ବନ୍ଦିନୀ ଚିଲିକା
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ଯେଉଁ ପ୍ରକାରର ବର୍ଣ୍ଣନା ସବୁ ଆମର ସାହିତ୍ୟ ସବୁରେ ରହିଛି, ସେସବୁ କେବଳ କାଗଜ କଲମରେ ରହିଯିବାକୁ ଗଲାଣି । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଏବେ ଜାଲ ଆଉ ବାଉଁଶ ମାଳିନୀ ହୋଇଗଲାଣି । ଚିଲିକାର ସାମୁଦ୍ରିକ ଖାଦ୍ୟ ଉତ୍ପାଦନକୁ ନେଇ ଏହାର ତଟବର୍ତ୍ତୀ ବାସିନ୍ଦାମାନେ ଚିଲିକାର ଜଳରାଶିକୁ ଜାଲ ଏବଂ ବାଉଁଶ ଦ୍ୱାରା ଘେରି ବନ୍ଦି କରି ଦେଲେଣି । ପରିସ୍ଥିତି ଏପରି ହେଲାଣି ଯେ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଚିଲିକା ଆଉ ନିରାପଦ ନୁହେଁ । ଏପରିକି ଡ଼ଲ୍ଫିନ୍ ବା ଶିଶୁମାର ଆଉ ଚିଲିକାରେ ରହିବା ସମ୍ଭବ ହେବ ନାହିଁ । ବାଉଁଶ, ଜାଲ ଏବଂ ଘେରୀ ଯୋଗୁଁ ସେମାନଙ୍କର ଚଳାଚଳ କମିଯାଉଛି ଏବଂ ସେମାନଙ୍କର ଖାଦ୍ୟ ଶୃଙ୍ଖଳ ବିଗିଡ଼ିବାରେ ଲାଗୁଛି । ଚିଲିକାକୁ ବେଆଇନ୍ ଭାବରେ ଘେରୀ ବନ୍ଦୀ କରି ଯେଉଁଭଳି ଭାବରେ ମାଛ ମାରିବାର ପ୍ରତିଦ୍ୱନ୍ଦିତା ଚାଲିଛି ତାକୁ ନିୟନ୍ତ୍ରଣ ଭିତରେ ରଖିବା ଆଉ ସମ୍ଭବ ନୁହେଁ । ବେଆଇନ୍ ଘେରିକୁ ନେଇ ଚିଲିକାରେ ଅନେକ ବାର ଗୁଳି ଫୁଟିଛି । ଅନେକ ଲୋକଙ୍କର ଜୀବନ ବି ଯାଇଛି । ଏହି ଘେରି ଜାଲ ଭିତରେ ଚିଙ୍ଗୁଡ଼ି ଚାଷ କରିବା ନାଁରେ ଜନ୍ମ ହେଉଥିବା ଛୋଟ ଛୋଟ ମାଛ ମଧ୍ୟ ପଡ଼ି ଯାଉଛନ୍ତି । ପ୍ରଜନନ କରିବା ଅବସ୍ଥାକୁ ଆସିବା ପୂର୍ବରୁ ଜାଲ ଘେରି ଭିତରେ ହିଁ ଧରା ପଡ଼ିଯାଉଛନ୍ତି । ଏହା ଫଳରେ ପ୍ରତିବର୍ଷ କ୍ରମାଗତ ଭାବରେ ଚିଲିକାର ମାଛ, କଙ୍କଡ଼ା ଆଦିର ଉତ୍ପାଦନ କମିବାରେ ଲାଗିଛି ।
କେବଳ ସେତିକି ନୁହେଁ, ପ୍ରକୃତି ମଧ୍ୟ ଚିଲିକା ଉପରେ ଦାଉ ସାଧିଲାଣି । ବର୍ଷାଦିନେ ମହାନଦୀର ବନ୍ୟାପାଣି ଦୟା ନଦୀରେ ପ୍ରବାହିତ ହେବା ପରେ ଦୟା ନଦୀ ଭାଗ ଭାଗ ହୋଇ ଚିଲିକାରେ ହିଁ ପଡ଼ିଛି । ତେଣୁ ପ୍ରତିବର୍ଷ ଚିଲିକାରେ ପଟୁସ୍ତର ଜମି ଜମି ଚାଲିଛି ଏବଂ ଏହାର ଗର୍ଭ ପୋତି ହୋଇଯାଉଛି । ଚିଲିକାକୁ ଘେରିମୁକ୍ତ କରିବା ପାଇଁ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ବହୁବାର ଚେଷ୍ଟା କରିଛନ୍ତି । କିନ୍ତୁ ସେସବୁ କେବଳ ଲୋକ ଦେଖାଣିଆ । କିଛି ଛିଣ୍ଡା ଜାଲକୁ ଜବତ୍ କରି ଏବଂ ଜାଲକୁ ଧରି ରଖିଥିବା ବାଉଁଶର ଅଗ୍ର ଭାଗକୁ କାଟି ଆଣି ଚିଲିକାକୁ ଘେରିମୁକ୍ତ କରାଗଲା ବୋଲି କାଗଜକଲମରେ ଦର୍ଶାଯାଉଛି । ଘେରି କରିବା ପାଇଁ ଜାଲ ଗୁଡ଼ିକୁ ବାଉଁଶ ସାହାଯ୍ୟରେ ଟେକି ରଖାଯାଇଥାଏ । ଏହିସବୁ ବାଉଁଶ ଗୁଡ଼ିକ ଉପରକୁ ମଧ୍ୟ ୩/୪ ଫୁଟ ରହିଥାଏ । ଯେତେବେଳେ ବିଭିନ୍ନ ତହସିଲଦାର ଏବଂ ଆରଆଇ ଅଞ୍ଚଳ ଅଧୀନରେ ଘେରିମୁକ୍ତ ଅଭିଯାନ କରାଯାଏ ସେତେବେଳେ ଘେରୀ ମୁକ୍ତ କରାନଯାଇ କିଛି ଛିଣ୍ଡା ଜାଲ ଏବଂ ବାଉଁଶର ଅଗ୍ରଭାଗକୁ କାଟି ଆଣି ଏକ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନର କାଗଜପତ୍ର ପ୍ରସ୍ତୁତ ହୋଇଯାଏ । ଚିଲିକା ପ୍ରକୃତରେ ଘେରିମୁକ୍ତ ହୁଏ ନାହିଁ ।
ଚିଲିକା ପାଣିର ଆଉ ଏକ ବବିଶେଷତ୍ୱ ହେଲା ସମୁଦ୍ର ସହିତ ଏହାର ସଂଯୋଗ ଥିଲେ ମଧ୍ୟ ଅନେକ ଛୋଟ ବଡ ନଦୀର ବନ୍ୟାଜଳ ଏଥିରେ ପ୍ରବେଶ କରୁଥିବାରୁ ଏହାର ପାଣି ସମୁଦ୍ର ପାଣି ଭଳି ଅଧିକ ଲୁଣିଆ ନୁହେଁ । ତେଣୁ ଏଠାରେ ପାଣି ଅଳ୍ପ ଲୁଣି ହୋଇଥାଏ ଏବଂ କିଛି ସ୍ୱତନ୍ତ୍ର ପ୍ରଜାତିର ମାଛ, କଙ୍କଡା ଏବଂ ଜଳଜୀବ ଦେଖାଯାଆନ୍ତି । ଏହିସବୁ ଜଳଜୀବ ସମୁଦ୍ରରେ ଦେଖାଯାଆନ୍ତି ନାହିଁ । ସେସବୁ କ୍ରମେ ଲୋପ ପାଇ ଯାଉଛନ୍ତି । ସେହି ଜଳଜୀବ ଗୁଡ଼ିକର ସୁରକ୍ଷା ପାଇଁ ଚେଷ୍ଟା କରାଗଲେ ମଧ୍ୟ ଜାଲ ଓ ଘେରି ଯୋଗୁଁ ସେମାନଙ୍କର ବଂଶ ଲୋପ ପାଉଛି । ମତ୍ସ୍ୟାଜୀବୀମାନଙ୍କୁ ଜିରୋ ନେଟ୍ ବ୍ୟବହାର ନକରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ଜିରୋ ନେଟ୍ ବ୍ୟବହାର କରି ଅତ୍ୟନ୍ତ ଛୋଟ ଛୋଟ ମାଛ ଗୁଡ଼ିକୁ ଧରି ନେଉଛନ୍ତି । ଏବେ ଚିଲିକାକୁ ନେଇ ସୃଷ୍ଟି ହୋଇଥିବା ଜୈବ ମଣ୍ଡଳର ସୁରକ୍ଷା ପାଇଁ ଏହାକୁ ଜାଲ, ବାଉଁଶ ଓ ଘେରି ମୁକ୍ତ କରାଯିବା ଜରୁରୀ ।