ନାହିଁ ନଥିବା ଭିଡ଼
କିଛି ମାସ ହେଲା ରାଜଧାନୀ ଭୁବନେଶ୍ୱରରେ ଅଫିସ୍ ସମୟରେ ଏବଂ ସଂଧ୍ୟା ସମୟରେ ଟ୍ରାଫିକ୍ ସମସ୍ୟା ଉକ୍ରଟ ହେଉଥିବା ଲକ୍ଷ୍ୟ କରାଗଲାଣି । ସାଧାରଣ ଭାବରେ ଏହି ସମୟ ସହିତ ଯଦି କୌଣସି ସଭାସମିତି, ମେଳା ଆଦି ଆୟୋଜନ ହେଉଥାଏ ତେବେ ତ ଟ୍ରାଫିକ୍ ଯନ୍ତ୍ରଣା କହିଲେ ନସରେ । ରାଜଧାନୀର ପ୍ରାୟ ଅନୂନ୍ୟ ୧୦ଟି ସ୍ଥାନରେ ଏହି ଟ୍ରାଫିକ୍ ସମସ୍ୟା ଉକ୍ରଟ ଭାବରେ ଦେଖା ଦେଉଛି । ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍ ପୁଲିସ୍ ଏବଂ ନାଲିବତି ସିଗ୍ନାଲ୍ ବ୍ୟବସ୍ଥା ରହିଥିଲେ ମଧ୍ୟ ଏଜି ଛକ, କଳ୍ପନା ଛକ, ରସୁଲଗଡ଼ ଭଳି କେତେକ ସ୍ଥାନରେ ୨/୩ ଥର ଗ୍ରୀନ୍ ସିଗ୍ନାଲ୍ ମିଳିଲେ ମଧ୍ୟ ଛକକୁ ଅତିକ୍ରମ କରିବା ସମ୍ଭବ ହେଉନାହିଁ । କୋର୍ଟ୍ ରହିଥିବା ଯୋଗୁଁ ବିଜେବି କଲେଜ୍ ସମ୍ମୁଖରେ ସବୁବେଳେ ଭିଡ଼ । ଏହି ରାସ୍ତା ଦେଇ ଚଳପ୍ରଚଳ କରିବା ପୂର୍ବରୁ ଠିକ୍ ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ହେବ କି ନାହିଁ ଚିନ୍ତା କରିବାକୁ ପଡୁଛି । ଟ୍ରାଫିକ୍ ପୁଲିସ୍ ପକ୍ଷରୁ ରାସ୍ତା ଅବରୋଧକୁ ହଟେଇବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ସେଥିରେ କିଛି ସୁଫଳ ମିଳୁନାହିଁ । ରାସ୍ତାକଡ଼ରେ ଅସ୍ଥାୟୀ ଦୋକାନ ସବୁ ଖୋଲି ଯାଉଥିବା ଫଳରେ ଭିଡ ଆହୁରି ବଢିଯାଉଛି । ଆଉ କେତେକ ସ୍ଥାନରେ ପାର୍କିଂ ଜୋନ୍ର ବ୍ୟବସ୍ଥା ନଥାଇ ଦୋକାନ, ମଲ, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଖୋଲିଯାଉଛି । ଏହା ଫଳରେ ଲୋକମାନେ ରାସ୍ତା ଉପରେ ଗାଡ଼ି ରଖି ଦୋକାନକୁ ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଉଛନ୍ତି । ସେହିପରି ରାଜଧାନୀର ନିର୍ଦ୍ଦିଷ୍ଟ କେତୋଟି ଅଞ୍ଚଳରେ ସ୍କୁଲ୍, କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ରହିଥିବାରୁ ସେଥିପାଇଁ ମଧ୍ୟ ଭିଡ଼ ବଢୁଛି ।
କେବଳ ସେତିକି ନୁହେଁ କିଛି ଧର୍ମପୀଠ ଯୋଗୁଁ ମଧ୍ୟ ଏହି ଭିଡ଼ ବଢୁଥିବା ଲକ୍ଷ୍ୟ କରାଯାଉଛି । ଜାତୀୟ ରାଜପଥ ଏବଂ ଅନ୍ୟ କେତେକ ମୁଖ୍ୟ ପଥରେ ଯାତ୍ରୀବାହୀ ବସ୍ ଚଳାଚଳ କରି ଷ୍ଟପେଜ୍ ନଥିଲେ ମଧ୍ୟ ଯାତ୍ରୀ ଉଠାଇବା ପାଇଁ ବସ୍ ସବୁକୁ ରାସ୍ତା ଉପରେ ଦୀର୍ଘ ସମୟ ଧରି ଛିଡ଼ା କରି ଦିଆଯାଉଛି । ଏହି କାରଣରୁ ମଧ୍ୟ ଛକ ଗୁଡ଼ିକୁ ଅତିକ୍ରମ କରିବାକୁ ଅନୂନ୍ୟ ୫ରୁ ୧୦ ମିନିଟ୍ ଲାଗୁଛି । ଏହି ଛକର ଯନ୍ତ୍ରଣା ରୋଗୀଙ୍କ ଯିବା ଆସିବା ତଥା ଆମ୍ବୁଲାନ୍ସ ଚଳାଚଳ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛି । ମୁଖ୍ୟ ରାସ୍ତା ଗୁଡ଼ିକରେ ନୋ ପାର୍କିଂ ଜୋନ୍ କରାଯିବା ଯୋଗୁଁ ଲୋକମାନେ ବହୁ ଦୂରରେ ଯାନବାହାନ ରଖି ବ୍ୟବସାୟିକ ପ୍ରତିଷ୍ଠାନ ଆଦିକୁ ଆସୁଛନ୍ତି । ଏହି ଅସୁିବଧାକୁ ଦୃଷ୍ଟିରେ ରଖି ରାସ୍ତା ଉପରେ ଗାଡ଼ି ଥୋଇ ତରବରିଆ ଭାବରେ କାମ ସାରି ଦେଇ ଲୋକେ ଚାଲିଆସିବାକୁ ଚେଷ୍ଟା କରୁଛନ୍ତି । ଏହା ଫଳରେ ରାସ୍ତା ଜାମ୍ ତ ହେଉଛି । ଏଥିସହିତ ଅନେକ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ମୁଖ୍ୟ ରାସ୍ତା ଗୁଡ଼ିକରେ ରାସ୍ତା ଅତିକ୍ରମ କରିବା ପାଇଁ ଓଭରବି୍ରଜ୍ ତିଆରି କରାଯାଉଛି । ହେଲେ ସେହି ଓଭରବି୍ରଜ୍ ଗୁଡ଼ିକ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ନରଖି ଅନ୍ୟ କୌଣସି ଉଦେ୍ଦଶ୍ୟରେ ଲୋକଙ୍କ ଅସୁବିଧା ହେଉଥିବା ସ୍ଥାନରେ କରାଯାଉଛି । ତେଣୁ ଲୋକମାନେ ଓଭରବି୍ରଜ୍ ଗୁଡ଼ିକୁ ବ୍ୟବହାର କରୁନାହାନ୍ତି; ବରଂ ରାସ୍ତାର ଡ଼ିଭାଇଡ଼ର ଡ଼େଇଁ ଚାଲିଯିବା ପାଇଁ ଚେଷ୍ଟା କରୁଛନ୍ତି । ଏହା ଫଳରେ ଦୁର୍ଘଟଣା ଘଟୁଛି । ରସୁଲଗଡ଼ ଭଳି ଅଞ୍ଚଳରେ ଜାତୀୟ ରାଜପଥର ପଳାଶୁଣୀ ନିକଟରେ ଓଭର ବ୍ରିଜ୍ର ଆବଶ୍ୟକତା ଥିବା ବେଳେ ଏହା ବିଳମ୍ବ ହେଉଛି । ତେବେ ମୁଖ୍ୟତଃ ରଙ୍ଗ୍ ସାଇଡ୍ ଡ୍ରାଇଭିଂ ଏବଂ ଅମାନିଆ ଗାଡ଼ିଚାଳନା ପାଇଁ ଏହି ସମସ୍ୟା ବଢୁଥିବା ଦେଖାଯାଉଛି । ସାମଗ୍ରିକ ଭାବେ ରାସ୍ତାରେ ଚଳାଚଳ ନିମିତ୍ତ ଟ୍ରାଫିକ୍ ନିୟମକୁ ପାଳନ କରିବାର ଆବଶ୍ୟତା ଥିବା ବେଳେ ଏ ସମ୍ପର୍କିତ ନିୟମଜନିତ ଜ୍ଞାନର ଅଭାବ ମୁଖ୍ୟ କାରଣ ବୋଲି କୁହାଯାଉଛି । ତେଣୁ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି ।