ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ ‘ଆପଣ ନୂଆ ଆଇନ କରନ୍ତୁନି’

ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ ‘ଆପଣ ନୂଆ ଆଇନ କରନ୍ତୁନି’

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ଅପରାଧିକ ମାମଲାର ଏକ ରାୟ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ଅପରାଧୀଙ୍କୁ ଜାମିନ ଦେବା ମାମଲାରେ ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ଯେ, ଜଣେ ଦୋଷୀ ଅଧା ସଜା ନକାଟିବା ପର୍ଯ୍ୟନ୍ତ ଜାମିନ ଦିଆଯିବ ନାହିଁ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିବା ସହ କଟାକ୍ଷ କରି ସୁପ୍ରିମକୋର୍ଟ କହିଛନ୍ତି, ‘ଆପଣ ନିଜର ନୂଆ ଆଇନ ତିଆରି କରିଛନ୍ତି । ଏହି ନୂଆ ଆଇନର କୌଣସି ଆଇନଗତ ଆଧାର ନାହିଁ ।’ ପୂର୍ବରୁ ଯେଉଁ ଆଇନ ପ୍ରଚଳିତ ଅଛି ସେହି ଆଧାରରେ ଉଚ୍ଚ ଅଦାଲତ ଶୁଣାଣି କରିବା ଆବଶ୍ୟକ ବୋଲି ହାଇକୋର୍ଟଙ୍କୁ ଚେତାବନୀ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଅଭୟ ଓକା ଏବଂ ବିଚାରପତି ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ବିଚାର କରି ସମ୍ପୃକ୍ତ ଦୋଷୀଙ୍କୁ ଜାମିନ ପ୍ରଦାନ କରିବା ସହ ହାଇକୋର୍ଟଙ୍କୁ ସମାଲୋଚନା କରିଛନ୍ତି । ଏହାସହ କହିଛନ୍ତି ଯେତେବେଳେ ହାଇକୋର୍ଟରେ ଆବେଦନ ବିଚାରାଧୀନ ଥାଏ ଏବଂ ଶୀଘ୍ର ଶୁଣାଣିର କୌଣସି ସମ୍ଭାବନା ନ ଥାଏ, ସେତେବେଳେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଜାମିନ ଦିଆଯାଇପାରିବ । କିନ୍ତୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଉପରୋକ୍ତ ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ଜଣେ ଅଭିଯୁକ୍ତଙ୍କ ପକେଟରୁ ସନ୍ଦିଗ୍ଧ ନୋଟ୍‌ ମିଳିଥିଲା । ଯେଉଁଥି ପାଇଁ ଅଭିଯୁକ୍ତକୁ ଜେଲ୍‌ ହୋଇଥିଲା । ଏହାକୁ ନେଇ ଅଭିଯୁକ୍ତ ଜଣକ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଯାହା ଉପରେ ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ ଯେ ଅଭିଯୁକ୍ତ ତାଙ୍କ ଅପରାଧ ପାଇଁ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ତେଣୁ ତାଙ୍କୁ ଜାମିନ ଦିଆଯାଇପାରିବ ନାହିଁ । ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । କିନ୍ତୁ ୨ ମାସ ମଧ୍ୟରେ ସେ ପୁଣି ଥରେ ଜାମିନ ପାଇଁ ଆବେଦନ କରିଥିଲେ । ଏପରି ପରିସ୍ଥିତିରେ, ଅଭିଯୁକ୍ତଙ୍କୁ ଅଧା ସଜା ନ କାଟିବା ପର୍ଯ୍ୟନ୍ତ ଜାମିନ ମିଳିପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଲକ୍ଷାଧିକ ମାମଲାର ଶୁଣାଣି ହୋଇପାରୁ ନାହିଁ । ଯଦି ନ୍ୟାୟପାଳିକା ଏଭଳି ଢଙ୍ଗରେ ଚାଲେ ତେବେ ହଠାତ କୌଣସି ମାମଲାର ବିଚାର କରିବା କଷ୍ଟକର ହୋଇପଡ଼ିବ । ଏଣୁ ସୁପ୍ରିମକୋର୍ଟ ଏପରି ମାମଲାରେ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।