ୱାଶିଂଟନ ପୋଷ୍ଟ ରିପୋର୍ଟରେ କ'ଣ କୁହାଯାଇଛି 

ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରଙ୍କ ଦକ୍ଷତା ବିଭାଗ ବା ଡୋଜ ‘ମତଦାନ' ବୃଦ୍ଧି ପାଇଁ ଭାରତକୁ ଦିଆଯାଇଥିବା ୨୧ ନିୟୁତ ଡଲାର ଅନୁଦାନକୁ ରଦ୍ଦ କରିଛି ବୋଲି ଦାବି କରିବା ପରେ ଏହି ବିବାଦ ଉପୁଜିଥିଲା । ଭାରତକୁ  ୟୁଏସଏଆଇଡି ଅନୁଦାନପ୍ରାପ୍ତ ଅଣ-ଲାଭକାରୀ କନସୋର୍ଟିୟମ୍ ଫର୍ ଇଲେକ୍ସନ ଆଣ୍ଡ ପଲିଟିକାଲ ପ୍ରୋସେସ୍ ଷ୍ଟ୍ରେଦେନିଂ (ସିଇପିପିଏସ୍)ର ୪୮୬ ନିୟୁତ ଡଲାର ଅନୁଦାନର ଏହି ୨୧ ନିୟୁତ ଡଲାର ଏକ ଅଂଶ ଅଟେ ।  ଆମେରିକାର ସହାୟତା ପଦକ୍ଷେପ ସମ୍ପର୍କରେ ଅବଗତ ଥିବା ୩ ଜଣଙ୍କୁ ଉଦ୍ଧୃତ କରି ୱାଶିଂଟନ ପୋଷ୍ଟ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଡିଓଜି ବା ଡୋଜର ବର୍ଣ୍ଣନନା ସହ ମେଳ ଖାଉନଥିବା କୌଣସି କାର୍ଯ୍ୟକ୍ରମ ନାହିଁ ।
ଡିଓଜିଇର ଏହି ଦାବି ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଆମେ ଭାରତର ନିର୍ବାଚନ ବିଷୟରେ କିଛି ଜାଣିନାହୁଁ କାରଣ ଆମେ କେବେ ବି ଏଥିରେ ସାମିଲ ହୋଇନାହୁଁ ବୋଲି ଜଣେ ଅଧିକାରୀ କହିଛନ୍ତି । ଅନ୍ୟ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ ଅନ୍ୟାନ୍ୟ କାର୍ଯ୍ୟକ୍ରମରୁ ସଂଖ୍ୟା ସଂଗ୍ରହ କରୁଥିବା ଜଣାପଡ଼ୁଛି ।
୨୦୨୪ ଲୋକସଭା ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ ଏହି ପାଣ୍ଠି ବ୍ୟବହାର ହୋଇଥାଇପାରେ ବୋଲି ଟ୍ରମ୍ପ ଚଳିତ ସପ୍ତାହ ପ୍ରାରମ୍ଭରେ ସଙ୍କେତ ଦେଇଥିଲେ । ଭାରତରେ ମତଦାନ ପାଇଁ ଆମକୁ ୨୧ ନିୟୁତ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ କାହିଁକି ପଡ଼ିବ? ମୁଁ ଭାବୁଛି ସେମାନେ (ବାଇଡେନ୍ ପ୍ରଶାସନ) ଅନ୍ୟ କାହାକୁ ନିର୍ବାଚିତ କରିବାକୁ ଚେଷ୍ଟା କରୁଥିଲେ । ଆମେ ଭାରତ ସରକାରଙ୍କୁ ଜଣାଇବା ଦରକାର ବୋଲି ଆମେରିକା ରାଷ୍ଟ୍ରପତି କହିଥିଲେ । ଏହାପରେ ସେ କୌଣସି ପ୍ରମାଣ ନ ଦେଇ ଅନେକ ଥର ୨୧ ନିୟୁତ ଡଲାର ପାଣ୍ଠି ଅଭିଯୋଗର ପୁନରାବୃତ୍ତି କରିଛନ୍ତି ।