୨  ଲୁଟେରା ଗିରଫ, ୯ ବାଇକ ଜବତ 

ଭୁବନେଶ୍ୱର:  ଖଣ୍ଡଗିରି ଥାନା ପୁଲିସକୁ ଶନିବାର ବଡ଼ଧରଣର ସଫଳତା ମିଳିଛି । ଲଗାତାର ବାଇକ ଚୋରି କରୁଥିବା ୨ ପେଶାଦାର ଲୁଟେରାଙ୍କୁ ଗିରଫ କରିବା ସହ ପୁଲିସ୍ ସେମାନଙ୍କ ଠାରୁ ୯ଟି ଚୋରାବାଇକ୍ ଜବତ କରିଛି । ଗିରଫ ଲୁଟେରାମାନେ ହେଲେ ନୟାଗଡ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳର ବସନ୍ତ ରାଉତ ଓରଫ ଦେବଲୁ (୨୮) ଓ ଅଙ୍କିତ ରାଉତ (୨୧) । ବସନ୍ତର ଓଡଗାଁରେ ଏକ ଗ୍ୟାରେଜ ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ନୟାଗଡ ଅଞ୍ଚଳର ପ୍ରମୋଦ ସାହୁ ଗତ ଜାନୁଆରୀ ୫ରେ ଖଣ୍ଡଗିରି ଥାନା ଏମ୍ସ ହସ୍ପିଟାଲକୁ ଚିକିତ୍ସା ଲାଗି ଆସିଥିବା ବେଳେ ତାଙ୍କ ପଲସର ବାଇକ୍ ଚୋରି ହୋଇଯାଇଥିଲା । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଏହାସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ ବାଇକ୍ ଜବତ କରିବା ସହ ଏଥିରେ ଜଡ଼ିତ ଉପରୋକ୍ତ ୨ ଲୁଟେରାଙ୍କୁ ଗିରଫ କରିଛି ।