ଜେଲ୍ ସଂସ୍କାର ଦିଗରେ ଦୁଇ ପାଦ ଆଗକୁ
ଅଳ୍ପ କେତେବର୍ଷ ହେଲା ରାଜ୍ୟରେ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୌଣସି ଏକ ପରିସ୍ଥିତିରେ ପଡ଼ି କେହି ଜଣେ ଅପରାଧ କରିସାରିବା ପରେ ଦଣ୍ଡସ୍ୱରୂପ କିଛି କାଳ ଜେଲ୍ରେ ରହିବାକୁ ପଡ଼େ । ବର୍ତ୍ତମାନ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ଏହି ଜେଲ୍ ଗୁଡ଼ିକ ଲୋକଙ୍କୁ ଯନ୍ତ୍ରଣା ଦେବାର ଏକ ସ୍ଥାନ ପରିବର୍ତ୍ତେ ଲୋକଙ୍କର ମାନସିକତାର ପରିବର୍ତ୍ତନର ଏକ ସ୍ଥାନରେ ପରିଣତ ହୋଇଛି । କୌଣସି ଏକ ଅପରାଧ ଘଟାଇବା, ଅପରାଧର ପୃଷ୍ଠଭୂମି ଯାହା ବି ଥାଉନା କାହିଁକି, ପରବର୍ତ୍ତୀ ଅପରାଧ ଦୁନିଆରୁ ବାହାରିଯିବାକୁ ମନ ବଳାଇବା ପ୍ରାୟତଃ ପ୍ରତ୍ୟେକ ବନ୍ଦୀଙ୍କର ଇଚ୍ଛା ହୁଏ । ଏଇଭଳି ଇଚ୍ଛାକୁ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ପୂରଣ କରାଯାଉଛି ।
କେହି ଜନ୍ମରୁ ଅପରାଧୀ ନଥାନ୍ତି । କିନ୍ତୁ ସଙ୍ଗଦୋଷରୁ କିମ୍ବା ପରିସ୍ଥିତିରୁ ବ୍ୟକ୍ତି ଅପରାଧୀରେ ପରିଣତ ହୁଏ । ପରେ ଯଦି ଜୀବନର କିଛି ପରିବର୍ତ୍ତନ ଘଟିବାର ସୁଯୋଗ ମିଳେ, ତାକୁ କେହି ହାତଛଡ଼ା କରନ୍ତି ନାହିଁ । ବର୍ତ୍ତମାନ ରାଜ୍ୟର ସବୁଠାରୁ ବଡ଼ ଜେଲ୍ ଭୁବନେଶ୍ୱରରେ ଥିବା ଲକ୍ଷ୍ମୀସାଗର ଅଞ୍ଚଳରେ ରହିଛି । ଏହି ଜେଲ୍ରେ ବନ୍ଦୀ ଜୀବନ ପରେ ଅନ୍ତେବାସୀମାନଙ୍କର ଭବିଷ୍ୟତ ସାମାଜିକ ଜୀବନ ପାଇଁ ଅନେକ ପ୍ରକାରର ତାଲିମ୍ ଦିଆଯାଉଛି । ସେମାନଙ୍କର ବନ୍ଦୀ ଅବଧୀ କଟିଗଲା ପରେ ସମାଜରେ ଜଣେ ସମ୍ମାନୀୟ ବ୍ୟକ୍ତି ଭାବରେ ଚଳିବା ପାଇଁ ଯେ କୌଣସି ଏକ ବୃତ୍ତିକୁ ଗ୍ରହଣ କରିବାର ସୁଯୋଗ ଦିଆଯାଉଛି । ଲକ୍ଷ୍ମୀ ସାଗରର ଜେଲ୍ରେ ବିଭିନ୍ନ ହସ୍ପିଟାଲ୍ ଗୁଡ଼ିକରେ ଆଟେଣ୍ଡାଟ୍ ଭାବରେ କାମ କରିବା ପାଇଁ ଲୋକଙ୍କର ଅଭାବ ଥିବା ବେଳେ ପ୍ରଥମ ଥର କରି ୩୭ ଜଣ ଜେଲ୍ ଅନ୍ତେବାସୀଙ୍କୁ ମେଡ଼ିକାଲ୍ ଆଟେଣ୍ଟାଟ୍ ତାଲିମ୍ ଦିଆଯାଇଛି । ସେମାନଙ୍କର ଜେଲ୍ ଅବଧୀ ପରେ କୌଣସି ନା କୌଣସି ମେଡ଼ିକାଲ୍ରେ ସେମାନଙ୍କୁ ଆଟେଣ୍ଡାଟ୍ ଭାବରେ ନିଯୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଆଉ କିଛି ଅନ୍ତେବାସୀଙ୍କୁ ଝାରପଡ଼ା ସମେତ ଆହୁରି ୫ଟି ଜେଲ୍ରେ ମାଛ ଚାଷ କରି ସ୍ୱାବଲମ୍ବୀ ହେବାର ତାଲିମ୍ ଦିଆଯାଇଛି । ଏଭଳି କାର୍ଯ୍ୟ ଫଳରେ ଜେଲ୍ରୁ ମୁକୁଳିବା ପରେ ସେମାନେ ଛୋଟ ଛୋଟ ଜାଆଁଳ କେନ୍ଦ୍ର ଏବଂ ମାଛ ଚାଷ ପୋଖରୀ ନିର୍ମାଣ କରି ସେଥିରୁ ସ୍ୱାବଲମ୍ବୀ ହୋଇ ପାରିବେ ଏବଂ ରୋଜଗାର ମଧ୍ୟ କରି ପାରିବେ । ରାଜ୍ୟର ୮୮ଟି ଜେଲ୍ରେ କଏଦୀମାନଙ୍କୁ ପାଠ ପଢ଼ାଯାଉଛି । ଅଧିକ ପାଠ ପଢିÿବା ପାଇଁ ଚାହୁଁଥିବା ଅନ୍ତେବାସୀଙ୍କୁ ପାଠ ପଢ଼ିବା, ନିୟମିତ କ୍ଲାସ୍ କରିବା ଆଦିର ସୁଯୋଗ ଦିଆଯିବା ସହିତ ବିଭିନ୍ନ ପରିକ୍ଷାରେ ବସି ପରିକ୍ଷା ଦିଆଯିବାର ସୁବିଧା ଦିଆଯାଉଛି । ଏଠାରୁ ଗତ ୪ ବର୍ଷ ମଧ୍ୟରେ ଜେଲ୍ରେ ୧୩ ହଜାର ୪୨୩ ଜଣ ପାଠ ପଢ଼ି ଶିକ୍ଷିତ ହୋଇଛନ୍ତି । ଦଶମ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢିଥିବା କଏଦୀମାନଙ୍କୁ ପଢ଼ିବାର ଆଗ୍ରହ ସୃଷ୍ଟି କରାଇ ଶିକ୍ଷିତ କରାଯାଉଛି । ୩୩୧ ଜଣ କଏଦୀ ଏହିଭଳି ଜେଲ୍ ଭିତରେ ଶିକ୍ଷାଲାଭ କରିଛନ୍ତି । ୭୧ ଜଣ ଗ୍ରାଜୁଏସନ୍ କରିଥିବା କଏଦୀ ଏବଂ ୧୩ ଜଣ ଡିଗ୍ରି ଡ଼ିପ୍ଲୋମା ପାଠ ପଢ଼ିଥିବା କଏଦୀ ସେମାନଙ୍କ ଭବିଷ୍ୟତର କ୍ୟାରିଅର୍ ଗଠନ ପାଇଁ ସୁଯୋଗ ପାଇଛନ୍ତି । ଜେଲ୍ ଭିତରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର । ଗର୍ଭବତୀ ମହିଳାମାନେ ପରିସ୍ଥିତି ଚକ୍ରରେ ଜେଲ୍ ଯିବା ପରେ ଜେଲ୍ ଭିତରେ ସେମାନଙ୍କର ଶିଶୁ ଜନ୍ମ ହେବା ପରେ ସେମାନଙ୍କ ସେବା ଯତ୍ନ ପାଇଁ ଏବଂ ପାଠ ପଢ଼ିବା ବ୍ୟବସ୍ଥା ପାଇଁ ଅଙ୍ଗନବାଡ଼ିର ବ୍ୟବସ୍ଥା ରହୁଛି । ଆଜିକାଲି ପ୍ରାୟତଃ ଅଧିକାଂଶ ଜେଲ୍ରେ ପାଠାଗାରର ବ୍ୟବସ୍ଥା ରହିଛି । ସେଠାରେ ଖବରକାଗଜ, ପୁସ୍ତକ ଆଦି ପଢ଼ିବାର ସୁବିଧା ରହିଛି । ସେମାନଙ୍କ କୋଠରୀ ଭିତରେ ବଡ଼ ବଡ଼ ଏଲ୍ଏଇଡ଼ି ବ୍ୟବସ୍ଥା କରାଯାଇ ଦେଶାତ୍ମବୋଧକ ଫିଲ୍ମ, ମହାପୁରୁଷଙ୍କ ଜୀବନୀ ସଂକ୍ରାନ୍ତୀୟ ଫିଲ୍ମ ତଥା ମୁ୍ୟଜିକ୍ ଆଦି ଦେଖିବା ଶୁଣିବାର ବ୍ୟବସ୍ଥା କରାଯାଉଛି । କେତେକ ସ୍ଥାନରେ ତେଲ ପ୍ରସ୍ତୁତ କରିବାର, ହଳଦୀଗୁଣ୍ଡ, ମସଲାଗୁଣ୍ଡ ଆଦି ସବୁ ପ୍ରସ୍ତୁତ କରିବାର, ପନିପରିବା ଚାଷ, କୁଟୀର ଶିଳ୍ପ ଆଦିର ସୁଯୋଗ ଜେଲ୍ ଅନ୍ତେବାସୀଙ୍କୁ ଦିଆଯାଉଛି । ପରବର୍ତ୍ତୀ ସମୟରେ ନିଜ ଜୀବନର ପରିବର୍ତ୍ତନ ପାଇଁ ସେମାନେ ରାସ୍ତା ପାଇ ଯାଉଛନ୍ତି । ଜେଲ୍ ସଂସ୍କାର ଭଳି କାର୍ଯ୍ୟକ୍ରମକୁ ଚଳାଇ ରଖାଗଲେ ବନ୍ଦୀ ଜୀବନ ପରେ ଜଣେ ସ୍ୱାବଲମ୍ବୀ ହେବା ଏବେ ସହଜ ।