ମନକୁ ନେଇ ଦୁନିଆ
ଆଜ୍ଞା ନମସ୍କାର,
ଆମ ନିଜର ଚିନ୍ତାଧାରା ଏବଂ ଦୃଷ୍ଟିଭଙ୍ଗୀ ଯେଉଁଭଳି ହେବ ଆମକୁ ସବୁକିଛି ଠିକ୍ ସେହିଭଳି ଲାଗିବ । ବିଭିନ୍ନ ପ୍ରକାରର ଅସାମାଜିକ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ସେଭଳି ଏକ ସମାଜରେ ମଣିଷ ନିଜକୁ ନିରାପଦ ମଣିବ ନାହିଁ । କାରଣ ନିଜ ବାସଗୃହ ଚାରିପଟେ ଘଟୁଥିବା ଘଟଣାଗୁଡ଼ିକ ତା'ମନରେ ବହୁ ପ୍ରଭାବ ପକାଏ ଏବଂ ପରିବେଶର ଅପରାଧଗୁଡ଼ିକ ଯେକୌଣସି ସମୟରେ ନିଜ କ୍ଷେତ୍ରରେ ଘଟିଯିବାର ସମ୍ଭାବନା ଥାଏ । ତେଣୁ ବ୍ୟକ୍ତି ପରିବେଶକୁ ନେଇ ନିଜ ଚିନ୍ତାଧାରାକୁ ପ୍ରଭାବିତ କରେ ଏବଂ ଚିନ୍ତାଧାରାକୁ ନେଇ ସେ ଅନ୍ୟମାନଙ୍କର ମଧ୍ୟ ମୂଲ୍ୟାୟନ କରେ । ଯିଏ ଯେଉଁ ପ୍ରକାରର ଚିନ୍ତା କରିବ ତାକୁ ପରିବେଶଟା ସେହିଭଳି ହିଁ ଲାଗିବ । ଯେଉଁ ସମାଜରେ ଅପରାଧପ୍ରବଣତା ଅଛି ବ୍ୟକ୍ତି ସେଠାରେ ସେହି ଅପରାଧଗୁଡ଼ିକର ସମ୍ପର୍କରେ ଚିନ୍ତା କରି ନିଜ କ୍ଷେତ୍ରରେ ସେସବୁ ଘଟି ଯାଉଥିବାର ସ୍ୱପ୍ନ ଦେଖିବ । ଶାନ୍ତ ଏବଂ ସ୍ୱାଭାବିକ ଜୀବନ ଯାପନ ଚାଲିଥିବା ସମାଜରେ ମନୁଷ୍ୟ ଅପରାଧ କଥା ଚିନ୍ତା କରିବ ନାହିଁ ଏବଂ ତାର ଚିନ୍ତାଧାରା ନକାରାତ୍ମକ ନହୋଇ ସକାରାତ୍ମକ ହେବ । ତେଣୁ ବ୍ୟକ୍ତି ଯେଉଁ ପରିସ୍ଥିତିରେ ରହେ ସେହିଭଳିି ଚିନ୍ତାଧାରା ତା'ମନରେ ସୃଷ୍ଟି ହୁଏ । ମନର ଚିନ୍ତାଧାରାକୁ ନେଇ ନିଜର ବ୍ୟକ୍ତିତ୍ୱ ଉପରେ ସମାଜର ପ୍ରତିଫଳନକୁ ଦେଖେ । ସେଥିପାଇଁ କୁହାଯାଏ ଯିଏ ଯେଉଁଭଳି ଚିନ୍ତା କରିବ ସେ ପରିବେଶଟା ତାକୁ ସେହିଭଳି ହିଁ ଲାଗିବ ।
ଅନ୍ୟକୁ ସାହାଯ୍ୟ, ସହଯୋଗ କରିବା, କାହାରି ସହିତ ଶତ୍ରୁତା ଆଚରଣ ନ କରିବା, ଅନ୍ୟ ପ୍ରତି ସହନଶୀଳ ରହିବା ଭଳି ଗୁଣଗୁଡ଼ିକ ଥିଲେ ମଣିଷ ସାଧାରଣ ଭାବରେ ଶାନ୍ତିରେ ରହିଛି ବୋଲି ଜଣାପଡ଼େ । ନିଜ ଚିନ୍ତାଧାରାର ପ୍ରତିଫଳନ ନିଜ ଠାରେ ହିଁ ପ୍ରତିଫଳିତ ହୁଏ । ଜଣେ ଲୋକ ମନ ଭିତରେ ବିଭିନ୍ନ ପ୍ରକାରର ନକାରାତ୍ମକ ଚିନ୍ତାଧାରାକୁ ନେଇ ଶାନ୍ତିରେ ରହିପାରିବ ନାହିଁ କିମ୍ବା ସହିପାରିବ ନାହିଁ । ଅନ୍ୟମାନଙ୍କୁ ସନେ୍ଦହ କରିବା ଠାରୁ ଆରମ୍ଭ କରି ଶତ୍ରୁତା ଆଚରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଭାବନାଗୁଡ଼ିକ ନିଜ ପାଇଁ ବହୁତ କ୍ଷତିକାରକ । ସମାଜ ଭିତରେ ସତର୍କ ହୋଇ ଚଳିବା ସହ ବୁଦ୍ଧିମତ୍ତାର ପ୍ରୟୋଗ କରି ଅନାବଶ୍ୟକ ଭାବରେ ନିଜର ଶତ୍ରୁ ସୃଷ୍ଟି କରିବା ଅନୁଚିତ୍ । ବ୍ୟକ୍ତି, ଶତ୍ରୁ ସଂଖ୍ୟା ଅଧିକ ବୋଲି ଭାବିଲେ ବାସ୍ତବ କ୍ଷେତ୍ରରେ ତାର ଶତ୍ରୁ ସଂଖ୍ୟା ବୃଦ୍ଧି ପାଇଯାଏ । ତେଣୁ ଯେଉଁ ଭଳି ଚିନ୍ତାଧାରା ମନ ଭିତରେ ଜଣେ ରଖିବ, ତାହା ବାସ୍ତବ କ୍ଷେତ୍ରରେ ତାର ଜୀବନକୁ ପ୍ରଭାବିତ କରିବ । ତେଣୁ ଆମର ଦୃଷ୍ଟି ଯେପରି ହେବ, ଜଗତଟା ଆମ ଆଗରେ ସେପରି ହିଁ ଦୃଶ୍ୟମାନ ହୋଇଉଠିବ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।