ବରିଷ୍ଠ ସାମ୍ବାଦିକ ଏସ୍ଏ କଲିମଙ୍କ ହୃଦ୍ଘାତରେ ପରଲୋକ
ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଶେଖ୍ ଅବଦୁଲ କଲିମ(୫୭)ଙ୍କର ଶୁକ୍ରବାର ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ବାସଭବନରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ପକ୍ଷରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟବର୍ତ୍ତୀ କଡ଼ବ ଗାଁରେ ଜନ୍ମିତ ଶେଖ୍ କଲିମ୍ ୯୦ ଦଶକରୁ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ। ଉତ୍କଳିକା, ଦିନଲିପି, ଦର୍ଶନ ଏବଂ ଏସ୍ଟିଭି ଭଳି ଖବରକାଗଜ ଓ ଟିଭି ଚ୍ୟାନେଲରେ ପୂର୍ବରୁ କାର୍ଯ୍ୟ କରିଥିବା ଶେଖ କଲିମ ସଂପ୍ରତି ‘ସମ୍ବାଦ କଳିକା’ର ବାର୍ତ୍ତା ସଂପାଦକ ଦାୟିତ୍ବ ତୁଲାଉଥିଲେ। ପରଲୋକ ଖବର ପାଇ ଭୁବନେଶ୍ବରସ୍ଥିତ ବାସଭବନରେ ଆତ୍ମୀୟସ୍ବଜନ ଓ ସାମ୍ବାଦିକମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ କଡ଼ବ ଗ୍ରାମ ଅଭିମୁଖେ ନିଆଯାଇଛି। ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।