ସଜନା ଫୁଲ ଖାଇଲେ ମିଳେ ଅନେକ ଫାଇଦା

ସ୍ବାସ୍ଥ୍ୟ ପାଇଁ ଭାରି ଉପକାରୀ ସାଗ । ଖାସ୍ କରି ଆଖିକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସଜନା ସାଗ ଖାଇବା ପାଇଁ ଡାକ୍ତର ବି ପରାମର୍ଶ କରନ୍ତି । ଗାଁ ଗହଳୀ ଠାରୁ ଆରମ୍ଭ କରି ସହରୀଲୋକ ପର୍ଯ୍ୟନ୍ତ ସବୁ ସଜନା ପତ୍ରର ସାଗ ଓ ତାର ଛୁଇଁକୁ ତରକାରୀ କରି ଖାଇବାକୁ ଭାରି ଭଲ ପାଆନ୍ତି । ବିଶେଷ କରି ସମ୍ବରରେ ସଜନା ଛୁଇଁର ବ୍ୟବହାର ଅଧିକ ହୋଇଥାଏ । ତେବେ ସଜନା ଛୁଇଁ ଏବଂ ସାଗ ସ୍ବାସ୍ଥ୍ୟ ପାଇଁ ତ ଭାରି ହିତକାରୀ କିନ୍ତୁ ଏହାର ଫୁଲର ଗୁଣବତ୍ତା ବିଷୟରେ ଆପଣ ଜାଣିଛନ୍ତି କି ? ଛୁଇଁ ଅପେକ୍ଷା ସଜନାର ଫୁଲ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା ।
ପ୍ରୋଟିନ୍ ଓ ଅନେକ ପ୍ରକାରର ଭିଟାମିନରେ ଭରପୁର ସଜନା ଫୁଲ । ଏଣୁ ଏହାକୁ ସ୍ୱାସ୍ଥ୍ୟପାଇଁ ବେସ ଲାଭଦାୟକ ବୋଲି କୁହାଯାଏ । ସଜନା ଫୁଲ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସଜନା ଫୁଲ ସହାୟକ ହୋଇଥାଏ । ଏହାକୁ ଆପଣ ଖାଦ୍ୟରେ ସାମିଲ କଲେ ସଂକ୍ରମଣ ଜନିତ ରୋଗ କମ୍ ହୋଇଥାଏ । ସଜନା ଫୁଲରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀରକୁ କ୍ଷତି ପହଁଞ୍ଚାଉଥିବା ଫ୍ରି ରେଡକଲ୍ସର ପ୍ରଭାବ କମ୍ କରିବାରେ ଏହା ସହାୟକ ହୋଇଥାଏ । ସଜନା ଫୁଲରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କ ପାଚନ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହାସହ ଫୁଲରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପେଟରେ ସଂକ୍ରମଣ, ଅଲସର, ଗ୍ୟାସ ଭଳି ସମସ୍ୟାକୁ ଦୂର କରିଥାଏ । ଯଦି ଆପଣଙ୍କର ଓଜନ ଅସ୍ୱଭାବିକ ଭାବେ ବୃଦ୍ଧି ପାଉଛି ତେବେ ଆପଣଙ୍କ ପାଇଁ ସଜନା ଫୁଲ ରାମବାଣ ଭଳି କାମ କରିଥାଏ । ଏହି ଫୁଲରେ କ୍ୟାଲୋରୀଜେନିକ ଏସିଡ ନାମକ ଏକ ଆଣ୍ଟି ଅକ୍ସିଡେଣ୍ଟ ରହିଛି । ଯାହା ଶରୀରରେ ଜମାଟ ବାନ୍ଧୁ ଥିବା ଏକ୍ସଟ୍ରା ଚର୍ବିକୁ ତରଳାଇବାରେ ସହାୟକ ହୋଇଥାଏ । ଏହାସହ ଏହି ଫୁଲରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ପାଚନତନ୍ତ୍ରକୁ ସୁସ୍ଥ ରଖିବା ସହ ଭୋକକୁ ବି କଣ୍ଟ୍ରୋଲ କରିଥାଏ । ପୁରୁଷ ମାନଙ୍କର ଶକ୍ତି ବୃଦ୍ଧି କରିବାରେ ବି ସଜନା ଫୁଲ ସହାୟକ ହୋଇଥାଏ । ଏହି ଫୁଲକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆଳସ୍ୟ ଓ ଦୁର୍ବଳତା ଦୂର ହୋଇଥାଏ । ଅନେକ ଥର ଦେଖିବାକୁ ମିଳିଥାଏ ଯେ ମହିଳାମାନେ ପିଲାଜନ୍ମ କରିବା ପରେ ସେମାନଙ୍କ ଶରୀରରେ କ୍ଷୀର ଉତ୍ପାଦନ କରିବାର ଶକ୍ତି କମଥାଏ । ଏଥିରୁ ମୁକ୍ତି ପାଇବାକୁ ସଜନା ଫୁଲକୁ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ ।