୫ ବର୍ଷରେ ବଦଳିଯାଇଛି ରିଅଲ୍‌ ଇଷ୍ଟେଟ୍‌ ଦୃଶ୍ୟପଟ

ଭୁବନେଶ୍ବର: ଗତ ପାଞ୍ଚବର୍ଷ ମଧ୍ୟରେ ‌ରାଜ୍ୟ ରାଜଧାନୀ ଭୁବନେଶ୍ବରର ରିଅଲ ଇଷ୍ଟେଟ୍‌ ବଜାରରେ ହୋଇଛି ବିରାଟ ପରିବର୍ତ୍ତନ। ମୂଲ୍ୟ ଦୃଷ୍ଟିରୁ ଏହି ସମୟରେ ଭୁବନେଶ୍ବରରେ ଘର ବିକ୍ରିରେ ହୋଇଛି ୪୮୦ ପ୍ରତିଶତର ବୃଦ୍ଧି। ‘ପ୍ରପ୍‌ଇକ୍ବିଟି’ ନାମକ ସଂସ୍ଥାର ରିପୋର୍ଟ ଅନୁସାରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଦେଶର ପ୍ରମୁଖ ଦ୍ବିତୀୟ ଶ୍ରେଣୀ ସହରଗୁଡ଼ିକ ମଧ୍ୟରୁ ବିକ୍ରି ବଢ଼ାଇବାରେ ଭୁବନେଶ୍ବର ଦ୍ବିତୀୟ ସର୍ବାଧିକ ବୃଦ୍ଧି ହାସଲ କରିଛି। ୨୦୧୯-୨୦ରେ ଭୁବନେଶ୍ବରରେ ୧୪୩୫ କୋଟି ଟଙ୍କାର ଘର ବିକ୍ରି ହୋଇଥିଲା। ୨୦୨୩-୨୪ରେ ୮୩୨୧ କୋଟି ଟଙ୍କାର ଘର ବିକ୍ରି ହୋଇଛି। ଏହି ପାଞ୍ଚ ବର୍ଷ ମଧ୍ୟରେ ଦେଶର ପ୍ରଥମ ଶ୍ରେଣୀର ସହରଗୁଡ଼ିକରେ ୧୯.୬୦ ଲକ୍ଷ କୋଟି ଟଙ୍କାର ଘର ବିକ୍ରି ହୋଇଥିଲା। ସେହି ସମୟରେ ଭୁବନେଶ୍ବର ଭଳି ଦ୍ବିତୀୟ ଶ୍ରେଣୀ ସହରଗୁଡ଼ିକରେ ୪.୮୭ ଲକ୍ଷ କୋଟି ଟଙ୍କାର ଘର ବିକ୍ରି ହୋଇଛି।

ବଜାର ଆକାର ବଢ଼ାଇବାରେ ଚଣ୍ଡିଗଡ଼, ଭୁବନେଶ୍ବର ଓ ଗାନ୍ଧୀନଗର ସର୍ବାଧିକ ବୃଦ୍ଧି ହାସଲ କରିଛନ୍ତି। ରିପୋର୍ଟ ଅନୁଯାୟୀ ପାଞ୍ଚ ବର୍ଷ ମଧ୍ୟରେ ଭୁବନେଶ୍ବରରେ ହାରାହାରି ନୂଆ ଘର ଯୋଗାଣରେ ୨୯୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୯-୨୦ରେ ନୂଆ ଘର ଯୋଗାଣ ପରିମାଣ ଥିଲା ୨୧୦୯। ୨୦୨୩-୨୪ରେ ତାହା ୮୩୪୦କୁ ବୃଦ୍ଧି ପାଇଛି। ହାରାହାରି ଭାବେ ସହରରେ ବର୍ଷକୁ ୪୬୨୯ଟି ଘର ଯୋଗାଣ ହୋଇଛି। ଏହି ପାଞ୍ଚ ବର୍ଷ ମଧ୍ୟରେ ଭୁବନେଶ୍ବରରେ ନୂଆ ପ୍ରକଳ୍ପଗୁଡ଼ିକରେ ଘର ମୂଲ୍ୟରେ ୫୮ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ, ଚିନ୍ତାର ବିଷୟ ହେଉଛି ୨୦୧୭ରୁ ୨୦୨୦ ମଧ୍ୟରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ମାତ୍ର ୮ ପ୍ରତିଶତର କାମ ଶେଷ ହୋଇପାରିଛି ବୋଲି ରିପୋର୍ଟରେ ଦାବି କରାଯାଇଛି। ଭୁବନେଶ୍ବର ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ୨୦୦ ଏକରରେ ନିର୍ମାଣ ହେବାକୁ ଯାଉଥିବା ଇଲେକ୍ଟ୍ରୋନିକ୍ ମାନୁଫାକ୍‌ଚରିଂ କ୍ଲଷ୍ଟର୍‌, ୨୨୦ ଏକରର ଆଲୁମିନିୟମ୍ ପାର୍କ ଓ ୧୨୦ ଏକରର ପ୍ଲାଷ୍ଟିକ୍ ପାର୍କ ପାଇଁ ପୂର୍ବ ଭାରତରେ ଭୁବନେଶ୍ବର ରିଅଲ ଇଷ୍ଟେଟ୍‌ର ଏକ ଶ୍ରେଷ୍ଠ ପସନ୍ଦର ସ୍ଥାନରେ ପରିଣତ ହୋଇଛି। ଇନ୍‌ଫୋସିଟି ଭଳି ଏସ୍‌ଇଜେଡ୍‌ ଜରିଆରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ଦେଉଥିବା ଗୁରୁତ୍ବ ମଧ୍ୟ ରିଅଲ ଇଷ୍ଟେଟ୍‌ ବଜାର ବଢ଼ାଇବାରେ ସହାୟକ ହୋଇଛି। 

ଏ ସମ୍ପର୍କରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି ଏସ୍ ତ୍ରିପାଠୀ କହିଛନ୍ତି ଯେ ଏକ ଯୋଜନା ଆଧାରିତ ସହର ହୋଇଥିବାରୁ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କ ପାଇଁ ଭୁବନେଶ୍ବର ଏକ ଆକର୍ଷଣର କେନ୍ଦ୍ର ପାଲଟିଛି। ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ରିଅଲ ଇଷ୍ଟେଟ୍‌ରେ ନିବେଶ କରୁଛନ୍ତି। ରାଜ୍ୟର ଖଣି ଓ ଧାତବ ଶିଳ୍ପ, ଶିକ୍ଷା ବ୍ୟବସ୍ଥା, ସୂଚନା ପ୍ରଯୁକ୍ତି, ବନ୍ଦର ଓ ସାମୁଦ୍ରିକ ଶିଳ୍ପ ମଧ୍ୟ ବେଶ୍‌ ଦୃଢ଼ ରହିଛି, ଯାହାର ପ୍ରଭାବରେ ଭବିଷ୍ୟତରେ ରାଜ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରିବାକୁ ପ୍ରସ୍ତୁତ ‌ରହିଛି। ଆଗାମୀ ଦିନରେ ମଧ୍ୟରେ ରାଜ୍ୟର ରିଅଲ ଇଷ୍ଟେଟ୍‌ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ତାଙ୍କ ମତରେ ଦେଶର ସହରାଞ୍ଚଳ ହାର ୩୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ସେହି ହାର ୧୭ ପ୍ରତିଶତ ରହିଛି। ଦ୍ରୁତ ସହରୀକରଣ ଲାଗି ଓଡ଼ିଶା ପାଖରେ ବିପୁଳ ସୁଯୋଗ ରହିଛି। ତାହା ରିଅଲ ଇଷ୍ଟେଟ୍‌ ବଜାରକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ସେ କହିଛନ୍ତି।