୨୨ ଯାଏଁ କାଳବୈଶାଖୀ

୨୨ ଯାଏଁ କାଳବୈଶାଖୀ

 ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା । ଆସନ୍ତା ୨ ଘଣ୍ଟା ପାଇଁ ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨୨ ତାରିଖ ଯାଏଁ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ ।  ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି , ଯାହା ପ୍ରଭାବରେ ବର୍ଷା ହେଉଛି । ଆଗାମୀ ୩ ଦିନ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ୨ ଦିନ ପରେ ୨ରୁ ୩ ଡିଗ୍ରି  ତାପମାତ୍ରା ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଅର୍ଥାତ ପୁଣି ରାଜ୍ୟରେ  ଅସହ୍ୟ ତାତି ଅନୁଭବ ହେବ । ୨୪ ଘଣ୍ଟା ପାଇଁ ୨୫ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।