ତ୍ବଚା ପାଇଁ ବରଦାନ ଲିଚୁକୋଳି

ତ୍ବଚା ପାଇଁ  ବରଦାନ ଲିଚୁକୋଳି

 ଗାଁରୁ ସହର, ସବୁଠି ଲିଚୁକୋଳିର ଚାହିଦା କହିଲେ ନସରେ। ଚୀନରୁ ଉଦ୍ଭବ ଏହି କ୍ଷୁଦ୍ର ତଥା ରସାଳ ଫଳ କେବଳ ପାଟିର ସ୍ବାଦ ମେଣ୍ଟାଇନଥାଏ, ବରଂ ବିଭିନ୍ନ ପୋଷକର ଗନ୍ତାଘର  ।
ଏହି ଖରାଦିନିଆ ଫଳରେ ମାଗ୍ନେସିଅମ୍, ଫସ୍‌ଫରସ୍, ଲୌହସାର, ମାଙ୍ଗାନିଜ୍ ଓ ତମ୍ବା ପରି ନାନା ପ୍ରକାର ଖଣିଜ ରହିଛି, ଯାହା ଆମର ଅସ୍ଥିସମୂହକୁ ଦୃଢ଼ ତଥା ଶକ୍ତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ଲିଚୁର ସବୁଠୁ ଉଲ୍ଲେଖନୀୟ ଗୁଣଟି ହେଲା ଏହାର ପ୍ରଚୁର ଜଳୀୟଅଂଶ । ଏହି ଫଳର ପ୍ରାୟ ୮୨ ପ୍ରତିଶତ ହେଉଛି ଜଳ। ତେଣୁ ଗ୍ରୀଷ୍ମ ବେଳେ ଶରୀରକୁ ଜଳୀୟ ରଖିବା ଲାଗି ଲିଚୁ ଏକ ସର୍ବଗ୍ରାହ୍ୟ ପସନ୍ଦ। ଏହା ମଧ୍ୟ ‘ଭିଟାମିନ୍ ସି’ର ଏକ ପ୍ରଭୂତ ଉତ୍ସ, ଯାହା ଆମ ରୋଗପ୍ରତିରୋଧ ପ୍ରଣାଳୀକୁ ଉତ୍‌ପ୍ରେରିତ କରିଥାଏ।

 ବିଶେଷ କରି ଖରାଦିନେ ଶରୀର ଅଧିକ ସଂକ୍ରମଣର ଶିକାର ହେବା ସହ ତାପ-ଭିତ୍ତିକ ଅସୁସ୍ଥତାର ଆଶଙ୍କା ଥିବାରୁ ରୋଗ ପ୍ରତିରୋଧକତା ବଢ଼ାଇବା ପାଇଁ ଲିଚୁ କୋଳି ବିଶେଷ ଉପକାରୀ। ଏଥିରେ ପ୍ରଚୁର ପରିମାଣର ଫ୍ଳାଭିନଏଡ୍ ପରି ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ପ୍ରଦାହକୁ ହ୍ରାସ କରି ଅକ୍ସିଡେଟିଭ୍ ଚାପ କମାଇପାରିବ ଏବଂ ହୃଦ୍‌ରୋଗ ଓ କର୍କଟ ପରି ଦୀର୍ଘମିଆଦୀ ରୋଗ ଆଶଙ୍କାକୁ ମଧ୍ୟ କମାଇପାରିବ।

ଲିଚୁ କୋଳି ମଧ୍ୟ ତ୍ବଚାର ଯତ୍ନ ପାଇଁ ଏକ ବରଦାନ। ଏଥିରେ ଥିବା ‘ଭିଟାମିନ୍ ସି’ ଚର୍ମର ନମନୀୟତା ବଜାୟ ରଖୁଥିବା କୋଲାଜେନ୍ ପ୍ରୋଟିନ୍ ସୃଷ୍ଟି କରିଥାଏ। ଏହା ମଧ୍ୟ ତନ୍ତୁଯୁକ୍ତ ହୋଇଥିବାରୁ ହଜମରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟ ଦୂରେଇଥାଏ। ଏହା ଏକ କମ୍ କ୍ୟାଲୋରିଯୁକ୍ତ ଫଳ ହୋଇଥିବାରୁ ପାଟିର ଶର୍କରା କ୍ଷୁଧା ପୂରଣ କରିବା ସହ ଶରୀରର ଓଜନବୃଦ୍ଧିକୁ ମଧ୍ୟ ରୋକିଥାଏ। ଏଥିରେ ଥିବା ପୋଟାସିଅମ୍ ଖଣିଜ ହୃତ୍‌ପିଣ୍ଡ କ୍ରିୟାକୁ ସୁଗମ ରଖିବା ସହ ରକ୍ତଚାପକୁ ମଧ୍ୟ ନିୟମିତ କରିଥାଏ।