ବଂଶବୁଡ଼ା ଡ଼ାହୁକର ଉପାଖ୍ୟାନ
ଡ଼ାହୁକ ହେଉଛି କୁକୁଡ଼ା ଜାତୀୟ ଏକ ପକ୍ଷୀ କିନ୍ତୁ କୁକୁଡା ଠାରୁ ସାନ । ବର୍ଷା ଋତୁର ଆଗମନରେ ଡ଼ାହୁକ ରାବ କରେ ଏବଂ ଗୋଟିଏ ଡ଼ାହୁକ ରାବିଲେ ତାହା ନିକଟକୁ ଆଖପାଖର ଡ଼ାହୁକମାନେ ଚାଲି ଆସି ରାବ ଦିଅନ୍ତି । ଡ଼ାହୁକମାନଙ୍କର ଏ ପ୍ରକାରର ପ୍ରକୃତିକୁ ନିରୀକ୍ଷଣ କରି କିଛିଲୋକ ଗୋଟିଏ ଡ଼ାହୁକ ଧରି ଆଣି ପୋଷି ଏବଂ ତାକୁ ତାଲିମ୍ ଦେଇ ଅନ୍ୟ ଡ଼ାହୁକମାନଙ୍କୁ ଡ଼ାକି ଆଣି ଫାଶରେ ପକାଇବାର ବ୍ୟବସ୍ଥା କରନ୍ତି । ଡ଼ାହୁକ ମାନଙ୍କର ଏ ପ୍ରକାରର ଆଚରଣକୁ ଲକ୍ଷ୍ୟ କରି ଓଡ଼ିଆରେ ଏକ ଲୋକକଥା ରହିଛି ଯେ ବଂଶବୁଡ଼ା ଡାହୁକ । ଅର୍ଥାତ୍ ନିଜ ବଂଶକୁ ଲୋପ କରିବା ପାଇଁ ଅନ୍ୟ ଜଣଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଉଦେ୍ଦଶ୍ୟରେ ଏପରି କୁହାଯାଇଥାଏ ।
ଏବେ ଓଡ଼ିଶାରେ ବିଭିନ୍ନ ପ୍ରକାରର ସାଇବର୍ ଅପରାଧ ଦିନକୁ ଦିନ ବଢ଼ି ଚାଲୁଥିବା ବେଳେ ସାଇବର ଅପରାଧୀମାନେ ଓଡ଼ିଶାର ଲୋକମାନଙ୍କୁ ଠକିବା ପାଇଁ ଓଡ଼ିଶାର କିଛି ଲୋକଙ୍କୁ ନିଯୁକ୍ତି କରିଛନ୍ତି । ଏହି ଲୋକମାନେ ଓଡ଼ିଶାର ଲୋକଙ୍କୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ଏବଂ ଲୋଭନୀୟ ଯୋଜନା ସମ୍ପର୍କରେ କହି ଠକିବା ପାଇଁ ଜାଲ ବିଛାଉଛନ୍ତି । ଏବେ ସାଇବର୍ ଅପରାଧର ଏକ ନୂଆ ତରିକା ହେଉଛି ହାୱଲା କାରବାର । ସେଥିରେ ହାୱଲା ମାଧ୍ୟମରେ ବିଦେଶରେ ଥିବା ସାଇବର ଅପରାଧୀ ମାନେ ଓଡ଼ିଶାର ଏଜେଣ୍ଟ୍ମାନଙ୍କୁ ନିଯୁକ୍ତ କରି ସେମାନଙ୍କୁ ଶତକଡ଼ା ୧୫ ପର୍ଯ୍ୟନ୍ତ କମିଶନ୍ ଦେଇ ଲୋକଙ୍କୁ ଲୁଟିବା ପାଇଁ ଜାଲ ବସାଇଛନ୍ତି । କୌଣସି ସରକାରୀ ବ୍ୟବସ୍ଥା, ବ୍ୟାଙ୍କ୍ ବା ପୋଷ୍ଟ ଅଫିସ୍ର ସହାୟତା ବିନା ମୋଟା ଅଙ୍କର ଅର୍ଥ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ପଠାଇବା କାରବାରକୁ ହାୱଲା କୁହାଯାଉଛି । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଟଙ୍କା ଟ୍ରାନ୍ସଫର୍ ସମୟରେ ହାୱଲା ଏଜେଣ୍ଟ୍ ଏକ କୋଡ୍ ଦେଇଥାନ୍ତିି । ଟଙ୍କା ସଂଗ୍ରହ କରୁଥିବା ବ୍ୟକ୍ତିଙ୍କୁ ଏହି କୋଡ୍ ଫୋନ୍ରେ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କ ତରଫରୁ ଦିଆଯାଏ । ଏହି ବ୍ୟକ୍ତି ନିଜ ଅଞ୍ଚଳରେ ଥିବା ହାୱଲା ଏଜେଣ୍ଟ୍ଙ୍କ ନିକଟରେ ପହଞ୍ଚି କୋଡ୍ଟି ଦେଲେ ସଙ୍ଗେ ସଙ୍ଗେ ନଗଦ ଟଙ୍କା ମିଳିଯାଏ । ଏହିଭଳି କାରବାରରେ ସରକାରଙ୍କର ବଡ଼ଧରଣର ଟିକସ ଫାଙ୍କିଜନିତ କ୍ଷତି ଘଟୁଛି । ଏହା ଏକ ଚୋରା କାରବାର ଏବଂ ଆର୍ଥôକ ଦେଣନେଣ କ୍ଷେତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶରେ ରହିଥିବା ଆଇନ୍ର ଉଦ୍ଧ୍ୱର୍ରେ ଏହା ଅପରାଧିକ କାର୍ଯ୍ୟକଳାପରେ ସହାୟକ ହେବା ସହିତ କଳାଧନ ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ । ନିକଟରେ ଭୁବନେଶ୍ୱର, କଟକ ଏବଂ ଅ୍ୟାନ୍ୟ କେତେକ ସହରରୁ ସିମ୍ବକ୍ସ ବ୍ୟବସ୍ଥା ଜବତ୍ ହେବା ପରେ ହାୱଲା ବ୍ୟବସ୍ଥାରେ ସଂପୃକ୍ତ ଅପରାଧୀମାନେ ଟଙ୍କା ଦେଣନେଣ କରୁଥିବା ଜଣପଡ଼ିଛି । ଏବେ ସିମ୍ବକ୍ସ ମାମଲା ସହିତ ରାଜ୍ୟରେ ହାୱଲା କାରବାର ସକ୍ରୀୟ ଥିବା ଜଣାପଡ଼ିଛି ଏବଂ ଏହି କାରବାର ସହିତ ସାଇବର୍ ଅପରାଧ ଏବଂ ସାଇବର ଠକାମୀ ପୁରାପୁରି ଜଡ଼ିତ ଅଛି । ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶାର ଲୋକଙ୍କୁ ଠକିବା ପାଇଁ ଓଡ଼ିଶାର ଲୋକମାନଙ୍କୁ ହିଁ ନିଯୁକ୍ତି କରାଯାଇଛି ଏବଂ ଏହି କାରବାରକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସିମ୍ବକ୍ସ ବ୍ୟବସ୍ଥା ବ୍ୟବହାର କରାଯାଉଥିଲା । ଏଥିରେ ବେନାମୀ ସିମ୍ ବା ପ୍ରି ଆକ୍ଟିଭେଟେଡ୍ ସିମ୍ ବିପୁଳ ପରିମାଣରେ କିଣି ଆଣି ସାଇବର୍ ଠକେଇ ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିଲା । ଗୋଟିଏ ଠକେଇ ଘଟଣା ସମ୍ପୂର୍ଣ୍ଣ ହୋଇଯିବା ପରେ କଥାବାର୍ତ୍ତା ପାଇଁ ବ୍ୟବହାର କରାଯାଇଥିବା ସିମ୍ କାର୍ଡ୍କୁ ନଷ୍ଟ କରି ଦିଆଯାଉଥିଲା । ଏହି ଘଟଣାର କୌଣସି ପ୍ରମାଣ ମିଳୁନଥିଲା ଆଉ ଏହି ସାଇବର ଅପରାଧକୁ ଧରିବା ମଧ୍ୟ ଏକ ପ୍ରକାରେ ଅସମ୍ଭବ ହୋଇପଡ଼େ । ବଂଶବୁଡ଼ା ଡ଼ାହୁକ ଭାବରେ ଓଡ଼ିଶାର ଲୋକେ ଓଡ଼ିଶା ଲୋକଙ୍କୁ ଠକିବା ପାଇଁ କୌଣସି ନା କୌଣସି ଏକ ସ୍ଥାନରେ ତାଲିମ୍ ଦିଆଯାଉଛି । ଏବେ ଏହି ତାଲିମ୍ କେନ୍ଦ୍ରକୁ ଖୋଜି ବାହାର କରିବା ପୁଲିସ୍ର ସାଇବର ଅପରାଧ ବିଭାଗ ଆଗରେ ଏକ ବଡ଼ ଆହ୍ୱାନ ।