ଫୋନ୍ମୁକ୍ତ ଫେବୃଆରୀ

ନାରାୟଣ ଚନ୍ଦ୍ର ବିଶ୍ୱାଳ :  ପଣ ଦିନକୁ କେତେ ଘଣ୍ଟା ଫୋନ ସହିତ ବିତାଉଛନ୍ତି? ନିଜ ପାଇଁ, ପରିବାର ପାଇଁ ଆଉ ସମାଜ ପାଇଁ ଆପଣ କେତେ ଘଣ୍ଟା ଦିଅନ୍ତି? ଏହିପରି ଅନୁଚାରିତ ପ୍ରଶ୍ନ ଟିକିଏ ଜୀବନକୁ ନିରିଖେଇ ପଚାରନ୍ତୁ । ସେହିପରି ଆଉ ଏକ ଆଶ୍ଚର୍ଯ୍ୟକାରୀ ନୁହଁ ବରଂ ସ୍ୱାଭାବିକ ଓ ଦେହସୁହା ବି ହୋଇଗଲାଣି ଆପଣ ଜଣଙ୍କ ସହିତ କଥା ହଉଥିବେ ଅଥଚ ସେ ଆପଣଙ୍କ ସାମ୍ନାରେ କଥା ହେଉଥିବାବେଳେ ନିଜକୁ ଫୋନ ଭିତରେ ବ୍ୟସ୍ତ ରଖୁଥିବେ । କେତେକଙ୍କ ଏହି ଅଭ୍ୟାସ ଅନ୍ୟ ମାନଙ୍କୁ ଆଦୌ ଭଲ ଲାଗେନା ବରଂ ଏକ ପ୍ରକାର ଅପମାନିତ ଲାଗେ । ଆମେ ବେଳେ ବେଳେ ହାତ ପାହାନ୍ତାରେ ଥିବା ଆମର ଅତି ପ୍ରିୟ ପାଲଟିଥିବା ଫୋନ ପରଦାରେ ଲଗାତାର ସ୍କ୍ରିନ ଟାଇମ ଓ ନୋଟିଫିକେସନ ଦେଖି ଅଭିଭୂତ ହୋଇଯାଉ । ଏହିପରି ଫୋନ ସହିତ କ୍ରମାଗତ ସମ୍ପର୍କ ଓ ସମୟ ବଢ଼ାଉଥିବା ଫୋନ ବ୍ୟବହାରକାରୀ ମାନଙ୍କ ପାଇଁ ଫେବୃଆରୀ ମାସରେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ସୁସ୍ଥ ଡିଜିଟାଲ ଅଭ୍ୟାସ ଓ ଅଧିକ ସନ୍ତୁଳିତ ଜୀବନଶୈଳୀକୁ ପ୍ରୋତ୍ସାହିତ ପାଇଁ ଫୋନମୁକ୍ତ ଫେବୃଆରୀ ପରି ଏକ ଅଭିଯାନ ଆରମ୍ଭ ହୋଇଛି । ଗ୍ଲୋବାଲ ସଲିଡାରିଟି ଫାଉଣ୍ଡେସନ ଦ୍ୱାରା ପ୍ରସ୍ତୁତ ଏହି ଅଭିଯାନର ଉଦେ୍ଦଶ୍ୟ ହେଉଛି ଅଂଶ ଗ୍ରହଣକାରୀଙ୍କୁ ନିଜ ଫୋନ ବ୍ୟବହାର ସମୟର ଆତ୍ମ ସମୀକ୍ଷା କରିବା ସହ ସୁସ୍ଥ ବିକଳ୍ପ ଖୋଜିବା ଲାଗି ପ୍ରବର୍ତ୍ତାଇବା ।  ଆଜି ଏହି ଆଲୋଚନାଟି ରଖିବା ବେଳେ ଏକ ପରିସଂଖ୍ୟାନର ତଥ୍ୟ ଏଠାରେ ରଖୁଛି । ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୨୫ ମସିହାରେ ୯୦ କୋଟି ଟପିବ । ଇଣ୍ଟରନେଟ ଆଣ୍ଡ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ ଏବଂ ଗବେଷଣା ସଂସ୍ଥା କନ୍ତାରା ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୮୮.୬ କୋଟିରେ ପହଞ୍ଚô ଯାଇଛି । ପ୍ରତି ବର୍ଷ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟାରେ ୮ ପ୍ରତିଶତ ବୃଦ୍ଧି ଘଟୁଛି । ଅଧିକ ବୃଦ୍ଧି ଗ୍ରାମାଞ୍ଚଳରେ ହେଉଛି । ୨୦୨୪ରେ ଦେଶରେ ମୋର ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ଗ୍ରାମାଞ୍ଚଳର ସଂଖ୍ୟା ହେଲା ୪୮.୮ କୋଟି ହୋଇଥିବାବେଳେ ସହରାଞ୍ଚଳରେ ଏମାନଙ୍କ ସଂଖ୍ୟା ୩୯.୭ କୋଟି ରହିଛି । ଦେଶରେ ଇଣ୍ଟରନେଟ ବ୍ୟବହାରକାରୀମାନେ ପ୍ରତି ଦିନ ହାରାହାରି ୯୦ ମିନିଟ ବା ଦେଢ଼ ଘଣ୍ଟା ସମୟ ଏଥିରେ ବିତାଉଛନ୍ତି । ସହରାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀମାନେ ହରାହାରି ୯୪ ମିନିଟ ଏବଂ ଗ୍ରାମାଞ୍ଚଳର ଇଣ୍ଟରନେଟ ବ୍ୟବହାରକାରୀମାନେ ୮୯ ମିନିଟ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟ ମଧ୍ୟ କମୁଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୫୩ ପ୍ରତିଶତ ରହିଥିବାବେଳେ ମହିଳାଙ୍କ ପ୍ରତିଶତ ୪୭ ପ୍ରତିଶତ ରହିଛି । ଇଣ୍ଟରନେଟ ସାନ୍ଦ୍ରତାରେ କେରଳ ସବୁଠୁ ଆଗରେ ରହିଛି । କେରଳରେ ଏହା ୭୨ ପ୍ରତିଶତ ଥିବାବେଳେ ଗୋଆରେ ୭୧ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୭୦ ପ୍ରତିଶତ ରହିଛି । ଏମାନେ ଦେଶରେ ଇଣ୍ଟରନେଟ ସାନ୍ଦ୍ରତା କ୍ଷେତ୍ରରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ସବୁଠୁ ପଛରେ ପଡ଼ିଥିବା ରାଜ୍ୟ ଗୁଡ଼ିକ ହେଲେ ବିହାର ୪୩ ପ୍ରତିଶତ, ଉତ୍ତରପ୍ରଦେଶ ୪୬ ପ୍ରତିଶତ ଏବଂ ଝାଡ଼ଖଣ୍ଡ ୫୦ ପ୍ରତିଶତ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୨୦୨୪ରେ ୮୭ କୋଟି (୯୮ ପ୍ରତିଶତ) ଇଣ୍ଟରନେଟ ବ୍ୟବହାରକାରୀ ଭାରତୀୟ ଭାଷାରେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ସହରାଞ୍ଚଳରେ ୫୭ ପ୍ରତିଶତ ଇଣ୍ଟରନେଟ ବ୍ୟବହାରକାରୀ ଆଞ୍ଚଳିକ ଭାଷାର ବିଷୟବସ୍ତୁକୁ ଇଣ୍ଟରନେଟରେ ଦେଖିଛନ୍ତି ।  ଆଜିର ଘଣ୍ଟା ଘଣ୍ଟା ଧରି ଫୋନ ସହିତ ସମୟ ବିତାଉଥିବା ବର୍ଗଙ୍କ ପାଇଁ ଯଦିଓ ମୋବାଇଲ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଅଧିକାଂଶ ଲୋକଙ୍କ ପାଇଁ ସମ୍ଭବ ନୁହେଁ ତେବେ ଏହି ଅଭିଯାନର ଲକ୍ଷ୍ୟ ହେଉଛି ସ୍ମାର୍ଟଫୋନ ବ୍ୟବହାରକୁ ପାରୁ ପର୍ଯ୍ୟନ୍ତ ସୀମିତ କରିବା । ଏ ନେଇ ଦୁଇଟି ବିକଳ୍ପର ବ୍ୟବସ୍ଥା ରହିଛି । ଯାହାକୁ ଫୋନ ବ୍ୟବହାରକାରୀମାନେ ବିଚାର କରିପାରିବେ । ଗୋଟିଏ ହେଉଛି ଯାହାକୁ ଆଜିର ସମୟରେ ଫୋନପ୍ଲେକ୍ସ କୁହାଯାଉଛି, ଯେଉଁଥିରେ ନୂତନ ଫୋନ ଅଭ୍ୟାସ ସ୍ଥିର କରିବା ଓ ଡିଜିଟାଲ ସୁସ୍ଥତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିବା । ଅନ୍ୟଟି ହେଉଛି ଫୋନ ଫ୍ରି, ଯେଉଁଥିରେ ପୁରା ତମାମ ଗୋଟିଏ ମାସକ ପାଇଁ ସ୍ମାର୍ଟଫୋନ ବ୍ୟବହାର ତ୍ୟାଗ କରିବା । କେହି କେହି ଏହାକୁ ଚ୍ୟାଲେଞ୍ଜ କହିପାରନ୍ତି ବାସ୍ତବରେ ଫୋନ ବ୍ୟବହାର ହ୍ରାସ କରି ନିଦ୍ରା, କାର୍ଯ୍ୟ ଉତ୍ପାଦନ ଓ ସାମାଜିକ ଭାବ ବିନିମୟରେ ଉନ୍ନତି ଆଣିବା ଭଳି କ୍ଷେତ୍ରରେ ଧ୍ୟାନ ରଖିବା । ଫୋନରେ ଘଣ୍ଟା ଘଣ୍ଟା ଧରି ସମୟ କାଟିବାରୁ ନିଜକୁ ଦୂରେଇବା ପାଇଁ ଅନେକ ପରାମର୍ଶ ତ ରହିଛି । ପ୍ରମୁଖ ହେଉଛି ସର୍ବପ୍ରଥମେ ଫୋନର ପୁସ୍ ନୋଟିଫିକେସନକୁ ବନ୍ଦ କରିଦିଅନ୍ତୁ । ସେହିଭଳି କଲର ଫିଲଟରକୁ ଗ୍ରେ ସ୍କେଲ ବା କଳାଧଳାକୁ ପରିବର୍ତ୍ତନ କରି ଫୋନକୁ ଯଥା ସମ୍ଭବ ଚାକଚକ୍ୟ ଓ ଆକର୍ଷଣ ବିହୀନ କରିଦେବା । ଫୋନରୁ ମିଳୁଥିବା ଆନନ୍ଦ ସ୍ଥାନରେ ସ୍ୱାସ୍ଥ୍ୟକର ଅଭ୍ୟାସ ପାଇଁ ମାନସିକ ଚିକିତ୍ସା ବ୍ୟବସ୍ଥାରେ ପରାମର୍ଶ ଦିଆଯାଉଥିବା ଡୋପାମାଇନ, ରିପ୍ଲେସମେଣ୍ଟ ଥେରାପି ଗ୍ରହଣ କରିବା । ଶୋଇବାର ଏକ ଘଣ୍ଟା ପୂର୍ବରୁ ଫୋନକୁ ଶୋଇବା ଘର ବାହାରେ ରଖି ଆର୍ଲାମ ପାଇଁ ଏକ ଆନାଲଗ ଘଡ଼ି ବ୍ୟବହାର କରିବା । ସ୍କ୍ରିନ ଟାଇମ ହ୍ରାସ ସହିତ ମେଦବହୁଳତା ହ୍ରାସ, ନିଦ ସମସ୍ୟା ସମେତ ବିଶେଷକରି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରି ଅନେକ ସ୍ୱାସ୍ଥ୍ୟଗତ ଉପକାର ଏଥିରେ ଜଡ଼ିତ । ମୋବାଇଲ ସହିତ ଘଣ୍ଟା ଘଣ୍ଟା ଧରି ଇୟର କର୍ଡ଼ କାନରେ ରହୁଥିବାରୁ ଏହା ମଧ୍ୟ ବଧିରତା ଆଡ଼କୁ ଜଣକୁ ଆଗେଇ ନେଇଥାଏ । ସେ ପ୍ରସଙ୍ଗ ଅନ୍ୟ ଲେଖାରେ ମୁଁ ଉଲ୍ଲେଖ କରିବି ତେବେ ଦିନକୁ ମାତ୍ର ଗୋଟିଏ ଘଣ୍ଟା ଫୋନରୁ ଦୂରେଇ ରହିଲେ ମଧ୍ୟ ନିଜେ ଜଣେ ଜୀବନର ଗୁଣବତ୍ତା ତ ପାଇପାରିବ, ଅବସାଦ ସ୍ତରରେ ଉଲ୍ଲେଖନୀୟ ଉନ୍ନତି ହୋଇପାରିବ । 
ଆଜିର ସମୟରେ ସୋସିଆଲ ମିଡ଼ିଆ ଏକ ପ୍ରମୁଖ ଓ ଶକ୍ତିଶାଳୀ ବ୍ୟବସ୍ଥାଟି ସମସ୍ତଙ୍କ ପାଇଁ ହୋଇଛି । ତେବେ ଏହି ଆଲୋଚନା ବେଳେ ପ୍ରସିଦ୍ଧ "ହେଲଥ ଲାଇନ’ ୱେବସାଇଟର ତଥ୍ୟ ସମ୍ପର୍କରେ ସୂଚନାଟି ରଖୁଛୁ । ଏହି ତଥ୍ୟ ମୁତାବକ ପାଖାପାଖି ୩୨% ଲୋକ ଦିନକୁ ଦୁଇରୁ ତିନିଥର ଫୋନ ଦେଖିବା ଦ୍ୱାରା ଅନ୍ୟ ମାନଙ୍କୁ ଅଣଦେଖା କରିଥାନ୍ତି । ଏହି ସାମାଜିକ ଆଚରଣଟି ଏକ ବିଲକ୍ଷଣ କହିଲେ ଅତୁ୍ୟକ୍ତି ହେବନାହିଁ । ଏକ ଭାବନା ଓ ଭାବନାତ୍ମକ ଅସୁସ୍ଥତା ଡିଜିଟାଲ ଯୁଗରେ ଆମ୍ଭମାନଙ୍କ ମାନସିକ ଭାବନା କ୍ଷେତ୍ରକୁ ଯେ କେତେ ପ୍ରଭାବିତ କରୁଛି ଏହାକୁ ଟିକେ ଚିନ୍ତା କରନ୍ତୁ । ନିଜ ଜୀବନକୁ ଆନନ୍ଦମୟ ଓ ସମ୍ପର୍କପି୍ରୟ କରିବାକୁ ହେଲେ କେବଳ ମୋବାଇଲର ସମ୍ପର୍କ ଯେ ଅତ୍ୟନ୍ତ ଓ ଅହର୍ନିଶ ଜରୁରି ଆଦୌ ନୁହଁ । ଆମେ ଏପରି ଲୋକମାନଙ୍କୁ ବି ସାମ୍ନା କରିଛୁ ଯେଉଁମାନେ ସମାଜରେ ଢ଼େର ପ୍ରତିଷ୍ଠିତ ଏବଂ ଅନେକ ବିଜ୍ଞ, ଉଚ୍ଚ ପଦପଦବୀରେ ଆସୀନ ଏ ସବୁ ସତ୍ତ୍ୱେ ଏକ ଛୋଟିଆ ଫୋନ ବ୍ୟବସ୍ଥା ଭିତରେ ନିଜକୁ ରଖିଥାନ୍ତି । ତେଣୁ ବର୍ତ୍ତମାନ ସମୟ ପହଞ୍ଚôଛି ଅନ୍ତତଃ ଫୋନମୁକ୍ତ ଫେବୃଆରୀରେ ନିଜକୁ ସାମିଲ କଲେ ଏହି ତଥାକଥିତ ଫୋନ ବିଳାସ ବା ମୋବାଇଲ ଫବିଂର ବିଷଚକ୍ରରୁ ଜଣେ ନିଜକୁ ମୁକ୍ତ କରିପାରି ଏକ ଅର୍ଥପୂର୍ଣ୍ଣ ଓ ମୂଲ୍ୟବାନ ବାର୍ତ୍ତାଳପରେ ନିଜକୁ ନିୟୋଜିତ ରଖିପାରିବ । 
ମୋ : ୯୪୩୮୨୭୬୭୬୦