ମିଛର ଆଶ୍ରୟ

ନମସ୍କାର,
‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ । ଜୀବନର ଛୋଟ କଥାର ବଡ ବିଚାରକୁ ନେଇ ‘ଅମୃତ ବିନ୍ଦୁ'ର ଉପସ୍ଥାପନା । ଆଜି ଜାଣିବା ମିଛର ଆଶ୍ରୟ ବାବଦରେ କିଛି କଥା । ପ୍ରତ୍ୟେକ ଦିନ ଭଳି ଆଜିର ନିବେଦନକୁ ମଧ୍ୟ ଆପଣ ଗ୍ରହଣ କରନ୍ତୁ, ଅନୁଭବ କରନ୍ତୁ ।

ଜୀବନରେ ସମସ୍ତେ ଅନ୍ୟକୁ ମିଛ ନ କହିବା ପାଇଁ ଉପଦେଶ ଦେଉଥିଲେ ମଧ୍ୟ, ମିଛର ଆଶ୍ରୟ ନ ନେଇ ଅନେକେ ରହିପାରନ୍ତି ନାହିଁ । ମିଛ ହେଉଛି ଏମିତି ଏକ କଥା, ଯାହା ଅନ୍ୟଠୁ ଶୁଣିବା ପାଇଁ ଖରାପ ଲାଗେ; କିନ୍ତୁ ଅନ୍ୟକୁ କହିବା ବେଳକୁ ଭଲ ଲାଗେ ।
ଅନ୍ୟଠୁ ମିଛ ଶୁଣିଲା ବେଳକୁ "ହାଁ ମତେ ମିଛ କହୁଚି’ର ପ୍ରଭାବରେ ପିତ୍ତ ଚହଲିଯାଏ, ହେଲେ ମିଛ କହିଲା ବେଳକୁ ମଣିଷ ଭାବେ "ମୋ ଠୁ କିଏ ଚଲାକ୍ ନା କଣ ?"
ମିଛକୁ ସମସ୍ତେ ନିନ୍ଦା କରୁଥିଲେ ମଧ୍ୟ, ମିଛର ମାହାତ୍ମ୍ୟକୁ ସମସ୍ତେ  ଆବୋରି ରହିଥାଆନ୍ତି । ଗୋଟେ ମିଛକୁ ଘୋଡେଇବା ପାଇଁ ଶହେ ମିଛର ଆବଶ୍ୟକତା ପଡିଥାଏ । ମନ ଭିତରେ ସମସ୍ତେ ଗୋଟେ ଗୋଟେ ମିଛର ମୁଣି ଲୁଚେଇକି ରଖିଥାନ୍ତି । ସେ ମୁଣିରୁ ଅଳ୍ପ, ବହୁତେ ସମସ୍ତେ ବ୍ୟବହାର କରିଥାନ୍ତି କ୍ଷ ହେଲେ ଅନ୍ୟ କାହାର ମିଛ ମୁଣି ଦେଖିଲେ ଚିହିଁକି ଉଠନ୍ତି ।
"ମିଛ କହିବା ମହାପାପ’ ବୋଲି ସମସ୍ତେ କହନ୍ତି । କିନ୍ତୁ ଏହି ପାପକୁ ନିଜ ଜୀବନରୁ ପ୍ରାୟ ଲୋକ ଦୂରେଇପାରନ୍ତି ନାହିଁ । କେତେକ ପରିସ୍ଥିତିରେ ମିଛ ବି ଭଲ । ଯେଉଁ ମିଛରେ ଏକ ମହତ୍ତର ଉଦେ୍ଦଶ୍ୟ ସାଧିତ ହେଉଛି । ଯେଉଁ ମିଛ ଅନ୍ୟର ଅପକାର କରୁଛି, ଯେଉଁ ମିଛ ଅନ୍ୟକୁ ଅକାରଣରେ ଆଘାତ ଦେଉଛି, ସେହି ମିଛର ପ୍ରଭାବ ଦିନେ ଆମକୁ ମଧ୍ୟ ଦଂଶନ କରିଥାଏ । କେବଳ ମିଛକୁ ସାହାରା କରି ଜୀବନ ଜୀଉଁଥିବା ମଣିଷ, ଦିନେ ସେ ମିଛର ବଳୟରେ ହିଁ ଆକ୍ତାମାକ୍ତା ହେଇ ଦହସିତ ହେବାଟା ନିଶ୍ଚିତ ବୋଲି ଜାଣନ୍ତୁ ।

ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।