ଆମେରିକାର ସ୍ୱାଧୀନତା ଦିବସ


ଜୁଲାଇ ୪ ତାରିଖ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାଧୀନତା ଦିବସ  । ସମଗ୍ର ବିଶ୍ୱରେ ଅଭିବୃଦ୍ଧି, ଶାସନ, ଅର୍ଥପ୍ରତିପତ୍ତି ଓ ସାମରିକ ବ୍ୟବସ୍ଥା ସବୁକିଛିକୁ ତୁଳନା କଲେ ଆମେରିକାରୁ କେହି କେହି ବିଶ୍ୱର ବଡ଼ଭାଇ ବୋଲି କୁହନ୍ତି । ଆମେରିକା ସହିତ ଭାରତର ମଧ୍ୟ ସାମଗ୍ରିକ ଭାବେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ଫୋର୍ଥ ଅଫ ଜୁଲାଇ ନାଁରେ ପ୍ରସିଦ୍ଧ ଏହି ଦିନଟି ସେଠାରେ ଏକ ଛୁଟିଦିନ ଏବଂ ଏହି ଅବସରରେ ସାରା ଦେଶରେ ଆନନ୍ଦ ଉଲ୍ଲାସ ଉତ୍ସବର ପରିବେଶ ସୃଷ୍ଟି ହୋଇଥାଏ  । ୧୭୭୬ ମସିହା ଆଜିର ଦିନରେ ଯୁକ୍ତରାଷ୍ଟ୍ର ଆମେରିକା ଗଠନର ପଦକ୍ଷେପ ସ୍ୱରୂପ ତକ୍ରାଳୀନ ଗ୍ରେଟ୍ ବି୍ରଟେନ୍ ରାଜ୍ୟ (ବର୍ତ୍ତମାନର ୟୁକେ ଅଥବା ଇଂଲଣ୍ଡ) ଠାରୁ ମୁକ୍ତିସୂଚକ ସ୍ୱାଧୀନତାର ଘୋଷଣାପତ୍ର ବିଧିବଦ୍ଧ ଭାବେ ଗୃହୀତ ହୋଇଥିଲା  । ଏହିଦିନ ଦେଶସାରା ବାଣ, ପ୍ୟାରେଡ଼, ଖାନାପିନା, କାର୍ଣିଭାଲ୍, ମେଳା, ପିକ୍ନିକ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ପାରିବାରିକ ଉତ୍ସବ ସମେତ ରାଜନୈତିକ କାର୍ଯ୍ୟକ୍ରମ ଏବଂ ସଭାସମିତି ଅନୁଷ୍ଠିତ ହୋଇଥାଏ  । ଦେଶର ଇତିହାସ, ସଂସ୍କୃତି, ପରମ୍ପରା ଏବଂ ସରକାର ଓ ପ୍ରଶାସନ ଉପରେ କର୍ମଶାଳା ଓ ଆଲୋଚନାଚକ୍ର ଆୟୋଜନ କରାଯାଏ  । ଆମେରିକାର ଏହ ଜାତୀୟ ମହୋତ୍ସବର ଦିନ  । ଏହି ଦିନଟିର ଇତିହାସ ହେଉଛି, ସାରା ବିଶ୍ୱରେ ଉପନିବେଶ ସ୍ଥାପନ କରିଥିବା ଗ୍ରେଟ୍ ବି୍ରଟେନ୍ ପକ୍ଷରୁ ଆମେରିକାରେ ମଧ୍ୟ ଉପନିବେଶ ସ୍ଥାପନ କରାଯାଇଥିଲା  । ତେବେ କାଳକ୍ରମେ ସେଠାରେ ବସତି ସ୍ଥାପନ କରିଥିବା ଶ୍ୱେତାଙ୍ଗ ନାଗରିକମାନେ ଗ୍ରେଟ ବି୍ରଟେନ୍ କବଳରୁ ମୁକ୍ତ ହୋଇ ନିଜର ଏକ ସ୍ୱତନ୍ତ୍ର ରାଷ୍ଟ୍ର ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କଲେ  । ଏହାକୁ ନେଇ ଗ୍ରେଟ ବି୍ରଟେନ୍ ସହ ସଂଘର୍ଷ ସୃଷ୍ଟି ହେଲା ଯାହାକୁ ଆମେରିକାନ୍ ରିଭଲୁ୍ୟସନ୍ ବୋଲି କୁହାଯାଏ  । ୧୭୭୬ ମସିହା ଜୁନ୍ ମାସରେ ଆମେରିକାର ୧୩ଟି କଲୋନୀ ବା ଉପନିବେଶକୁ ଆଇନଗତ ଭାବେ ସ୍ୱାଧୀନ ଘୋଷଣା କରିବା ପାଇଁ ଭର୍ଜିନିଆର ରିଚାର୍ଡ଼ ହେନରୀ ଲି ପ୍ରସ୍ତାବ ଦେଇଥିଲେ ଯାହାକୁ ଜୁଲାଇ ୨ ତାରିଖରେ ଦ୍ୱିତୀୟ କଣ୍ଟିନେଣ୍ଟାଲ୍ କଂଗ୍ରେସ ଗ୍ରହଣ କରିଥିଲା  । 
ସ୍ୱାଧୀନତା ସପକ୍ଷରେ ଭୋଟ ଦେବାପରେ କଂଗ୍ରେସ ଏହି ନିଷ୍ପତ୍ତିକୁ ପ୍ରକାଶ କରୁଥିବା ସ୍ୱାଧୀନତାର ଘୋଷଣାପତ୍ର ଗ୍ରହଣ ଦିଗରେ ପଦକ୍ଷେପ ନେଲା  । ଏହି ଘୋଷଣାପତ୍ର ଏକ ପାଞ୍ଚଜଣିଆ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଯାହାର ମୁଖ୍ୟ ପ୍ରଣେତା ଥିଲେ ଥୋମାସ୍ ଜେଫରସନ୍  । କମିଟି ଏହି ଘୋଷଣାପତ୍ର ଉପରେ ବିତର୍କ କରିବା ସହ ଏଥିରେ ଆବଶ୍ୟକୀୟ ସଂଶୋଧନ ସହ ଚୂଡ଼ାନ୍ତ ଭାବେ ଏହାକୁ ଜୁଲାଇ ୪ ତାରିଖରେ ଗ୍ରହଣ କରିଥିଲେ  । ଯେହେତୁ ଜୁଲାଇ ୨ ତାରିଖରେ ସ୍ୱାଧୀନତାର ପ୍ରସ୍ତାବ ଗ୍ରହଣ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ସେଥିପାଇଁ ସେହି ଦିନଟିକୁ ସ୍ୱାଧୀନତା ଦିବସ ଭାବେ ଗ୍ରହଣ କରାଯିବା କଥା  । କିନ୍ତୁ କଂଗ୍ରେସ ପକ୍ଷରୁ ଘୋଷଣାପତ୍ରରେ ଯେଉଁଦିନ ଦସ୍ତଖତ କରାଗଲା ସେହିଦିନଟିକୁ ସ୍ୱାଧନୀତା ଦିବସ ଭାବେ ଗ୍ରହଣ କରାଗଲା ବୋଲି କୁହାଯାଏ  । ତେବେ କେତେକ ଐତିହାସିକଙ୍କ ମତରେ ବାସ୍ତବରେ ଜୁଲାଇ ୪ ତାରିଖରେ ସ୍ୱାଧୀନତାର ଘୋଷଣାପତ୍ର ସ୍ୱାକ୍ଷର ହୋଇନଥିଲା, ଯଦିଓ ଥୋମାସ୍ ଜେଫର୍ସନ, ଜନ୍ ଆଦାମସ୍ ଏବଂ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ସେହିଦିନ ଦସ୍ତଖତ କରିଥିବା କଥା ଲେଖିଛନ୍ତି  । ଐତିହାସିକଙ୍କ ମତରେ ସ୍ୱାଧୀନତାର ଘୋଷଣାପତ୍ର ଗ୍ରହଣ କରାଯିବାର ଏକମାସ ପରେ ଅର୍ଥାତ୍ ଅଗଷ୍ଟ ୨ ତାରିଖ ୧୭୭୬ରେ ଏଥିରେ ସ୍ୱାକ୍ଷର କରାଯାଇଥିଲା  । ଏହି ଘୋଷଣାପତ୍ର ସହିତ କେତେକ ବିଶିଷ୍ଟ ବ୍ୟକ୍ତିଙ୍କର ବିରଳ ଯୋଗାଯୋଗ ରହିଛି  । ଘୋଷଣାପତ୍ରରେ ଦସ୍ତଖତ କରିଥିବା ଜନ୍ ଆଦାମ୍ସ ଏବଂ ଥୋମାସ୍ ଜେଫରସନ୍, ଯେଉଁମାନେ କି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ, ଏହାର ୫୦ ବର୍ଷ ପୂର୍ତ୍ତି ଦିବସରେ ଅର୍ଥାତ୍ ଜୁଲାଇ ୪ ତାରିଖ ୧୮୨୬ ମସିହାରେ ମୃତୁ୍ୟ ବରଣ କରିଥିଲେ  । ସେହିଭଳି ଘୋଷଣାପତ୍ର ପ୍ରସ୍ତୁତିକାଳର ଅନ୍ୟଜଣେ ବିଶିଷ୍ଟ ନେତା ତଥା ରାଷ୍ଟ୍ରପତି ଜେମ୍ସ ମନରୋଙ୍କର ମଧ୍ୟ ୧୮୩୧ ମସିହାରେ ଏହି ଦିନ ମୃତୁ୍ୟ ଘଟିଥଲା  । ଆମେରିକାର ୩୦ ତମ ରାଷ୍ଟ୍ରପତି ଯିଏ କି ଏହିଦିନ ଜନ୍ମ ଗ୍ରହଣ କରିଥିଲେ  । 
ଡ.ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦