ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ । ଜୀବନରୁ ମାରିଦେବାକୁ ମିଳିଛି ଧମକ । ଏହି ଧମକପୂର୍ଣ୍ଣ ଫୋନ କଲ୍ ଏକ ଜେଲରୁ ଆସିଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଜଣେ କଏଦୀ ଏଭଳି ଫୋନ୍ କରି ଧମକ ଦେଇଛି ।  ତେବେ ଶୁକ୍ରବାର ରାତିରେ ଦୋସାର ସାଲାବାସ ଜେଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ଆଜୀବନ ଜେଲଦଣ୍ଡ କାଟୁଥିବା ଦୋଷୀ ୨୯ ବର୍ଷୀୟ ରିଙ୍କୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସିଏମ୍ ଭଜନଲାଲ୍ ଶର୍ମାଙ୍କୁ ଜୀବନରୁ ମାରିଦେବାକୁ କହିଛି ।  

ପୋଲିସ ରିଙ୍କୁର ମୋବାଇଲକୁ ଟ୍ରାକ୍ କରି ସାଲାବାସ ଜେଲରେ ପହଞ୍ଚିଛି । ପୋଲିସର ସୂଚନା ଅନୁଯାୟୀ, ଭୋର ପ୍ରାୟ ୩.୧୭ ମିନିଟରେ ଟିମ୍ ଜେଲରେ ପଶି ଛାନଭିନ ଜାରି ରଖିଛି । ଏହା ସହିତ ରିଙ୍କୁ କଲ୍ କରିଥିବା ମୋବାଇଲକୁ ଜବତ କରିଛି ।  ଜଣେ ଅଧିକାରୀ କହିଛନ୍ତି, ଜେଲ ଭିତରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ଦୋଷୀ ଉପରେ ଆଗକୁ ଆକ୍ସନ ନିଆଯିବ। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମାଙ୍କୁ ଦାସା ସେଣ୍ଟ୍ରାଲ ଜେଲରୁ ହତ୍ୟା ଧମକ ଆସିଥିଲା । ପୋକ୍ସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ରିଙ୍କୁ ଜେଲରେ ଏବେ ବନ୍ଦୀ ଅଛି । ସେ ୨୦୨୨ରେ ଡାସା ସେଣ୍ଟ୍ରାଲ ଜେଲକୁ ଆସିଥିଲା । ତେବେ ବନ୍ଦ କୋଠରୀରୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସିଥିବାରୁ, ଜେଲ୍ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ସେଣ୍ଟ୍ରାଲ୍ କରାଗାର ଭିତରକୁ କିପରି ମୋବାଇଲ୍ ଫୋନ୍ ଗଲା ? ଜେଲର ସୁରକ୍ଷା ବ୍ୟବସ୍ଥା ଢିଲା ରହିଛି କି ? ଜେଲ୍ କର୍ତ୍ତୃପକ୍ଷଙ୍କ ଧ୍ୟାନ ଏହା ଉପରେ ରହିଛି କି ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।