ଗାଡ଼ିର ଇନ୍ସ୍ୟୁରାନ୍ସ ନଥିଲେ ଧରିବ ଟୋଲଗେଟ୍ , ଯିବ ଇ-ଚାଲାଣ

ଏଣିକି ବୈଧ ଦସ୍ତାବିଜ ନଥାଇ ରାସ୍ତାରେ ମୋଟର ଯାନ ଚଳାଇବା ମହଙ୍ଗା ପଡ଼ିବ । ଯଦି ମୋଟରଯାନର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ନଥିବ ତାହା ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ଚିହ୍ନଟ ହେବ । ଏହାସହିତ ଗାଡ଼ି ମାଲିକଙ୍କ ନିକଟକୁ ଇ-ଚାଲାଣ ମଧ୍ୟ ଜାରି ହେବ । ଆସନ୍ତା ଫେବୃୟାରୀ ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଇନ୍ସ୍ୟୁରାନ୍ସ (ବୀମା) ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଇ-ଚାଲାଣ ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ ମସିହାରୁ ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ଟୋଲଗେଟ୍ ଗୁଡ଼ିକରେ ମୋଟର ଯାନର ବୈଧ ଦସ୍ତାବିଜ ଅଛି ଯାଂଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଆଜି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, “ମୋଟରଯାନରେ ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ୍ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ଆସନ୍ତା ଫେବୃୟାରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବ ।”

ସୂଚନା ଅନୁସାରେ, ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ ମସିହାରୁ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ବିକଶିତ କରି ଟୋଲଗେଟ୍ ଦେଇ ଯାତାୟତ କରୁଥିବା ମୋଟରଯାନଗୁଡ଼ିକର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ ତାହା ଜାଣିବାକୁ ପଦକ୍ଷେପ ନେଇଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଟୋଲଗେଟ୍ ସହ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ସମ୍ମିଳିତ କରାଇ ପରୀକ୍ଷାମୂଳକ ଭାବେ ଏହାର କାର୍ଯ୍ୟକାରିତା ଯାଂଚ କରିଥିଲେ । ଟୋଲଗେଟ୍ ଦେଇ ଯାତାୟତ କରୁଥିବା ସମସ୍ତ ମୋଟର ଯାନଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ୍ ପୋର୍ଟାଲକୁ ବିକଶିତ କରିଛନ୍ତି । ଯାହାକି ମୋଟରଯାନର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ସରକାରଙ୍କ ‘ବାହନ’ ପୋର୍ଟାଲକୁ ଯାଂଚ କରି ଗାଡ଼ିର ବୈଧ ଦସ୍ତାବିଜ ଅଛି କି ନାହିଁ ତାହା ଦର୍ଶାଇବ । ଏହାପରେ ଖିଲାପୀ ଗାଡ଼ି ମାଲିକଙ୍କ ନିକଟକୁ ଇ-ଚାଲାଣ(ଜୋରିମାନା) ପଠାଯିବ । ପରିବହନ ବିଭାଗ ସମ୍ପୃକ୍ତ ଖିଲାପୀ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଉଲ୍ଲେଖଯୋଗ୍ୟ, ଏବେ ରାଜ୍ୟରେ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲଗେଟ୍ ଦେଇ ଦୈନିକ ପ୍ରାୟ ୩୦ହଜାର ଗାଡ଼ି ଯାତାୟତ କରୁଛି । ଏହି ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ସମସ୍ତ ଗାଡ଼ିକୁ ଯାଂଚ କରିବା ମଧ୍ୟ ସହଜ ହେବ । ବିଶେଷକରି ଖଣି ଓ ଶିଳ୍ପାଂଚଳରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ସରକାରଙ୍କ ପାଇଁ ସହଜ ହେବ । ରାଜ୍ୟ ସରକାରଙ୍କ ମୋଟର ଯାନ ଆଇନ ଅନୁସାରେ ସମସ୍ତ ଗାଡ଼ିରେ ବୀମା ବାଧ୍ୟତାମୂଳକ । ଯଦି କୌଣସି ଗାଡ଼ି ବିନା ବୀମାରେ ରାସ୍ତାରେ ଯାତାୟତ କରେ ସମ୍ପୃକ୍ତ ଗାଡ଼ିର ମାଲିକଙ୍କୁ ୨ହଜାର ଟଙ୍କା ଜୋରିମାନା ଓ ୩ମାସ ଜେଲ୍ ଅବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ । ଯଦି ବାରମ୍ବାର ଖିଲାପୀ ପ୍ରମାଣିତ ହେବେ ତାଙ୍କଠୁ ଜେଲ୍ ସହ ୪ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ।