ତେଜିଲା ଜଲିଉଡ଼ କଳି


 ଭୁବନେଶ୍ୱର: ଜଲିଉଡ଼ କଳି ଥମିବାର ନାଁ ଧରୁନାହିଁ  । ପେଣ୍ଡାଲ ବାହାରେ ମାଲିକ ଓ କଳାକାରଙ୍କ ଡାଇଲଗବାଜି ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି  । ଉଭୟ ଉଭୟଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି  । ଯାତ୍ରା କଳାକାର ନିଜକୁ ମାଲିକଙ୍କଠୁ ଉପରେ ମନେ କରୁଥିବାବେଳେ ମାଲିକମାନେ ବି କଳାକାରଙ୍କୁ ମୂଲିଆ ମଜଦୁର କହିବାକୁ ପଛାଉନାହାନ୍ତି  । ସମ୍ପ୍ରତି ଓଲିଉଡ଼ ଶିଳ୍ପ ଉଠି ପାରୁନଥିବାବେଳେ ଜଲିଉଡ଼ ହିଁ ଗାଁ ଗାଁରେ କଳାର ଟେକ ରଖିଛି  । ଏଭଳି ସ୍ଥିତିରେ ସରକାର ତୁରନ୍ତ ହସ୍ତକ୍ଷେପ କରି ଆପୋଷ ବୁଝାମଣା କରିବା ଦରକାର ବୋଲି କଳାକାରଙ୍କ ମହଲରେ ମତ ପ୍ରକାଶ ପାଉଛି  ।
ଗତ କିଛିଦିନ ଧରି ଜଲିଉଡ଼ ଉପରେ ଶନିଙ୍କ ବକ୍ର ଦୃଷ୍ଟି ପଡ଼ିଥିବା ମନେହେଉଛି  । କେବେ ପୀୟୁଷଙ୍କୁ ନେଇ କଳି ତ କେବେ ନରି ପଣ୍ଡାଙ୍କୁ ନେଇ  । ଅତୀତରେ ହେଉଥିବା ଏମିତି କଳି ଚୁଟକିରେ ଛିଣ୍ଡି ଯାଉଥିଲା  । ଏବେ କିନ୍ତୁ ମାଲିକ ଓ କଳାକାରମାନେ ଛୋଟ କଳିକୁ ମେନ୍ଥିମାନ୍ଥି ବଡ଼ କରିବାରେ ଲାଗିଛନ୍ତି  । ନରି ପଣ୍ଡାଙ୍କ ଉପରେ ବ୍ୟାନ୍ ନଉଠିଲେ ଯାତ୍ରା ବନ୍ଦ କରିବାକୁ କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା ଧମକ ଦେଇଥିଲେ  । ଏହାର ଜବାବରେ  ମାଲିକ ସଂଘ ବି କଡ଼ା ଟିପ୍ପଣୀ ଦେଇଛନ୍ତି  । ମାଲିକ ସଂଘର ଉପସଭାପତି ପବିତ୍ର ପାତ୍ର କହିଛନ୍ତିଯେ, ଯଦି ସେମାନଙ୍କର ଦମ୍ ଅଛି ତେବେ ଆଜି ଯାତ୍ରା ବନ୍ଦ କରନ୍ତୁ  । ଯଦି ଯାତ୍ରା ବନ୍ଦ କରିବ, ଆମେ ଜାଣିବୁ ତୁମେ କଳାକାର  । ଯାହା ପଇସା ନେଇଛନ୍ତି, ଫେରାଇ ଦେଇ ଯାତ୍ରା ଛାଡ଼ି ଦିଅନ୍ତୁ  । ଆମେ ମାଲିକ ନଥିଲେ ସେମାନେ କି କଳାକାର  । ମୂଲ ଲାଗିଲେ ଦିନକୁ ୫ ଶହ ଟଙ୍କା ମିଳନ୍ତା  । କିନ୍ତୁ ସେମାନେ ମାସକୁ ୪୦ରୁ ୫୦ ହଜାର ଟଙ୍କା ପାଉଛନ୍ତି  । ମାଲିକ ସଂଘର ଏଭଳି ମତକୁ ଅନେକ କଳାକାର ସହଜରେ ଗ୍ରହଣ କରିପାରିନାହାନ୍ତି  । ଏହା କଳାକାରଙ୍କ ପ୍ରତି ଅପମାନ ବୋଲି କହିଛନ୍ତି  ।
ଏନେଇ ସାଧାରଣ ଦର୍ଶକଙ୍କ କହିବା କଥା ହେଉଛି, ସିନେମା ହଲ୍ ଅଭାବରୁ ଓଡ଼ିଆ ସିନେମା ଗାଁ ଗାଁରେ ପହଁଚି ପାରୁନାହିଁ  । ଲୋକମାନେ ଓଡ଼ିଆ ସିନେମା ଦେଖିବାରୁ ବଞ୍ଚôତ ହେଉଛନ୍ତି  । କିନ୍ତୁ ଗାଁ ଗାଁରେ ଯାତ୍ରାର ବହୁତ୍ କ୍ରେଜ୍ ରହିଛି  । ଲୋକମାନେ ସିନେମା ଟିକେଟ ଠାରୁ ଅଧିକ ଦାମ୍ରେ ଯାତ୍ରା ଟିକେଟ୍ କିଣି ରାତ୍ରି ଅନିଦ୍ରା ବି ହେଉଛନ୍ତି  । ଏଭଳି ସ୍ଥିତିରେ କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ କଳି ଜାରି ରହିଲେ ତାହା ଆଗାମୀ ଦିନରେ ବିଷମ ସ୍ଥିତି ସୃଷ୍ଟି କରିବ  । ଉଭୟ କଳାକାର ଓ ଯାତ୍ରା ମାଲିକ ପରସ୍ପରର ପରିପୂରକ  । ତେଣୁ ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି  ।