଲି କହିଛନ୍ତି ଶ୍ରୀ ସାମଲ ।
୫ ହଜାରରୁ ଊର୍ଦ୍ଧ୍ୱ ଦେଶଭକ୍ତ ଓ କ୍ରାନ୍ତିକାରୀଙ୍କ ଆର୍ଥିକ ସହଯୋଗରେ ୧୯୩୭ ମସିହାରେ ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଏହା କେବଳ ନେହେରୁ ପରିବାରର ବ୍ୟକ୍ତିଗତ ଅଫିସ ନଥିଲା । ଦେଶର ସ୍ୱାଧୀନତାସଂଗ୍ରାମ ସେନାନୀଙ୍କ ବାର୍ତ୍ତାକୁ ସାରଦେଶରେ ପହଞ୍ଚାଇବା ଏହି ସମ୍ବାଦପତ୍ରର ମୂଳ ଉଦେ୍ଦଶ୍ୟ ଥିଲା । ଭାରତ ବର୍ଷ ବିଭିନ୍ନ ସ୍ଥାନରେ ପ୍ରକାଶକ ଏଜେଏଲ୍ କମ୍ପାନୀ ଜରିଆରେ ନ୍ୟାସନାଲ ହେରାଲ୍ଡ ନିଜର ଶାଖାପ୍ରଶାଖା ଖୋଲି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ନେଇଥିଲା । ପରବର୍ତ୍ତୀ ସମୟରେ ୯୦ କୋଟି ଟଙ୍କାର ଆର୍ଥିକ ଋଣ ଦେଖାଇ ୨୦୦୮ ମସିହାରେ ଏହାକୁ କ୍ଷତି ଦର୍ଶାଇ ବନ୍ଦ କରିଦିଆଗଲା କଂଗ୍ରେସର ତକôାଳନୀ କୋଷାଧ୍ୟକ୍ଷ ମୋତିଲାଲ ଭୋରା ସେତେବେଳେ ଏହାର ନିଦେ୍ର୍ଦଶକ ଥିଲେ । ଅନ୍ୟପଟେ ମାତ୍ର ୫୦ ଲକ୍ଷ ଟଙ୍କା ଦେଇ ଏହି ସଂସ୍ଥାର ସମସ୍ତ ସମ୍ପତ୍ତି ୟଙ୍ଗ ଇଣ୍ଡିଆ ସଂସ୍ଥାକୁ ଦିଆଗଲା । ଯାହାର ୩୮ ପ୍ରତିଶତ ଅଂଶ ସୋନିଆ ଗାନ୍ଧୀ ଏବଂ ୩୮ ପ୍ରତିଶତ ଅଂଶ ରାହୁଲ ଗାନ୍ଧୀଙ୍କର ଥିଲା । ଅର୍ଥାତ ମାତ୍ର ୫୦ ଲକ୍ଷ ଟଙ୍କା ବିନିମୟରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, ଭୋପାଳ ଓ ପାଟନାଠାରେ ଥିବା ହଜାର ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନିଜ ନାମରେ କରିଦିଆଗଲା । ବହୁଚର୍ଚ୍ଚିତ ‘ନ୍ୟାସନାଲ ହେରାଲ୍ଡ ଦୁର୍ନୀତି’ ପର୍ଦ୍ଦାଫାଶ ହୋଇସାରିଛି । ଏହି ଘଟଣାରେ ଧରାପଡିବା ପରେ ମୋତିଲାଲଙ୍କ ସମେତ ପବନ ବଂଶଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜେରା କରିଛି । ଦଳର ନାମ ବ୍ୟବହାର କରି ସମସ୍ତ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ ସହିତ ମାତ୍ର ୫୦ ଲକ୍ଷ ଟଙ୍କାରେ ୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ହାତେଇ ନେବା ଭଳି ଅଷ୍ଟମାଶ୍ଚର୍ଯ୍ୟ କରିଛି କଂଗ୍ରେସ ଦଳ । ଏହି ଖବର ସରାବରାହ ସଂସ୍ଥାକୁ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ନିଜର ସମ୍ପତି ଭଳି ବ୍ୟବହାର କରିଛି । ରକ୍ଷକ ହୋଇ ଭକ୍ଷକ ସାଜିଲେ । ଦେଶବାସୀ କଂଗ୍ରେସ ଦଳକୁ କେବେହେଲେ କ୍ଷମା ଦେବେ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଗତ ୪ ବର୍ଷ ଧରି ନ୍ୟାସନାଲ ହେରାଲ୍ଡ ମାମଲା ସୁପ୍ରିମକୋର୍ଟରେ ଚାଲିଛି । କୋର୍ଟରେ ସନ୍ତୋଷଜନକ ତଥ୍ୟ ଉପସା୍ଥପନା କରିବା ପରିବର୍ତ୍ତେ ଧାରଣା ଓ ପ୍ରଦର୍ଶନ କରାଉଛନ୍ତି । ଗତ ମଙ୍ଗଳବାର ଏହି ମାମଲାକୁ ନେଇ ଇଡି ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବା ପରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଆସନ୍ତା ୨୧ ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଥିବା କାରଣରୁ ବିଭ୍ରାନ୍ତ ଓ ବାଚଳାମୀ କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଇସୁ୍ୟ ଡାଇଭର୍ଟ କରିବାର ପ୍ରଚେଷ୍ଟା କରାଯାଉଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକା କସ୍ତୁରି ମିଶ୍ର ଓ ରାଜ୍ୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।