ପୃଥିବୀ ମାତାର ସୁରକ୍ଷା


ଆମେ ପୃଥିବୀ ପାଇଁ କ'ଣ କରିଛେ? ଧରାପୃଷ୍ଠ କ'ଣ ଖାଲି ଜନସଂଖ୍ୟା ବିକଶିତ ହେବା ପାଇଁ ଉଦ୍ଧିଷ୍ଟ? ପୃଥିବୀକୁ ସୁସ୍ଥ ରଖିବାରେ ଆମେ କ'ଣ କରିଛୁ ଏବଂ ଏବେ କ'ଣ କରୁଛୁ? ଏଗୁଡ଼ିକ ଏମିତି କିଛି ପ୍ରଶ୍ନ, ଯାହାର ଉତ୍ତର ଖୋଜିଲେ ଆମେ ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ଭଳି ଆସନ୍ନ ପ୍ରାକୃତିକ ଦୁର୍ବିପାକକୁ ରୋକିବାରେ ଅନେକାଂଶରେ ସକ୍ଷମ ହୋଇପାରିବା । ପ୍ରକୃତିର କୋପକୁ ଶାନ୍ତ କରିପାରିବା । ଅତୀତକୁ ତ ଆମେ ପରିବର୍ତ୍ତନ କରିପାରିବା ନାହିଁ କିନ୍ତୁ ବର୍ତ୍ତମାନର କାର୍ଯ୍ୟ ମାଧ୍ୟମରେ ଆମେ ଆମର ଭବିଷ୍ୟତ ପିଢ଼ିକୁ ଏକ ସୁନ୍ଦର ପୃଥିବୀ ଭେଟି ଦେଇପାରିବା, ଯାହା ଆମକୁ ଆମର ପୂର୍ବଜମାନେ ଦେଇଥିଲେ । ଜନସଂଖ୍ୟା ବୃଦ୍ଧି ଯୋଗୁଁ ସେମାନଙ୍କ ଚାହିଦା ପୂରଣ କରିବାକୁ ଯାଇ ଆମେ ପ୍ରକୃତି ଉପରେ ଦାଉ ସାଧୁଛେ । ଏଥିପାଇଁ ଆମେ ସହରୀକରଣ ଓ ଶିଳ୍ପାୟନର ଦ୍ୱାହି ଦେଉଛେ । ଶିଳ୍ପାୟନ ବା ସହରୀକରଣ ପାଇଁ ଆମେ ଯେତେ ଗଛ କାଟୁଛେ, ଆମକୁ ତାହାର ଦୁଇ ତିନିଗୁଣା ଗଛ ଅନ୍ୟତ୍ର ଲଗାଇବାକୁ ପଡ଼ିବ । ଅପରପକ୍ଷେ ବିଭିନ୍ନ ବିକଶିତ ଦେଶରେ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଏବେ ଗଛକୁ ନକାଟି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଏହାକୁ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଯଥାଶୀଘ୍ର ଲାଗୁ କରାଯିବା ଦରକାର । ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ବିଷାକ୍ତ କେମିକାଲକୁ ନଦୀନାଳ ଭଳି ଜଳାଶୟକୁ ଯେଉଁପରି ସିଧା ଛଡ଼ା ନଯାଏ ସେଥିପାଇଁ ଯତ୍ନବାନ ହେବାକୁ ପଡ଼ିବ । ଏଥିପାଇଁ ସରକାର ମଧ୍ୟ ଶିଳ୍ପାୟନ ନୀତିରେ ଆହୁରି କଠୋର ନୀତି କରିବା ଜରୁରୀ । ପରିବର୍ତ୍ତନ କରିବା ଜରୁରି । ଅପରପକ୍ଷେ ସମୁଦ୍ର ଅସଂଖ୍ୟ ଜଳଚର ଜୀବଙ୍କ ଘର । ତେଣୁ ସମୁଦ୍ରକୁ ଅନାବନା ଆବର୍ଜନା, ପ୍ଲାଷ୍ଟିକ ବସ୍ତୁ କିମ୍ବା ଅପରିଷ୍କାର ବର୍ଜ୍ୟବସ୍ତୁ ଫିଙ୍ଗିବା ଉଚିତ ନୁହେଁ ।  ଅସଂଖ୍ୟ ଗାଡ଼ିମଟର ଚଳାଚଳ ଯୋଗୁଁ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବଢ଼ି ବାୟୁ ପ୍ରଦୂଷିତ ହେଉଛି । ଅପରପକ୍ଷେ ଏହାଦ୍ୱାରା ପୃଥିବୀପୃଷ୍ଠ ମଧ୍ୟ ଉତ୍ତପ୍ତ ହୋଇ ମେରୁରେ ବରଫ ତରଳି ସମୁଦ୍ରପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଯଥାସମ୍ଭବ କାର, ବାଇକ ଭଳି ଯାନର କମ୍ ବ୍ୟବହାର ଓ ସାଧାରଣ ପରିବହନ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ିବ । 
ସମ୍ପ୍ରତି ବିଶ୍ୱତାପନ ସମଗ୍ର ପୃଥିବୀ ପାଇଁ ଏକ ଭୟଙ୍କର ସଂକଟ ଭାବେ ଉଭା ହୋଇଛି । ମେରୁ ଅଞ୍ଚଳର ତାପମାତ୍ରା ବୃଦ୍ଧି ବିଶାଳ ବରଫ ଗଦାକୁ ତରଳାଇବା ଆରମ୍ଭ କଲାଣି । ଫଳରେ ଆଉ କିଛି ବର୍ଷ ପରେ ମହାସାଗର ସମୂହରେ ଜଳପତ୍ତନ ବୃଦ୍ଧି ପାଇବ ଓ ଭୂଭାଗର ବହୁ ଅଂଶ ଜଳାର୍ଣ୍ଣବ ହୋଇଯିବ । ଜଙ୍ଗଲ ନଷ୍ଟ ହେବା ଦ୍ୱାରା ବାୟୁମଣ୍ଡଳରେ ଥିବା ବିଭିନ୍ନ ଉପାଦାନ ମଧ୍ୟରେ ସନ୍ତୁଳନ ବିଗିଡ଼ି ଯାଇଛି । ଅମ୍ଳଜାନ ପରିମାଣ ହ୍ରାସ ପାଇ ଚାଲିଥିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ ଓ ତାର ଅନ୍ୟାନ୍ୟ ଯୌଗିକ ପରିମାଣ ବଢ଼ିବାରେ ଲାଗିଛି । ପୃଥିବୀ ପାଇଁ ଜଙ୍ଗଲ ନଷ୍ଟ ଯେତିକି କ୍ଷତିକାରକ, ମଣିଷ ବ୍ୟବହାର କରୁଥିବା ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ବି ସେତିକି ବିପଜ୍ଜନକ ହୋଇପଡ଼ିଛି । ଶିଳ୍ପାୟନ ସହ ଅଧିକରୁ ଅଧିକ ମଟର ଗାଡ଼ି ବ୍ୟବହାର, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଓ ରେଫ୍ରିଜରେଟର ଆଦିର ବହୁଳ ବ୍ୟବହାର ବାୟୁମଣ୍ଡଳକୁ କ୍ଷତବିକ୍ଷତ କରିବାରେ ଲାଗିଛି । କଳ କାରଖାନା ଓ ଯାନବାହାନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ଼, ନାଇଟ୍ରୋଜେନ ଯୌଗିକ ଗ୍ୟାସ ଓ ମିଥେନ ଭଳି ବିଷାକ୍ତ ଗ୍ୟାସ ବାୟୁମଣ୍ଡଳରେ ସବୁଜ ଘର ପ୍ରଭାବ ସୃଷ୍ଟି କରୁଛି । ରେଫ୍ରିଜରେଟର ଓ ଏସି ଭଳି ଯନ୍ତ୍ରପାତିର ବହୁଳ ବ୍ୟବହାର ବାୟୁମଣ୍ଡଳର ଓଜୋନ ଗ୍ୟାସ ସ୍ତରକୁ କ୍ଷତି ପହଞ୍ଚାଇଛି । ଯେତେ ଚେଷ୍ଟା କଲେ ବି ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ନାହିଁ । ଯେତେ ବନୀକରଣ କଲେ ବି ପୁରୁଣା ଜଙ୍ଗଲ ଫେରି ପାଇବା ସମ୍ଭବ ନୁହେଁ । କିନ୍ତୁ ଯେଉଁ ପ୍ରାକୃତିକ ପରିବେଶ ଏବେ ବି ବଞ୍ଚô ରହିଛି, ତାକୁ ସଂରକ୍ଷଣ କରିବାକୁ ହେବ । ଏବେ ନୂତନ ଜ୍ଞାନକୌଶଳ ଜରିଆରେ ବିକଶିତ ଦେଶମାନେ ଗଛକୁ ନକାଟି ସ୍ଥାନାନ୍ତର କରିପାରୁଛନ୍ତି । ଏହି କୌଶଳର ବ୍ୟବହାର ସର୍ବତ୍ର କରାଯିବା ଜରୁରି । ଫଳରେ ଶହ ଶହ ବର୍ଷର ଗଛ ବଞ୍ଚô ରହନ୍ତା । ସେହିପରି ଶବ ସଂସ୍କାର ବେଳେ ଅଧିକ ମାତ୍ରାରେ ବୈଦୁ୍ୟତିକ ଚୁଲାର ବ୍ୟବହାର କରାଯିବା ଉଚିତ । ପ୍ରତ୍ୟେକ ବର୍ଷ ଯେତେ ସଂଖ୍ୟାରେ ଚାରାରୋପଣ ହେଉଛି ଯଦି, ବଞ୍ଚôବାର ହାରରେ ୨୫ ଶତାଂଶ ସଫଳତା ମିଳନ୍ତା, ତେବେ ଦେଶ ସବୁଜିମାରେ ପରିପୂର୍ଣ୍ଣ ହୋଇସାରନ୍ତାଣି । ଅପରପକ୍ଷେ ବିପର୍ଯ୍ୟୟର ତୀବ୍ରତା ହ୍ରାସ ନିମନ୍ତେ ଉପକୂଳରେ ଅଧିକ ହେନ୍ତାଳବଣର ସୃଷ୍ଟି କରାଯିବାର ଆବଶ୍ୟକତା ଅଛି । 
ଗ୍ଲୋବାଲ ୱାର୍ମିଂକୁ ରୋକିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ସୌରଶକ୍ତି, ପବନ ଭଳି ଅକ୍ଷୟଶକ୍ତିକୁ ଅଧିକ ବ୍ୟବହାର କରିବା ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରିବା । ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗ୍ରୀନପିସ୍ ଓ ସର୍ଭେ ସଂସ୍ଥା ୱେଟଲାଣ୍ଡ ଇଣ୍ଟର ନ୍ୟାସନାଲ ସାଉଥ ଏସିଆର ରିପୋର୍ଟ ଅନୁଯାୟୀ ଦେଶର ଯେଉଁ କେତେକ ସ୍ଥାନରେ ମାରାତ୍ମକ ସଲଫର ଡାଇଅକ୍ସାଇଡ଼ ନିର୍ଗମନକାରୀ ଶିଳ୍ପ ସଂସ୍ଥା ରହିଛି, ସେଥିମଧ୍ୟରେ ଝାରସୁଗୁଡ଼ା ସର୍ବାଗ୍ରେ ରହିଛି । ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ାର ନାମ ଥିବା ମଧ୍ୟ ପ୍ରକାଶ ପାଇ ସାରିଛି । ପୂର୍ବଘାଟ ପର୍ବତମାଳା, ଚିଲିକା ହ୍ରଦ, ନଳବଣ ପକ୍ଷୀ ଅଭୟାରଣ୍ୟ ଠାରୁ ଭିତରକନିକା ହେନ୍ତାଳବଣ ଏବଂ ପୁରୀର ବାଲୁକା ଶଯ୍ୟା ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳ ଋଦ୍ଧିମନ୍ତ । ଗୁରୁତ୍ୱପୂର୍ଣ୍ଣ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ପାଇଁ ଏହା ଭଣ୍ଡାର ସଦୃଶ । ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୩୬ ପ୍ରତିଶତ ଓ ସହରାଞ୍ଚଳର ୪୩ ପ୍ରତିଶତ ଲୋକେ ବସବାସ କରୁଛନ୍ତି । କିନ୍ତୁ ଉପକୂଳ ପରିସଂସ୍ଥା ଉପରେ ବିକାଶମୂଳକ କାର୍ଯ୍ୟକଳାପର ନକରାତ୍ମକ ପ୍ରଭାବକୁ ଅଣଦେଖା କରାଯାଉଛି । ଭବିଷ୍ୟତରେ ଯଦି ସମୁଦ୍ର ପତ୍ତନ ଅଧମିଟର ପର୍ଯ୍ୟନ୍ତ ବୃଦ୍ଧି ପାଏ, ରାଜ୍ୟର ୯୨୭ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଆର୍ଦ୍ରଭୂମି ଅଞ୍ଚଳ ସମୁଦ୍ରରେ ଲୀନ ହୋଇପାରେ । ତେଣୁ ସମୁଦ୍ରକୂଳ ପୋଷଣ, ବ୍ୟାପକ ବୃକ୍ଷରୋପଣ, ବାଲୁକା ସ୍ତୂପର ବାଡ଼ ନିର୍ମାଣ, ପରିବେଶ ଅନୁକୂଳ ତଥା ବ୍ୟୟରହିତ ଉପକୂଳ ସୁରକ୍ଷା ନେଇ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ । ସବୁ ଦାୟିତ୍ୱ ସରକାର ବା ପ୍ରଶାସନର ନୁହେଁ ଏ କ୍ଷେତ୍ରରେ ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । 
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ
 ମୋ: ୯୪୩୭୬୬୬୪୫୩