ୟୁନେସ୍କୋରେ ସାମିଲ ହେଲା ଗୀତା
gita bhagavad unesco
ନୂଆଦିଲ୍ଲୀ : ୟୁନେସ୍କୋ ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟର୍ରେ ସାମିଲ ହେଲା ଭଗବତ ଗୀତା ଏବଂ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର ଭଳି ଦୁଇ ପାଣ୍ଡୁଲିପି । ୭୨ଟି ଦେଶରୁ ଭିନ୍ନ ଭିନ୍ନ କ୍ଷେତ୍ରକୁ ନେଇ ବିଭିନ୍ନ ଐତିହ୍ୟ ଏଥିରେ ସ୍ଥାନ ପାଇଥିବା ବେଳେ ଭାରତର ଦୁଇ ପାଣ୍ଡୁଲିପି ସ୍ଥାନ ପାଇଥିବାରୁ ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଶୁକ୍ରବାର ଏ ସମ୍ପର୍କରେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିବା ସହ ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଉଲ୍ଲେଖ କରିଛନ୍ତି । ଏହା ଆମର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ପରିଚୟ । ଗୀତା ଏବଂ ନାଟ୍ୟଶାସ୍ତ୍ର ଦୀର୍ଘ ଶତାବ୍ଦୀ ଧରି ସଭ୍ୟତା ଏବଂ ଚେତନାକୁ ପୋଷଣ ଦେଇ ଆସିଛି ବୋଲି ଉଲ୍ଲେଖ କରିଛନ୍ତି ।
ତେବେ ୧୭ ଏପ୍ରିଲରେ, ୟୁନେସ୍କୋ ନିଜର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟର୍ରେ ୭୪ଟି ନୂତନ ଡକ୍ୟୁମେଣ୍ଟାରୀ ଐତିହ୍ୟ ଯୋଡ଼ିଥିବା ବେଳେ ଭାରତର ଦୁଇ ପାଣ୍ଡୁଲିପି ଏହାର ଅନ୍ତର୍ଭୁକ୍ତ । ତେବେ ଏହି ୭୪ଟି ନୂତନ ଐତିହ୍ୟକୁ ନେଇ ୟୁନେସ୍କୋର ମୋଟ ସଂଗୃହୀତ ୫୭୦କୁ ବୃଦ୍ଧି ପାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, "ଭାରତୀୟ ସଭ୍ୟତା ଓ ଐତିହ୍ୟ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ।’