‘ପରୀକ୍ଷା ପେ ଚର୍ଚ୍ଚା’ର ଭିତ୍ତି ଓ ଭୂମିକା


ପ୍ରତ୍ୟେକ ରାଷ୍ଟ୍ରର ମାନବ ସମ୍ବଳ ବିକାଶର ମୂଳ ଭିତ୍ତି ହେଲା ଶିକ୍ଷା । ଗୋଟିଏ ଜାତିର ସାମାଜିକ ଓ ସାଂସ୍କୃତିକ ବିକାଶ ସହିତ ମାନବର ସମସ୍ତ ପ୍ରଗତିର ଭିତ୍ତିଭୂମି ଶିକ୍ଷାକୁ ନେଇ ସୁଦୃଢ଼ ହୋଇଥାଏ । ଶିକ୍ଷା ଉନ୍ନତି ପାଇଁ ଏକ ଶିଡ଼ି ସଦୃଶ । ତେଣୁ ମାନବ ସମ୍ବଳ ବିକାଶରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ପ୍ରାପ୍ତି ପରେ ଶିକ୍ଷା ଜାତୀୟ ଉନ୍ନୟନ ଯୋଜନାର ଏକ ପ୍ରମୁଖ ଅଙ୍ଗ ରୂପେ ପ୍ରାଧାନ୍ୟ ଲାଭ କରିଛି ଏବଂ ଆବଶ୍ୟକତା ଓ ସମୟର ଆହ୍ୱାନ ନେଇ ବିଭିନ୍ନ ସମୟରେ ପ୍ରବର୍ତ୍ତିତ ଶିକ୍ଷାନୀତି ଗୁଡ଼ିକର ପରିବର୍ତ୍ତନ କରାଯାଇଛି । କାରଣ ଭାରତର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ କୋଠାରୀ କମିଶନ ତାଙ୍କ ଉପକ୍ରମଣିକାରେ କହିଛନ୍ତି ।
ଶ୍ରେଣୀ ଗୃହରେ ହିଁ ଭାରତର ଭାଗ୍ୟ ନିର୍ଣ୍ଣୟ ହେଉଅଛି । ଆଜି ଏହା ଆମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାରତର ଭାଗ୍ୟ ନିର୍ଣ୍ଣୟ କରୁଥିବା ବିଦ୍ୟାର୍ଥୀ, ଛାତ୍ରଛାତ୍ରୀମାନଙ୍କୁ ଏକ ବୃହତ୍ତର ଜୀବନବୋଧର ଉପଲବ୍ଧି ସହିତ ନିଜର ପ୍ରତିଭା, ସାମର୍ଥ୍ୟକୁ ଆଖିରେ ରଖି ଏକ ଚାପମୁକ୍ତ ପରୀକ୍ଷା ସମ୍ପର୍କରେ ଯେଉଁ କ୍ରମାଗତ ବାର୍ତ୍ତାଳାପର ଧାରା ଜାରି ରଖିଛନ୍ତି, ସମାଜର ସବୁ ବର୍ଗର ମୁକ୍ତଚିନ୍ତନ ଆଉ କେବଳ ମାର୍ଗଟିଏ ଉନ୍ମୋଚିତ କରୁନାହିଁ ବରଂ ଏକ ଜୀବନ ସଂଗ୍ରାମରେ ସଫଳତା ପାଇଁ ମଣିଷକୁ ବିଭିନ୍ନ କ୍ଷେତ୍ରରେ ଯେଉଁ ବାରମ୍ବାର ପରୀକ୍ଷା ଦେବାକୁ ହୋଇଥାଏ, ପର ରହସ୍ୟକୁ ଉନ୍ମୋଚନ କରାଇଛନ୍ତି ଜୀବନର ପରୀକ୍ଷା ଏକ ସ୍ୱାଭାବିକ ଧର୍ମ । ସେହିପରି ଶିକ୍ଷା କ୍ଷେତ୍ରରେ ପରୀକ୍ଷା ସ୍ୱାଭାବିକ କର୍ମ । ତେଣୁ ପରୀକ୍ଷାକୁ ଯଥା ସମ୍ଭବ ଉତ୍ସବମୟ ଭାବେ ବିବେଚିତ କରିବାକୁ ସେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
ପରୀକ୍ଷାର ମୂଳ ଉଦେ୍ଦଶ୍ୟ ଛାତ୍ରଛାତ୍ରୀଙ୍କ ମେଧାଶକ୍ତି ମୂଲ୍ୟାୟନ କରି ପରବର୍ତ୍ତୀ ଅଧ୍ୟୟନ ପାଇଁ ସେ ତାର ଯୋଗ୍ୟତା ପ୍ରତିପାଦନ କରିଥାଏ । କିନ୍ତୁ ଏହି ପରୀକ୍ଷାର କଠୋର ନିୟମ ଭିତରେ ତାର ଇଚ୍ଛାଶକ୍ତି ତାର ପ୍ରବୃତ୍ତିଗତ ପ୍ରତିଭା ତଥା ବିକଳ୍ପ ଚୟନ ପାଇଁ ଯେଉଁ ମୁକ୍ତ ବାତାବରଣ ଅଥବା ବ୍ୟବସ୍ଥା ପାଇଁ  ତା ପାଇଁ ସୁଯୋଗ ନ ଥାଏ ତେଣୁ ସେ ଗଭୀର ମାନସିକ ଚାପରେ ପରୀକ୍ଷାକୁ ଗ୍ରହଣ କରିଥାଏ । ଏକ ଚାପଗ୍ରସ୍ତ ଭାବରେ ସେ ଯନ୍ତ୍ରବତ ପରୀକ୍ଷା ଦେଉଥିବାବେଳେ ଯେଉଁ ଅସୁରକ୍ଷିତ ସଫଳତା ପାଇଁ ଆତଙ୍କିତ ଥାଏ; ପରୀକ୍ଷା ସମ୍ପର୍କିତ ଏହିପରି ଅନେକ ଉଦାହରଣ ନେଇ ପରୀକ୍ଷାର ଗତାନୁଗତିକ ହାୱା ତଥା ପ୍ରଣାଳୀର ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଜଣାଇଛନ୍ତି । ଯେଉଁଠି ବିଦ୍ୟାର୍ଥୀଟିଏ ଅସୁରକ୍ଷିତ ବିକଳ୍ପହୀନ, ଶଙ୍କାଗ୍ରସ୍ତ ଭାବେ ପରୀକ୍ଷାକୁ ଶିକ୍ଷାର ସଂକଟ ଭାବେ ନ ଦେଖୁ ପରନ୍ତୁ ତା ଜ୍ଞାନର ପରିଧିର ବ୍ୟାପକତାରେ ତାର ସୃଜନଶୀଳତା, ଚିନ୍ତନଶକ୍ତିର ପରିଚୟ ନେଇ ପରୀକ୍ଷାକୁ ସାମ୍ନା କରୁ । ଗୋଟିଏ ଉତ୍ସବ ଭଳି ପରୀକ୍ଷାକୁ ସ୍ୱାଗତ କରୁ । ଅପେକ୍ଷା କରୁ ବାରମ୍ବାର ପରୀକ୍ଷାର ଆଗମନକୁ । ଅସାଧୁ ଉପାୟ ନୁହେଁ କିମ୍ବା ଭାଗ୍ୟବାଦୀ ଭାବେ ନୁହେଁ, କର୍ମବାଦୀ ଭାବେ ନିଜର କଠିନ ପରିଶ୍ରମର ପରାକାଷ୍ଠାକୁ ଉଦ୍ଭାଷିତ କରିବାକୁ ସଂକଳ୍ପ ନେଇ ନିଜକୁ ପ୍ରସ୍ତୁତ କରୁ ପ୍ରତିଟି ପରୀକ୍ଷାକୁ ଏକ ନୂତନ ସମ୍ଭାବନାମୟ ଦିଗବଳୟରୁ ଅନ୍ୟ ଏକ ଦିଗବଳୟର ଆବିଷ୍କାର ମନସ୍ଥ ହୋଇ ।
ଏଥିପାଇଁ ଶ୍ରେଣୀ ଗୃହ କେବଳ ନୁହେଁ କିମ୍ବା ଗୋଟିଏ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ବି ନିର୍ଦ୍ଦିଷ୍ଟ ନୁହେଁ । ଶିକ୍ଷା ଯେପରି ସର୍ବଗ୍ରାହ୍ୟ ପରୀକ୍ଷା ସେହିପରି ମୁକ୍ତ, ଅବାଧ ଏବଂ ଛାତ୍ରଛାତ୍ରୀଙ୍କ ପରିବେଶ ଓ ପରିସ୍ଥିତି ଅଭିମୁଖୀ ହେବା ବା‚ନୀୟ । ତେଣୁ ଗୋଟିଏ ଶିକ୍ଷାନୀତି ଭିତରେ ଛାତ୍ରଛାତ୍ରୀ ସହିତ ଅଭିଭାବକ, ଶିକ୍ଷକ, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସ୍ଥାଗତ ପରିଚାଳକମାନଙ୍କ ମାନସିକ ପରବର୍ତ୍ତନ ସହିତ ଏକ ଆଚରଣସିଦ୍ଧ ବିଶ୍ୱଦୃଷ୍ଟି ଆବଶ୍ୟକ । ପରୀକ୍ଷାର୍ଥୀର ମୌଳିକ ଜ୍ଞାନ, ପାଣ୍ଡିତ୍ୟ ଅପେକ୍ଷା ତାର ଜୀବନଦର୍ଶନର ମୌଳିକ ଉତ୍ସ ଗୁଡିକୁ ଉଦଘାଟନ କରି ତାକୁ ପରୀକ୍ଷାୟିତ କରାଗଲେ ପରୀକ୍ଷା ଆତଙ୍କର କାରଣ ନ ହୋଇ ଉତ୍ସବର ଉପାଦାନ ଭାବେ ଗୃହୀତ ହେବ ।
ପ୍ରାଚୀନ ଭାରତରେ ‘ସା ବିଦ୍ୟା ଯା ବିମୁକ୍ତୟେ’ ଆଦର୍ଶରେ ଶିକ୍ଷାନୀତି ପ୍ରଚଳିତ ଥିଲା । ମୁକ୍ତ ପରିବେଶ, ତପୋବନ, ଆଶ୍ରମ ଥିଲା ବିଦ୍ୟା ପ୍ରଶିକ୍ଷଣ କେନ୍ଦ୍ର, ଥିଲା ଆଚାର୍ଯ୍ୟମାନଙ୍କ ଦ୍ୱାରା ବିଦ୍ୟାର୍ଥୀମାନଙ୍କ ପ୍ରତ୍ୟକ୍ଷ ଜୀବନ ପ୍ରତ୍ୟେୟର ଆତ୍ମବିଶ୍ଳେଷଣର ପ୍ରଶିକ୍ଷଣ ସିଦ୍ଧ ପ୍ରଦର୍ଶନ ଥିଲା ପରୀକ୍ଷା । ପ୍ରତ୍ୟେକ ବିଦ୍ୟାର୍ଥୀ ଗୁରୁଙ୍କ ଏ ପରୀକ୍ଷା ପାଇଁ ଏକ ଆତୁର ଅପେକ୍ଷା ଥିଲା । ସଂପ୍ରତି ଆମ ଦେଶର ସେହି ଅତୀତ ଭାବକେନ୍ଦ୍ରର ନବୀକରଣର ସମୟ ଆସିଛି । ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ଭିତ୍ତି ଓ ଭୂମିକାକୁ ଅନୁଭବ କରିବାକୁ ଏ ହୁଏତ ଏକ ଛୋଟ ପ୍ରୟାସଟିଏ ବୋଲି ଧରାଯାଇପାରେ ।