ଶ୍ରୀଜୀଉଙ୍କ ବିବିଧ ବେଶ

ମହାପ୍ରଭୁ ପ୍ରତ୍ୟେହ ଷାଠିଏ ପଉଟି ଭୋଗ ଯେପରି ମଣୋହୀ କରିଥାନ୍ତି ସହଯେ ତ ତାଙ୍କର ରୀତିନୀତି ଠିକ ଆମ ମାନଙ୍କ ପରି । ତେବେ ତାଙ୍କୁ ସୌନ୍ଦର୍ଯ୍ୟରେ ଚମକାଇ ଦେଉଥିବା ଅନେକ ବେଶ ଗୁଡ଼ିକ ହେଉଛି ମୁଖ୍ୟତଃ ପରମ୍ପରା ଓ ସମ୍ପୃକ୍ତ ଦିନର ପର୍ବ ପର୍ବାଣିର ମହାତ୍ମ୍ୟକୁ ନେଇ । ମହାପ୍ରଭୁଙ୍କ ଏହି ଚବିଶ ବେଶ ଗୁଡ଼ିକ ଭିତରୁ ପ୍ରମୁଖ ହେଉଛି ଶ୍ରୀରାମ ବେଶ, ଶ୍ରୀଗଣେଶ, ନୃସିଂହ, ବାମନ, ଶ୍ରୀକୃଷ୍ଣ । ମହାପ୍ରଭୁଙ୍କ ନିଜସ୍ୱ ବେଶ ରହିଛି ବାରଟି । ତେବେ ବେଶ ମଧ୍ୟ ତିନି ପ୍ରକାରର । ତାହା ହେଉଛି ପୁଷ୍ପ ବେଶ, ବସ୍ତ୍ର ବେଶ ଓ ଭୂଷଣ ବେଶ ।  ପ୍ରତ୍ୟେହ ସକାଳ ଆଠଟାରୁ ସାଢ଼େ ଆଠଟା ଭିତରେ ବେଶ ଲାଗିର ପରମ୍ପରା ସମ୍ପର୍କରେ ସ୍ୱତ୍ୱଲିପି ଓ ମାଦଳା ପାଞ୍ଜିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଶ୍ରୀଜୀଉଙ୍କ ବସ୍ତ୍ର ଓ ଅଳଙ୍କାର ସେବା ଲାଗି ପୁଷ୍ପାଳକ ସେବାୟତମାନେ ରହିଛନ୍ତି । ଚୈତ୍ର କୃଷ୍ଣ ପ୍ରତିପଦା ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଓ ମାର୍ଗଶୀର କୃଷ୍ଣ ପ୍ରତିପଦ ଠାରୁ ଓଢ଼ଣ ଷଷ୍ଠୀ ପର୍ଯ୍ୟନ୍ତ ସାଧାରଣ ବେଶ ହୋଇଥାଏ । ସ୍ନାନ ପୂର୍ଣ୍ଣିମା ଠାରୁ ରେଖା ପଞ୍ଚମୀ ପର୍ଯ୍ୟନ୍ତ ରାହୁ ଲେଖା ଲାଗି ହୁଏ ନାହିଁ । 
ଆସନ୍ତୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ସମ୍ପର୍କରେ ଜାଣିବା । ପ୍ରତିଦିନ ଅବକାଶ ବେଶ ହୋଇଥାଏ । ତେବେ ପହୁଡ଼ ବେଶ ଭାବେ ପ୍ରତିଦିନ ହୋଇଥାଏ ବଡ଼ ସିଂହାର ବେଶ । ସ୍କନ୍ଦ ପୁରାଣରେ ଚନ୍ଦନ ଲାଗି ବେଶ ସମ୍ପର୍କରେ ଉଲ୍ଲେଖ ରହିଛି । ବୈଶାଖ ମାସ ଶୁକ୍ଳ ଦଶମୀ ଦିନ ଚକ୍ରନାରାୟଣ ବେଶ ହେଉଥିବାବେଳେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ରୁକ୍ମଣୀ ହରଣ ବେଶ ହୋଇଥାଏ । ଶ୍ରୀଜୀଉଙ୍କ ସ୍ନାନ ବେଦୀରେ ଜ୍ୟେଷ୍ଠ ସ୍ନାନ ପୂର୍ଣ୍ଣିମା ଦିନ ଗଣପତି ବେଶ ବା ହାତୀ ବେଶ ହୋଇଥାଏ । ଅନବସରରୁ ଶ୍ରୀଜୀଉଙ୍କ ଯେଉଁ ପ୍ରଥମ ଦର୍ଶନଟି ଆଷାଢ଼ ଅମାବାସ୍ୟା ଦିନ ହୋଇଥାଏ ତାହା ହେଉଛି ନବ ଯୌବନ ବେଶ । 
ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ହୋଇଥାଏ । ଏହାକୁ ରାଜା ବେଶ ବା ତଡ଼ାଉ ବେଶ କୁହାଯାଏ । ଶ୍ରାବଣ ମାସର ଅମାବାସ୍ୟାରେ ଚିତାଲାଗି ବେଶ ହେଉଥିବାବେଳେ ଭାଦ୍ର କୃଷ୍ଣ ପଞ୍ଚମୀରେ ରେଖା ଲାଗି ବେଶ ହୋଇଥାଏ । ସଂକୀର୍ତ୍ତନ ଚେତନାର ବାର୍ତ୍ତାବହ ପ୍ରଭୁ ଶ୍ରୀଚୈତନ୍ୟଙ୍କ ପ୍ରବର୍ତ୍ତିତ ବନଭୋଜି ବେଶ ଭାଦ୍ରବ କୃଷ୍ଣ ଦଶମୀ ଦିନ ହୋଇଥାଏ । ଭାଦ୍ର କୃଷ୍ଣ ଏକାଦଶୀ ତିଥିରେ ମାର୍କଣ୍ଡେୟ ପୁଷ୍କରିଣୀରେ କାଳୀୟ ଦଳନ ଲୀଳା ପରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଅତ୍ୟନ୍ତ ଆନନ୍ଦମୟ ହୋଇଥାଏ । ଭାଦ୍ର କୃଷ୍ଣ ଦ୍ୱାଦଶୀରେ ଷୋଡ଼ଶ ଶତାବ୍ଦୀର ଭକ୍ତ ବଳରାମ ଦାଶଙ୍କ ପ୍ରବର୍ତ୍ତିତ ପ୍ରଳମ୍ବାସୁର ବଧ ବେଶ ହୋଇଥାଏ । ଭାଦ୍ର କୃଷ୍ଣ ତ୍ରୟୋଦଶୀରେ ଷୋଡ଼ଶ ଶତାବ୍ଦୀର ମହାନ ସିଦ୍ଧ ସାଧକ ଶ୍ରୀବଲ୍ଲଭାଚାର୍ଯ୍ୟଙ୍କ ପ୍ରବର୍ତ୍ତିତ କୃଷ୍ଣ ବଳରାମ ବେଶ ମହାପ୍ରଭୁଙ୍କ କୃଷ୍ଣ ଚେତନାର ଭାବ ଭକ୍ତଜନଙ୍କୁ ଆଶୀର୍ବାଦ ଭାବରେ ମିଳିଥାଏ । ଏକାଦଶ ଶତକରେ କଳିଙ୍ଗ ବ୍ରାହ୍ମଣ ସମାଜ ପ୍ରବର୍ତ୍ତନ କରିଥିବା ବାମନ ଜନ୍ମ ଅବସରରେ ଭାଦ୍ର ଶୁକ୍ଳ ଦ୍ୱାଦଶୀ ଦିନ ବଳୀ ବାମନ ବେଶ ହୋଇଥାଏ ।  ମହାପ୍ରଭୁଙ୍କ ଭାବଚେତନା ଓ ଲୀଳା ମହାତ୍ମ୍ୟ ଉପରେ ଗବେଷଣ କରିଥିବା ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ଦାଶଙ୍କ ତଥ୍ୟ ମୁତାବକ ଆଶ୍ୱୀନ ଶୁକ୍ଳ ଦଶମୀ ଦିନ ରାଜା ବେଶ ହୋଇଥାଏ । ସେହିପରି ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧାଦାମୋଦର ବେଶ ହୋଇଥାଏ । ଏହି ବେଶ ପଞ୍ଚଦଶ ଶତକର ମହାନ ବୈଷ୍ଣବ ସମ୍ପ୍ରଦାୟର ସାଧକ ମାଧବାଚାର୍ଯ୍ୟ ପ୍ରବର୍ତ୍ତନ କରିଥିଲେ । ଦ୍ୱାଦଶ ଶତକରେ ରାମାନୁଜଚାର୍ଯ୍ୟ ପ୍ରବର୍ତ୍ତିତ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଅନୁଷ୍ଠିତ ହୁଏ । କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ବେଶ ବା ବାଙ୍କଚୂଡ଼ ବେଶ ହୋଇଥାଏ । କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ଆଡ଼କିଆ ବେଶ ବା ନୃସିଂହ ବେଶ ହୋଇଥାଏ । ତେବେ ସ୍ୱତ୍ୱଲିପିର ତଥ୍ୟ ମୁତାବକ ନେପାଳର ରାଜା ଶ୍ରୀରାମ ଦାଶ ମଠ ତଥା ବଡ଼ଛତା ମଠ ସହାୟତାରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀଜୀଉଙ୍କ ଡାଳକିଆ ବେଶ ବା ପର୍ଶୁରାମ ବେଶ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଓ ଫାଲଗୁନ ପୂର୍ଣ୍ଣିମାରେ ଶ୍ରୀଜୀଉ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଥାନ୍ତି । ଓଡ଼ିଆ ଆଧ୍ୟାତ୍ମିକ ଚେତନାରେ ସ୍ମରଣୀୟ ପବିତ୍ର ମାସ ପୁଣ୍ୟ କାର୍ତ୍ତିକର ପଞ୍ଚୁକ ପାଞ୍ଚ ଦିନରେ ଶ୍ରୀଜୀଉଙ୍କ ନାଗାର୍ଜ୍ଜୁନ ବେଶ ହୋଇଥାଏ । ସ୍ୱତ୍ୱଲିପିରେ ଉଲ୍ଲେଖ ରହିଛି ଯେ ଏହି ବେଶକୁ ହିମାଚଳ ପ୍ରଦେଶର ପର୍ଶୁରାମ ଭକ୍ତ ତଥା ସନାତନ ବ୍ରାହ୍ମଣ ସମାଜ ପ୍ରବର୍ତ୍ତନ କରିଥିଲେ ।
ଶ୍ରୀଜୀଉଙ୍କ ବିଭିନ୍ନ ବେଶ ଭିତରେ ଅନ୍ୟତମ ଆକର୍ଷଣ ବେଶଟି ହେଉଛି ଘୋଡ଼ଲାଗି ବେଶ । ଅନେକ ଏହାକୁ ଓଢ଼ଣ ଲାଗି ବେଶ ମଧ୍ୟ କହିଥାନ୍ତି । ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ଘୋଡ଼ ଲାଗି ହୋଇଥାଏ । ତେବେ ଷୋଳଶ ଶତାବ୍ଦୀ କବୀର ଓ ନାନକଙ୍କ ପ୍ରବର୍ତ୍ତିତ ଠିଆ ଘୋଡ଼ଲାଗି ବେଶ ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ସମ୍ପାଦନ ହୋଇଥାଏ । ଏହି ବେଶରେ ଘୋଡ଼ ଲାଗି ଅର୍ଥାତ୍ ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ଶରୀର ଘୋଡ଼ ବା ଘୋଡ଼ା ହୋଇନଥାଏ । ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ ଶ୍ରାଦ୍ଧ ବେଶ ହୋଇଥାଏ । ଠିକ ଆମ ମାନଙ୍କ ସାମାଜିକ ଚଳଣି ପରି ଶ୍ରୀଜୀଉମାନେ ତିନି ଦିନ ଧରି ଶ୍ରାଦ୍ଧ ଦାନ କରିବାର ପରମ୍ପରା ରହିଛି । ଓଡ଼ିଆ ମାସର ଆରମ୍ଭ କୁହାଯାଉଥିବା ମକର ସଂକ୍ରାନ୍ତି ଦିନ ମକର ଚୂଳ ଲାଗି ବେଶ ହୋଇଥାଏ । ତେବେ ମହାପ୍ରଭୁଙ୍କ ଅନ୍ୟତମ ବଡ଼ ଓ ଆକର୍ଷଣୀୟ ଭବ୍ୟ ବେଶ ହେଉଛି ପଦ୍ମବେଶ ବା ପଦ୍ମମୁଖ ବେଶ । ମାଘ ମାସ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଏହି ବେଶଟି ଶ୍ରୀଜୀଉଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ପୁରୀକୁ ଟାଣି ଆଣିଥାଏ । ବଡ଼ଛତା ମଠ ଦ୍ୱାରା ଆୟୋଜିତ ସପ୍ତଦଶ ଶତକର ସନ୍ଥ ରଘୁବର ଦାସ ଏହାର ପ୍ରବର୍ତ୍ତନ କରିଥିଲେ । 
ମାଘ ପୂର୍ଣ୍ଣିମା ଦିନ ଦ୍ୱାଦଶ ଶତକର ସାଧକ ରାମାନୁଜାଚାର୍ଯ୍ୟ ପ୍ରବର୍ତ୍ତିତ ଗଜ ଉଦ୍ଧାରଣ ବେଶ ବା ଗଜେନ୍ଦ୍ର ମୁଖ୍ୟ ବେଶ ଶ୍ରୀଜୀଉଙ୍କର ହୋଇଥାଏ । ଦୋଳଯାତ୍ରା ଅବସରରେ ଅର୍ଥାତ୍ ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଚୈତ୍ର ପ୍ରତିପଦ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଚାଚେରୀ ବେଶ ପରମ୍ପରା ରହିଛି । ପୌଷ ପୂର୍ଣ୍ଣିମା କିମ୍ବା ଚୈତ୍ର ଶୁକ୍ଳ ନବମୀ ଅର୍ଥାତ୍ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ତିଥିରେ ମହାପ୍ରଭୁ ରାମ ରାଜା ବେଶରେ ଭକ୍ତଜନଙ୍କୁ କୃପା ପ୍ରଦାନ କରିଥାନ୍ତି । ଏହି ବେଶରେ ଦଣ୍ଡ ଛତ୍ର ନୀତି ଅନୁଷ୍ଠିତ ହୋଇଥାଏ । ତେବେ ମାଦଳା ପାଞ୍ଜିର ତଥ୍ୟ ମୁତାବକ ଜଗନ୍ନାଥଙ୍କୁ ଦର୍ଶନ କରି ଅତି ଆନନ୍ଦରେ ଭାବମୟ ହୋଇ ସନ୍ଥ ତୁଳସୀ ଦାସଙ୍କ ସ୍ମୃତିରେ ଏହି ବେଶଟି ହେଉଥିଲେ ମଧ୍ୟ ଷୋଡ଼ଶ ଶତକରେ ରାମାନୁଜାଚାର୍ଯ୍ୟ ଏହାର ପ୍ରବର୍ତ୍ତନ କରିଥିଲେ ବୋଲି ସ୍ୱତ୍ୱଲିପିରେ ଉଲ୍ଲେଖ ରହିଛି । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଶ୍ରୀରାମ ନବମୀ ଅର୍ଥାତ୍ ଚୈତ୍ର ଶୁକ୍ଳ ନବମୀ ଦିନ ଶ୍ରୀଜୀଉଙ୍କ ରଘୁନାଥ ବେଶ ଅତ୍ୟନ୍ତ ଭାବମୟ କରିଦିଏ । ଏହି ବେଶଟି ମହାପ୍ରଭୁଙ୍କ ଏକ ପ୍ରକାର ବ୍ୟୟ ବହୁଳ ବେଶ କହିଲେ ଅତୁ୍ୟକ୍ତି ହେବନାହିଁ । ଷୋଡ଼ଶ ଶତକର ମହାନ ଆଧ୍ୟାତ୍ମିକ ସାଧକ ରାମାନୁଜଚାର୍ଯ୍ୟଙ୍କ ପ୍ରବର୍ତ୍ତିତ ଏହି ବେଶଟି ଏବେ ଅନେକ କାରଣରୁ ନିୟମିତ ହୋଇପାରୁନାହିଁ । ତେବେ ଏହି ସମସ୍ତ ବେଶ ଗୁଡ଼ିକ ମହାପ୍ରଭୁଙ୍କ କୋଟି କୋଟି ଭକ୍ତଜନଙ୍କୁ କୃପା ପ୍ରଦାନ କରିଥାଏ । 
ମୋ: ୮୯୧୭୩୭୭୯୮୭