ଜାତୀୟ ଥର୍ମାଲ୍ ସ୍ପ୍ରେ କନ୍ଫରେନ୍ସ ଉଦ୍ଘାଟିତ :ଭବିଷ୍ୟତ ଗବେଷଣାରେ ନୂଆ ଅଧ୍ୟାୟ ସୃଷ୍ଟି ହେବ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର-ଆଇଏମ୍ଏମ୍ଟି ଅଡିଟୋରିଅମ୍ ଠାରେ ଦ୍ୱିତୀୟ ଜାତୀୟ ଥର୍ମାଲ୍ ସ୍ପ୍ରେ କନ୍ଫରେନ୍ସ ଉଦ୍ଘାଟିତ ହୋଇଛି । ଏଥିରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବା ବେଳେ ଥର୍ମାଲ୍ ସ୍ପ୍ରେ କନଫରେନ୍ସ୍ ଭବିଷ୍ୟତ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି । ସିଏସ୍ଆଇଆର (କାଉନ୍ସିଲ୍ ଅଫ୍ ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ) - ଆଇଏମ୍ଏମ୍ଟି (ଇନଷ୍ଟିଚୁ୍ୟଟ୍ ଅଫ୍ ମିନେରାଲସ୍ ଆଣ୍ଡ ମେଟେରିଆଲସ୍ ଟେକ୍ନୋଲୋଜି) ଓ ଇଣ୍ଡିଆନ୍ ଥର୍ମାଲ ସ୍ପ୍ରେ ଆସୋସିଏସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ରାଜ୍ୟପାଳ କହିଥିଲେ ଯେ ଆମେ ଯେଉଁ ଯୁଗରେ ଅଛୁ ସେଠାରେ ସ୍ଥାୟିତ୍ୱ ଏବଂ ଦକ୍ଷତା କେବଳ ଲକ୍ଷ ନୁହେଁ ବରଂ ଶିଳ୍ପର ପ୍ରଗତି ପାଇଁ ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ମହାକାଶରୁ ଓ ଅଟୋମୋଟିଭ କ୍ଷେତ୍ର, ସ୍ୱାସ୍ଥ୍ୟରୁ ଶିଳ୍ପ ଏଭଳି ବିଭିନ୍ନ କ୍ଷେତ୍ରରେ ଥର୍ମାଲ ସ୍ପ୍ରେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କନ୍ଫରେନ୍ସ ଜ୍ଞାନ ଆଦାନପ୍ରଦାନ, ସହଯୋଗ ଏବଂ ନବସୃଜନ ପାଇଁ ଥର୍ମାଲ ସ୍ପ୍ରେ କ୍ଷେତ୍ରରେ ଏକ ପ୍ଲାଟଫର୍ମ ଭଳି କାର୍ଯ୍ୟ କରିବ ବୋଲି ରାଜ୍ୟପାଳ କହିଥିଲେ । ସମ୍ମାନନୀୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ସିଏସ୍ଆଇଆର - ଆଇଏମ୍ଏମ୍ଟିର ନିଦେ୍ର୍ଦଶକ ଡ. ରାମାନୁଜ ନାରାୟଣ ସ୍ୱାଗତ ଭାଷଣ ଦେଇଥିବା ବେଳେ ଇଣ୍ଡିଆନ ଥର୍ମାଲ ସ୍ପ୍ରେ ଆସୋସିଏସନ୍ର ଅଧ୍ୟକ୍ଷ ପ୍ରଫେସର ହରପ୍ରୀତ ସିଂହ, ଆଇଆଇଟି ପାଟନାର ନିଦେ୍ର୍ଦଶକ ପ୍ରଫେସର ଟି.ଏନ୍. ସିଂହ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଆବାହକ ଡ. ଶିଶିର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।